ଭାରତ ଛାତିରେ ଭାଇରସ ଭୟ । କେରଳରେ ଦେଶର ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶ ସାରା କରୋନା ଆତଙ୍କ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କଲା ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ

432

କନକ ବ୍ୟୁରୋ: ଭାରତରେ କରୋନାର ପ୍ରଥମ ଠିକଣା । କେରଳରେ କରୋନା, ଦେଶରେ ଆତଙ୍କ । ମାରାତ୍ମକ ରୂପ ଧାରଣ କରିସାରିଥିବା କରୋନା ଭୂତାଣୁରେ ସଂକ୍ରମିତ ପ୍ରଥମ ରୋଗୀ ଭାରତର କେରଳରେ ଠାବ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଏହି ସଂକ୍ରମିତ ଛାତ୍ରୀ ଜଣଙ୍କ ମାଲାୟାଲାମ ଡାକ୍ତରୀ ଛାତ୍ରୀ । ନିକଟରେ ସେ କେରଳ ଫେରିଛନ୍ତି । ସେ ଚୀନର ୟାହୁନ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ରକ୍ତ ନମୂନା ସଂଗ୍ରହ କରାଯାଇଛି । ପରୀକ୍ଷା ବେଳେ ଏହା ପଜିଟିଭ ବାହାରିଛି । ଏନଆଇଭି ପୁନେରୁ ଆସିଥିବା ଲାବରେଟରୀ ରିପୋର୍ଟରେ ଏହା ସ୍ପଷ୍ଟ କରାଯାଇଛି । ତେବେ ସଂପୃକ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା କେରଳ ସରକାର ସୂଚନା ଦେଇଛନ୍ତି ।

ଦେଶରେ କରୋନା ଭୂତାଣୁ ସଂକ୍ରମଣ ହେବାର ଖବର ଆସିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି । ଆଜି ଲୋକସେବା ଭବନରେ କରୋନା ଭାଇରସର ସମୀକ୍ଷା କରାଯାଇଛି । କିଭଳି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ସେନେଇ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁସାରେ, ମାଲେସିଆରୁ ଆସିଥିବା ଦୁଇ ଜଣ ଯାତ୍ରୀଙ୍କ ବ୍ଲଡ ସଂଗ୍ରହ କରାଯାଇ ପୁଣେକୁ ବ୍ଲଡ ସାମ୍ପଲ ପଠାଯାଇଛି । ସେମାନେ ଆଇସୋଲେସନ ହୋଇ ରହିବେ । ଏସସିବି ଓ ଆରଏମଆରସିରେ ବ୍ଲଡ ସଂଗ୍ରହ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

ଚୀନରେ ଏହି ମାରାତ୍ମକ ଭୂତାଣୁ ସଂକ୍ରମଣ ହେବା ଫଳରେ ଏ ଯାଏଁ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହୋଇଛନ୍ତି । ଚୀନରେ ଅନେକ ସହରରୁ ସିଲ କରିଛନ୍ତି ସରକାର ।