ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୧, ସୁସ୍ଥ ହୋଇ ଫେରିଲେଣି ୧୦୦ ଜଣ

2,555

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୧କୁ ବୃଦ୍ଧି ପାଇଛି । ସଦ୍ୟ ସୂଚନା ଅନୁସାରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ଏବଂ ବର୍ତମାନ ସୁଦ୍ଧା ୧୦୦ ଜଣ ସୁସ୍ଥ ହୋଇ ଫେରିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । କେରଳରେ ସର୍ବାଧିକ ୧୯୪ ଜଣ ସଂକ୍ରମିତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମହାରାଷ୍ଟ୍ରରେ  ୧୯୩ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ୮ଜଣଙ୍କର ମୃତ୍ୟୁ ହୋଇଛି ।

ସେପଟେ ସାରା ବିଶ୍ୱର ୧୯୯ ଦେଶରେ ୭ଲକ୍ଷ ଟପିଯାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ମହାମାରୀରେ ୧୯୯ଟି ଦେଶରେ ୭ଲକ୍ଷ ୨୧ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୩ହଜାର ୯୬୫ ଲୋକଙ୍କର ମୃତ୍ୟୁ ହୋଇଛି ଓ ୧ଲକ୍ଷ ୫୧ ହଜାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆମେରିକାରେ ସବାର୍ଧକ ୧ଲକ୍ଷ ୪୨ ହଜାର ଆକ୍ରାନ୍ତ ହୋଇଛନ୍ତି ଓ ୨ହଜାର ୪୮୪ ଜଣଙ୍କର ମୃତ୍ୟୁ ହୋଇଛି । ଇଟାଲିରେ ୯୭ ହଜାର ଆକ୍ରାନ୍ତ ହୋଇଛନ୍ତି ଓ ବିଶ୍ୱର ସର୍ବାଧିକ ୧୦ହଜାର ୭୭୯ ଲୋକଙ୍କର ମୃତ୍ୟୁ ହୋଇଛି ।

ଓଡିଶାରେ ଏଯାଏଁ ମୋଟ ୩ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଅନ୍ୟପକ୍ଷରେ ଗତ ୧୪ ଦିନ ମଧ୍ୟରେ ଓଡିଶା ବାହାରେ ରହୁଥିବା ୨୮୫୬ ଜଣ ଓଡିଶା ଫେରିଛନ୍ତି । କିନ୍ତୁ ସେମାନଙ୍କର କୌଣସି ଖୋଜଖବର ନଥିବା ସୂଚନା ମିଳିଛି । ନା ସେମାନେ ସରକାରଙ୍କୁ ଜଣାଇଛନ୍ତି ନା ୧୦୪କୁ କୌଣସି ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱରରୁ ୪୦୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୫୦, ଗଞ୍ଜାମରୁ ୬୫୦ ଏବଂ କଟକରୁ ୬୫୦ଜଣ । ଏମାନଙ୍କ ସମ୍ପର୍କରେ କୌଣସି ଖବର ମିଳିନଥିବା ଜଣାପଡିଛି । ଏସବୁ ବ୍ୟକ୍ତିଙ୍କୁ କୌଣସି ମତେ ଖୋଜି ସଂଗରୋଧ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ।