୮୦ ଜୀବନ ପାଇଁ କାଳ ସାଜିଲା କରୋନା : ଭାଇରସ୍ ରେ ଆକ୍ରାନ୍ତ ହେଲେ ୨,୮୦୦ ଲୋକ , ଚୀନ୍ ରୁ ରୋଗ ଧରି ରାଜସ୍ଥାନ ଆସିଥିବା ଛାତ୍ରଙ୍କୁ ଅଲଗା ୱାର୍ଡରେ ରଖି ଚିକିତ୍ସା କରୁଛନ୍ତି ଡାକ୍ତର ।

290

କରୋନା ଭୂତାଣୁର ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି । ଚୀନରେ ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁରେ ସଂକ୍ରମିତ ହୋଇ ୮୦ ଜଣଙ୍କ ମୃତ୍ୟୁ ହୋଇଗଲାଣି । ୨,୮୦୦ ଆକ୍ରାନ୍ତ ହେଲେଣି । ସ୍ଥିତି ସଙ୍ଗୀନ ହେଉଥିବାରୁ ଚୀନ ସରକାର ବିଦେଶୀ ନାଗରିକଙ୍କୁ ସ୍ୱଦେଶ ପଠାଇବାର ବ୍ୟବସ୍ଥା କରୁଛନ୍ତି । ଉହାନ ପ୍ରୋଭିନ୍ସରେ ରହୁଥିବା ଆମେରିକୀୟଙ୍କୁ ଉଦ୍ଧାର କରିବା ପାଇଁ ୱାଂଶିଟନକୁ ପ୍ରସ୍ତାବ ଦେବା ସହ ପଠାଇବା ବ୍ୟବସ୍ଥା କରିଛି ଚୀନ । ତେଣୁ ସେଠାରେ ରହୁଥିବା ଭାରତୀୟଙ୍କୁ ମଧ୍ୟ ଚୀନ ସ୍ୱଦେଶ ପଠାଇବାର ବ୍ୟବସ୍ଥା କରିପାରେ ।

ରବିବାର ଜୟପୁରର ଜଣେ କରୋନା ଭାଇରସରେ ଆକ୍ରାନ୍ତ ଥିବା ଘଟଣା ସାମନାକୁ ଆସିଛି । ସେ ଏବେ ଜୟପୁର ସ୍ଥିତ ସରକାରୀ ହସ୍ପିଟାଲରେ ଚିକିତ୍ସତ ହେଉଥିବା ସୂଚନା ମିଳିଛି । କରୋନା ଭାଇରସରେ ଆକ୍ରାନ୍ତ ଛାତ୍ର ଜଣଙ୍କ ଚୀନରେ ପଢୁଥିଲେ । ଭାରତ ଆସିବା ପରେ ତାଙ୍କ ନିକଟରେ କରୋନା ଭାଇରସର ଲକ୍ଷଣ ଦେଖାଦେଇଥିଲା । ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

ଏପଟେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଚୀନରେ କୌଣସି ଭାରତୀୟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇନାହାନ୍ତି । ବେଜିଂରେ ଥିବା ଦୂତାବାସ ଘଟଣା ଉପରେ ନଜର ରଖିଛି । ସେପଟେ ଭାରତୀୟ ନାଗରିକ ଓ ଛାତ୍ର ଯୋଗାଯୋଗ କରିବା ପାଇଁ ଦୂତାବାସ ପକ୍ଷରୁ ୩ ଟି ହେଲ୍ପଲାଇନ୍ ନମ୍ବର ଜାରି କରିଛି । ଉହାନ ଏବଂ ହୁବେଇ ପ୍ରୋଭିନ୍ସରେ ରହିଥିବା ଭାରତୀୟ ଛାତ୍ରମାନଙ୍କ ସହିତ ମଧ୍ୟ ସମ୍ପର୍କରେ ରହିଥିବା କହିଛି ବୈଦେଶିକ ମନ୍ତ୍ରଣାଳୟ । ଉହାନ ବିଶ୍ୱବିଦ୍ୟାଳୟ ଓ ଅନ୍ୟ ବିଶ୍ୱବିଦ୍ୟାଳୟଗୁଡିକରେ ପ୍ରାୟ ୭୦୦ ଭାରତୀୟ ଛାତ୍ର ପାଠ ପଢୁଛନ୍ତି । ଗତ ୨୫ ତାରିଖରେ ଚୀନ ନୂଆବର୍ଷ ପାଳନ ପାଇଁ ସ୍ଥାନୀୟ ଛାତ୍ରମାନେ ଘରକୁ ଯାଇଥିବା ବେଳେ କେବଳ ବିଦେଶୀ ଛାତ୍ରମାନେ ରହିଯାଇଛନ୍ତି । ଅନ୍ୟପଟେ କରୋନା ଭୂତାଣୁ ବ୍ୟାପିବା ଭୟରେ ଚୀନ ପ୍ରଶାସନ ଉହାନ ଓ ହୁବେଇ ସମେତ ୧୨ ଟି ସହରକୁ ସିଲ କରିଦେଇଛନ୍ତି । ତେବେ ଭାରତୀୟ ଛାତ୍ରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଚାଇନରେ ଏହି ଭାଇରସରେ ସଂକ୍ରମଣ ସଂଖ୍ୟା ୨ ହଜାର ଟପିଛି ଏବଂ ଅନ୍ୟ ଦେଶର ୨୩ ଜଣ ଏଥିରେ ସଂକ୍ରମିତ ହୋଇଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାରଙ୍କ ସୂଚନା ମୁତାବକ ବୈଦେଶିକ ମନ୍ତ୍ରୀ ଏସ . ଜୟଶଙ୍କର ସ୍ଥିତି ଉପରେ ନଜର ରଖିଛନ୍ତି ।