କୋରୋନା ପାଇଁ କୋକୁଆ ଭୟ । ଚୀନରେ ବ୍ୟାପୁଛି, ସାରା ବିଶ୍ୱର ଚିନ୍ତା ବଢୁଛି । ଭାଇରସ ପାଇଁ ଭାରତରେ ଜାରି ହେଲା ସତର୍କ ସୂଚନା । ଜାଣନ୍ତୁ ଥଣ୍ଡା ସର୍ଦ୍ଦି ଭଳି କଣ ରହିଛି ଭାଇରସର ଲକ୍ଷଣ ?

941

କନକ ବ୍ୟୁରୋ: ଚୀନରେ ବ୍ୟାପୁଛି, ସାରା ବିଶ୍ୱର ଚିନ୍ତା ବଢୁଛି । ଚୀନରେ ବ୍ୟାପୁଥିବା କୋରୋନା ଭାଇରସ ସାରା ବିଶ୍ୱ ସମେତ ଭାରତ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟିଛି । ଚୀନର ଉହାନ ସହରରେ ଏହି ଭୂତାଣୁ ଯୋଗୁଁ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୦ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଉହାନ ସହରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏହାସହ ସେଠାରୁ ଟ୍ରେନ ଓ ବିମାନ ଚଳାଚଳକୁ ବନ୍ଦ କରି ଦିଆଯାଇଛି । ଏପରିକି ଅତ୍ୟନ୍ତ ଜରୁରୀ ନଥିଲେ ସହର ବାହାରକୁ ଯିବା ପାଇଁ ବାରଣ କରାଯାଇଛି । ସେପଟେ ଆମେରିକାରେ ମଧ୍ୟ କୋରୋନା ଭାଇରସର ମାମଲା ସାମ୍ନାକୁ ଆସିଛି ।

ଚୀନ ଅଧିକାରୀ କୋରୋନା ଭାଇରସ ନେଇ ସତର୍କ କରାଇଛନ୍ତି । ଆଗକୁ ଛୁଟି ଦିନ ଥିବାରୁ ଏହି ସମୟରେ ଅଧିକରୁ ଅଧିକ ଲୋକ ବାହାରେ ରହିବେ ତେଣୁ ଏହି ସଂକ୍ରମଣ ବ୍ୟାପିବାରେ ବୋଲି ସତର୍କ କରାଯାଇଛି । ଏବଂ ଲୋକଙ୍କୁ ସହର ବାହାରକୁ ଯିବା ପାଇଁ ବାରଣ କରାଯାଇଛି । ଏଥିପାଇଁ ଭାରତରେ ମଧ୍ୟ ସତର୍କ ସୂଚନା ଜାରି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ରାଜଧାନୀ ଦିଲ୍ଲୀ ସମେତ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ବାଙ୍ଗାଲୁରୁ, ଚେନ୍ନାଇ ଓ କୋଚିନ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି । ଚୀନ୍ ଓ ହଂକଂରୁ ଫେରୁଥିବା ଯାତ୍ରୀଙ୍କ ଥର୍ମାଲ ଯାଂଚ କରାଯାଉଛି । ଏବଂ ଏକ ଫର୍ମ ଜରିଆରେ ଯାତ୍ରୀଙ୍କୁ ନିଜର ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ କରାଯାଇଛି ।

କୋରୋନା ଭାଇରସ ଯୋଗୁଁ ସାମାନ୍ୟ ଥଣ୍ଡା ସର୍ଦ୍ଦିଠାରୁ ଆରମ୍ଭ କରି ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟାରେ ସମସ୍ୟା ଦେଖା ଦେଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଜ୍ୱର, କାଶ ଓ ପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେବା ହେଉଛି ଏହି ସଂକ୍ରମଣ ବ୍ୟାପିବାର ଲକ୍ଷଣ । ନିଶ୍ୱାସ ପ୍ରଶ୍ୱାସରୁ ଏହି କୋରୋନା ଭୂତାଣୁ ଅଧିକ ସଂକ୍ରମଣ ହୋଇଥାଏ । ଚୀନ୍ ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏହି ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି । କେଉଁ କାରଣରୁ ଏହା ବ୍ୟାପୁଛି ତାହାର କାରଣ ଯାଂଚ କରିବା ସହ ଭୂତାଣୁ ସମ୍ପର୍କରେ ଅଧିକ ଯାଂଚ ଜାରି ରହିଛି ।