କରୋନା ପରୀକ୍ଷଣ : ଓଡ଼ିଶାରେ ଆଜି ପରୀକ୍ଷା ହୋଇଥିବା ୭ଟିରୁ ୭ ନମୁନା ନେଗେଟିଭ୍

2,757

କନକ ବ୍ୟୁରୋ : ଓଡ଼ିଶାରେ ଆଜି ପରୀକ୍ଷା ହୋଇଥିବା ୭ଟିରୁ ୭ ନମୁନା ନେଗେଟିଭ୍ । କରୋନା ପରୀକ୍ଷଣ ହୋଉଥିବା ସମସ୍ତ ୭ ନମୁନା ନେଗେଟିଭ୍ ବୋଲି ସୂଚନା ମିଳିଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ୭୭ ଟି ନମୁନା ପରୀକ୍ଷା ହୋଇଛି । ଆଉ ସେଥିମଧ୍ୟରୁ ଏବେ ସୁଦ୍ଧା ୨ ଟି ନମୁନା ପଜିଟିଭ୍ ଆସିଛି । ନୂଆ ରିପୋର୍ଟ ଅନୁସାରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଛି ।

ସେପେଟ କରୋନା ସଂକ୍ରମଣ ରୋକିବା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ୫ ଟି ଜିଲ୍ଲା ଓ ୮ ଟି ସହରକୁ ଲକ୍ ଡାଉନ୍ ବା ତାଲା ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅର୍ଥାତ୍ ଅତି ଆବଶ୍ୟକ ନହେଲେ ଲୋକେ ଘରୁ ବାହାରକୁ ଆସିବେ ନାହିଁ । ଦୋକାନ, ବଜାର ଆଦି ସଂପୂର୍ଣ୍ଣ ବନ୍ଦ ରହିବ । ରାସ୍ତାରେ ବି ଗଡ଼ିବନାହିଁ ଟାକ୍ସି ଓ ଅଟୋ ରିକ୍ସା । ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଗଂଜାମ, ଅନୁଗୁଳ ଜିଲ୍ଲାର ସବୁ ଗାଁ ଓ ସହର ତାଲା ବନ୍ଦ ରହିବ । ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍ ଓ ଯାଜପୁର ଟାଉନକୁ ବି ତାଲାବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ କରି ଦେଇଛନ୍ତି ସରକାର ।

ଏପରିକି ସାଧାରଣ ପରିବହନରେ ବି କଟକଣା ଲଗାଯାଇଛି । ଟାକ୍ସି ଓ ଅଟୋ ରିକ୍ସା ଚଳାଚଳ ଉପରେ ରୋକ୍ ଲାଗିଥିବା ବେଳେ ସହର ସହର ମଧ୍ୟରେ ବସ୍ ଚଳାଚଳ କରିବ କି ନାହିଁ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବେ । ତେବେ ରେଳ, ବିମାନ ସେବା ଜାରି ରହିବ । ପ୍ରଶାସନିକ କାର୍ଯ୍ୟାଳୟ, ଜିଲ୍ଲାପାଳ ଅଫିସ୍, ବ୍ଳକ ଅଫିସ, ତହସିଲ କାର୍ଯ୍ୟାଳୟ, ବ୍ୟାଙ୍କ, ଏଟିଏମ୍ ଆଦି ଖୋଲା ରହିବ । ଯେଉଁ ବେସରକାରୀ ସଂସ୍ଥା କରୋନା ମୁକାବିଲା ପାଇଁ କାର୍ଯ୍ୟ କରୁଥିବେ, ତାହା ମଧ୍ୟ ଖୋଲା ରହିବ ।