ଭାରତରେ କେଉଁ ଷ୍ଟେଜ୍ ରେ ରହିଛି କରୋନା? କ’ଣ କହୁଛନ୍ତି ବିଶେଷଜ୍ଞ, କ’ଣ ରହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁକ୍ତି?

57,183

କନକ ବ୍ୟୁରୋ: ଭାରତ କରୁଛି କରୋନା ମୁକାବିଲା । ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରିଥିବା ବିଶ୍ୱ ମହାମାରୀ କରୋନାର ମୁକାବିଲା କରିବାକୁ ବିଭିନ୍ନ ପଦକ୍ଷେପ ନେଉଛି ଭାରତ । ହେଲେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଏହାକୁ କିଭଳି ରୋକାଯାଇ ପାରିବ ତାହା ସରକାରଙ୍କ ଚିନ୍ତା ବଢ଼ାଇଛି । ତେବେ ବର୍ତ୍ତମାନ ଭାରତରେ ‘କରୋନା’ ଏବେ କେଉଁ ଷ୍ଟେଜରେ ତାହାକୁ ନେଇ ଆରମ୍ଭ ହୋଇଛି ବିତର୍କ ।

କରୋନା ସଂକ୍ରମଣର ପ୍ରଥମ ଷ୍ଟେଜ୍ – ସଂକ୍ରମଣ ବ୍ୟାପୁଥିବା ଦେଶରେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ଫେରିବା 

ଦ୍ୱିତୀୟ ଷ୍ଟେଜ୍ – ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହେବା

ତୃତୀୟ ଷ୍ଟେଜ୍ – ଗୋଷ୍ଠୀ ସଂକ୍ରମଣ ବା କେଉଁଠୁ ଆକ୍ରାନ୍ତ ହେଲେ, ସେ ସଂପର୍କରେ ନିର୍ଦ୍ଦିଷ୍ଟ ସୂଚନା ନମିଳିବା 

ଚତୁର୍ଥ ଷ୍ଟେଜ୍ – ନିଆଁ ଭଳି ପୂରା ଦେଶରେ ବ୍ୟାପିଯିବା ଓ ମହାମାରୀର ରୂପ ନେବା

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ତୃତୀୟ ଷ୍ଟେଜ୍ । କାରଣ ଏହି ପର୍ଯ୍ୟାୟରେ ପହଁଚିଗଲେ ମହାମାରୀକୁ ରୋକିବା ପାଇଁ ବାଟ ମିଳିବ ନାହିଁ । ତେଣୁ ଭାରତରେ କରୋନା କେଉଁ ପର୍ଯ୍ୟାୟରେ ରହିଛି, ଏହାକୁ ନେଇ ବିତର୍କ ଜୋରଦାର ହୋଇଛି ।

ବିହାରର ୨୯ ବର୍ଷୀୟ ରେଳ କର୍ମଚାରୀ, ଓଡ଼ିଶାର ୬୦ ବର୍ଷୀୟ ତୃତୀୟ ଆକ୍ରାନ୍ତ ଓ ପଶ୍ଚିମବଙ୍ଗର ଜଣେ ୫୭ ବର୍ଷୀୟ ବ୍ୟକ୍ତି, ନଭେଲ କରୋନାରେ ସଂକ୍ରମିତ ହେବା ପରେ ଭାରତ ଏବେ କେଉଁ ପର୍ଯ୍ୟାୟରେ ରହିଛି, ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ଏହି ତିନି ଜଣ ନୁହଁନ୍ତି, ଦେଶରେ ଆଉ କିଛି କରୋନା ସଂକ୍ରମିତ ଅଛନ୍ତି ଯେଉଁମାନେ କାହା ସଂସ୍ପର୍ଶରେ ଆସି ଏହି ରୋଗରେ ଆକ୍ରାନ୍ତ ହେଲେ ତାହା ଜଣାପଡିନାହିଁ । ଓଡ଼ିଶା ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ମଧ୍ୟ କହିଛନ୍ତି ରାଜ୍ୟର ତୃତୀୟ ଆକ୍ରାନ୍ତ, ଗୋଷ୍ଠୀ ସଂକ୍ରମଣ ଆଡକୁ ଇସାରା କରୁଛି ।

କିଛି ବିଶେଷଜ୍ଞଙ୍କ ମତରେ ଭାରତ ଏବେ  ତୃତୀୟ ଷ୍ଟେଜ୍ ବା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଛି । ତେବେ ଏଥିରେ ଏକମତ ହୋଇନାହିଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ କୁମାର ଅଗ୍ରୱାଲ କହିଛନ୍ତି, ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ନେଇ ବଳିଷ୍ଠ ପ୍ରମାଣ ନାହିଁ । କିଛି କ୍ଷେତ୍ରରେ ଆକ୍ରାନ୍ତଙ୍କ ସଂସ୍ପର୍ଶ ଆସିଥିବା ବ୍ୟକ୍ତିଙ୍କ ସଂପର୍କରେ ସୂଚନା ମିଳିବା ବିଳମ୍ବ ହୋଇଥିବା ସେ କହିଛନ୍ତି । ତେବେ ବିଶେଷଜ୍ଞଙ୍କ କହିବା କଥା କରୋନା ପରୀକ୍ଷା ଅଳ୍ପ ସଂଖ୍ୟାରେ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି ।