କରୋନା ଭୟ ଭିତରେ ଓଡିଶାକୁ ଆଶ୍ୱସ୍ତି । ପରୀକ୍ଷା ହୋଇଥିବା ସମସ୍ତ ୨୧ ନମୂନା ନେଗେଟିଭ । କାହା ଦେହରେ ନାହିଁ କରୋନା ଭାଇରସ

6,752

କନକ ବ୍ୟୁରୋ: କରୋନାକୁ ନେଇ ସାରା ବିଶ୍ୱ ସମେତ ସାରା ଦେଶରେ କୋକୁଆ ଭୟ ଖେଳିଯାଇଥିବା ବେଳେ ଓଡିଶା ବି ଗ୍ରହଣ କରିଛି ସତର୍କତା ମୂଳକ ପଦକ୍ଷେପ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଆଉ ୟାରି ଭିତରେ ପରୀକ୍ଷା କରାଯାଇଥିବା ସବୁ ନମୁନା ନେଗେଟିଭ ଆସିଛି । ଆଉ ଓଡିଶାକୁ ଆଶ୍ୱସ୍ତି ମିଳିଛି ।

ତେବେ ଓଡିଶାରେ କରୋନା ସନ୍ଦିଗ୍ଧଙ୍କ ଯେଉଁ ରକ୍ତ ନମୂନା ପରୀକ୍ଷା କରାଯାଇଛି ସେସବୁ ନେଗେଟିଭ ଆସିଛି । ପରୀକ୍ଷା ହେବାକୁ ଆସିଥିବା ୨୧ ନମୂନା ମଧ୍ୟରୁ ସମସ୍ତ ନମୂନା ନେଗେଟିଭ ଆସିଛି ଅର୍ଥାତ କାହାରି ଦେହରେ କରୋନା ଭାଇରସ ନାହିଁ । ସେପଟେ ୧୪୧ ଜଣ ନିରୀକ୍ଷଣରେ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧ ପହଁଚି ଥିବାବେଳେ ଆଜି ଓଡିଶା ସରକାର ହଠାତ୍ କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଘୋଷଣା କରିଛନ୍ତି । ପ୍ରଥମ ଥର ପାଇଁ କୌଣସି ଭୁତାଣୁ ଜନିତ ରୋଗର ମୁକାବିଲା ପାଇଁ ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ମାର୍ଚ୍ଚ ୩୧ ଯାଏ ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତିି । କିନ୍ତୁ ପୂର୍ବ ନିର୍ଦ୍ଧାରିତ ସମୟରେ ପରୀକ୍ଷା କରାଯିବ ।

ସେହିପରି ସିନେମା ହଲ, ଜିମ, ଓ ସୁଇମିଂ ପୁଲ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ବହୁ ଲୋକ ଏକାଠି ହେଉଥିବା ଧାର୍ମିକ ଉତ୍ସବ, ବାହାଘର ଭୋଜି ଓ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଛନ୍ତିି ।