ବିଶ୍ୱରେ ଚିନ୍ତାଜନକ କରୋନା ସ୍ଥିତି: ଆମେରିକାରେ ୨ ଲକ୍ଷ ଡେଇଁଲା ଆକ୍ରାନ୍ତ ସଂଖ୍ୟା; ଇଟାଲିରେ ୧ ଲକ୍ଷ ୧୦ ହଜାରରୁ ଅଧିକ ଆକ୍ରାନ୍ତ ସହ ୧୩ ହଜାର ଟପିଲା ମୃତ୍ୟୁ ସଂଖ୍ୟା

486

କନକ ବ୍ୟୁରୋ: ସାରା ବିଶ୍ୱରେ ଏବେ କରୋନା ଭୂତାଣୁ ମହାମାରୀ ରୂପେ ମାଡି ଚାଲିଛି । ବର୍ତମାନ ସୁଦ୍ଧା ବିଶ୍ୱରେ ଏହି ଭୂତାଣୁରେ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି । ବିଶ୍ୱରେ ମୃତ୍ୟୁ ସଂଖ୍ୟା ୫୧ ହଜାର ୩୦୦ ଟପି ସାରିଲାଣି । ଆକ୍ରାନ୍ତ ସଂଖ୍ୟାରେ ଆଗରେ ରହିଛି ଆମେରିକା ତ କରୋନା ମୃତ୍ୟୁ ସଂଖ୍ୟାରେ ଆଗରେ ରହିଛି ଇଟାଲି । ଆମେରିକାରେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୧୫ ହଜାର ୩୫୭ ରହିଛି । ମୃତ୍ୟୁ ସଂଖ୍ୟା ୫ ହଜାର ଟପିସାରିଲାଣି । ଇଟାଲିରେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୧୦ ହଜାର ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୩ ହଜାର ଅତିକ୍ରମ କରିଛି । ସେହିପରି ସ୍ପେନରେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୧୦ ହଜାର ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ହଜାର ପାର କରିଯାଇଛି । ଇରାନରେ କରୋନା ସଂକ୍ରମଣରେ ୩ ହଜାର ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଫ୍ରାନ୍ସରେ ଆକ୍ରାନ୍ତ ସଂଖ୍ୟା ୬୦ ହଜାର ଛୁଇଁଥିବା ବେଳେ ୪ ହଜାର ୩୨ ଜଣ ଏଥିରେ ପ୍ରାଣ ହରାଇଛନ୍ତି । ଚିକିତ୍ସା ପରେ ସାରା ବିଶ୍ୱରେ ୨ ଲକ୍ଷ ୧୦ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି ।

ଦେଶରେ ୨ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶେଷ ଖବର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଅଣସ୍ତରୀ ରହିଛି । ବର୍ତମାନ ସୁଦ୍ଧା ଭାରତରେ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ହୋଇଛି । ସବୁଠାରୁ ଚିନ୍ତାଜନକ କଥା ହେଉଛି ଗତ ୨୪ ଘଂଟାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ୩୨୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ଆଶ୍ୱସ୍ତିକର ଖବର ହେଉଛି ଯେ, ୧୫୬ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ତବଲିଘି ଜମାତର କର୍ମକର୍ତା ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ମୋଟ୍ ୯ ହଜାର ଲୋକଙ୍କୁ କ୍ୱାରେଂଟାଇନ୍ ବା ସଙ୍ଗରୋଧ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ୯ ହଜାରଙ୍କ ଭିତରୁ ୧ ହଜାର ୩ ଶହ ୬ଜଣ ବିଦେଶୀ ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ସମସ୍ତ ବିଦେଶୀ ନାଗରିକଙ୍କ ବିରୋଧରେ ଆଇନଗତ ପଦ କ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ ।