ମାଗଣାରେ କରାଯାଉ କରୋନା ପରୀକ୍ଷା : କେନ୍ଦ୍ର ସରକାରଙ୍କୁ ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶ, ଘରୋଇ ପରୀକ୍ଷାଗାରରେ ପରୀକ୍ଷା ବ୍ୟବସ୍ଥା ପାଇଁ ପରାମର୍ଶ

605

କନକ ବ୍ୟୁରୋ : ମାଗଣାରେ କରୋନା ଭାଇରସର ପରୀକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହିତ କିଭଳି ଅଧିକରୁ ଅଧିକ ପରୀକ୍ଷା କରାଯାଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବର୍ତ୍ତମାନ ସୁଦ୍ଧା ଦେଶର ୧ଲକ୍ଷରୁ ଉର୍ଦ୍ଧ୍ୱର୍ ଲୋକଙ୍କ କରୋନା ଭୂତାଣୁର ପରୀକ୍ଷା କରାଯାଇ ସାରିଛି । ହେଲେ ଏହା ୧୩୦ କୋଟି ଲୋକ ସଂଖ୍ୟା ତୁଳନାରେ ବହୁତ କମ୍ । ତେଣୁ କିପରି ଅଧିକ ପରୀକ୍ଷା କରାଯିବ ତା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି କୋର୍ଟ । ବର୍ତ୍ତମାନ ଦେଶର ୧୩୬ ସରକାରୀ ଓ ୫୬ଟି ଘରୋଇ ହସ୍ପିଟାଲରେ କରୋନା ଭୂତାଣୁର ପରୀକ୍ଷା କରାଯାଉଛି । ଦେଶରେ ବର୍ତ୍ତମାନ ପ୍ରତ୍ୟକ ଦିନ ୧୮ ହଜାର କରୋନା ଭୂତାଣୁର ପରୀକ୍ଷା କରିବା ପାଇଁ ବ୍ୟବସ୍ଥା ରହିଛି ।

ସେପଟେ କରୋନା ପାଇଁ ମାର୍ଚ୍ଚ ୨୪ ତାରିଖରୁ ଏପ୍ରିଲ ୧୪ ଯାଏ ଦେଶରେ ୨୧ ଦିନିଆ ଲକଡାଉନ୍ ଜାରି ହୋଇଥିବା ବେଳେ ଏହି ଅବଧି ବଢିବ ନା ଲକଡାଉନ୍ ହଟିଯିବ ସେନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ଦେଶର ବିଭିନ୍ନ ଦଳର ନେତାଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ । ସଂସଦରେ ପ୍ରତିନିଧି ଥିବା ଦଳର ନେତାଙ୍କ ସହ ଆଲୋଚନା କରୁଛନ୍ତି ମୋଦି । ଏହା ସହିତ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟ ଅନୁସାରେ ଲକଡାଉନ୍ ଅବଧି ବଢାଇବା ନେଇ ବିଶେଷଜ୍ଞଙ୍କ ପରାମର୍ଶ ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଫଳରେ ଲକଡାଉନ୍ ଅବଧି ବୃଦ୍ଧି ହେବ ବୋଲି ଚର୍ଚା ଜୋର ଧରିଛି । ଏନେଇ କିଛି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆସୁଥିବା ବେଳେ କେନ୍ଦ୍ର ସରକାର ବିଶେଷଜ୍ଞଙ୍କ ପରାମର୍ଶ ନେଉଛନ୍ତି ।