ସ୍କୁଲ ପିଲାଙ୍କ ବାଇକ ଚାଳନା ଉପରେ କଟକଣା ! କମିସନରେଟ୍ ପୁଲିସର ସ୍ୱାଗତଯୋଗ୍ୟ ପଦକ୍ଷେପ

123

କନକ ବ୍ୟୁରୋ : ଏଣିକି ସ୍କୁଲ ଛାତ୍ରଛାତ୍ରୀ ବାଇକ୍‌ ଚଳାଉଥିବାବେଳେ ପୁଲିସ ହାବୁଡରେ ପଡ଼ିଲେ ଜରିମାନା ଆଦାୟ କରାଯିବ ନାହିଁ ବରଂ ବାଇକ୍‌ ଜବତ ହେବ । ଜବତ ବାଇକ୍‌ ଥାନାରୁ ନେବାକୁ ହେଲେ ସେମାନଙ୍କ ଅଭିଭାବକମାନଙ୍କୁ ଥାନାକୁ ଆସିବାକୁ ପଡ଼ିବ । ଥାନାରେ ଏକ ରାଜିନାମା କପିରେ କେତେକ ସର୍ତ୍ତରେ ରାଜି ହୋଇ ଦସ୍ତଖତ କରିବେ । ଏହା ବ୍ୟତୀତ ୫ଶହ ଟଙ୍କା ଜରିମାନା ଗଣିଲା ପରେ ବାଇକ୍‌ ନେଇ ପାରିବେ । ତାହା ପୁଣି ସପ୍ତାହକ ମଧ୍ୟରେ । ନ ହେଲେ ବାଇକ୍‌ ମାଲିକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ଜବତ ବାଇକକୁ କୋର୍ଟ ଚାଲାଣ କରିବ। ସ୍କୁଲ ପିଲାମାନଙ୍କ ବାଇକ ଚାଳନା ଉପରେ ଏମିତି କଟକଣା ଲଗାଇଛି  କମିସନରେଟ୍‌ ପୁଲିସ ।

ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ମୁତାବକ, ନିୟମ ଅନୁଯାୟୀ ୧୮ ବର୍ଷ ହେବା ପରେ ଜଣେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବେ । କିନ୍ତୁ ଏବେ ଦେଖା ଯାଉଛି ଅଧିକାଂଶ ୧୩ରୁ ୧୫ ବର୍ଷର ପିଲାମାନେ ସ୍ପିଡ୍‌ ବାଇକ୍‌ ଧରି ଦ୍ରୁତ ବେଗରେ ଗାଡ଼ି ଚଳାଉଛନ୍ତି । ଏ ନେଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବା ସହିତ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି ।  ଏପରିକି ସେମାନେ ବାଇକ୍‌ ଚାଳନା ଠିକ୍‌ ଭାବେ ଜାଣି ନ ଥିବା ସହିତ ଟ୍ରାଫିକ ସିଗନାଲ ମଧ୍ୟ ମାନୁ ନାହାନ୍ତି । ଏ ନେଇ କମିସନରେଟ୍‌ ପୁଲିସ ନିକଟକୁ ଏକାଧିକ ଅଭିଯୋଗମାନ ଆସିବାରେ ଲାଗିଛି ।

ଅନ୍ୟପକ୍ଷରେ ସ୍କୁଲ ପିଲାମାନେ ବାଇକ୍‌ ଚଳାଉଥିବାବେଳେ ଧରା ପଡ଼ିଲେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଥିଲେ ମଧ୍ୟ ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ । ତେଣୁ ସ୍କୁଲ ପିଲାଙ୍କ ବାଇକ ଚାଳନା ଉପରେ ରୋକ୍‌ ଲଗାଇବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ଏକ  ଟ୍ରାଫିକ୍‌ ପୁଲିସ ପକ୍ଷରୁ ମୋବାଇଲ୍‌ ସ୍କ୍ଵାଡ୍‌ ଗଠନ କରାଯାଇଛି । ଏହି ସ୍କ୍ଵାଡ୍‌ ବିଭିନ୍ନ ସ୍କୁଲ ନିକଟକୁ ଯାଇ ପଇଁତରା ମାରିବ । ବିଶେଷକରି ଇଂରାଜି ମାଧ୍ୟମ ସ୍କୁଲ ପିଲାମାନେ ବାଇକ ଚଳାଉଥିବାରୁ ରାଜଧାନୀର କେତେକ ପ୍ରମୁଖ ଇଂରାଜି ମାଧ୍ୟମ ବିଦ୍ୟାଳୟ ଏବେ କମିସନରେଟ୍‌ ପୁଲିସର ଟାର୍ଗେଟରେ । କେବଳ ଯେ ସ୍କୁଲ ପିଲାମାନଙ୍କ ଉପରେ କଟକଣା ଲାଗିବ ତାହା ନୁହେଁ । ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇ କମିସନରେଟ୍‌ ପୁଲିସ ପକ୍ଷରୁ ବିଭିନ୍ନ ସ୍କୁଲରେ ସଚେତନତା କାର୍ଯ୍ୟକ୍ରମକରାଯିବ। ଯେଉଁଥିରେ ଅଭିଭାବକ ଓ ପିଲାମାନଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ଅବଗତ କରାଯିବ ବୋଲି କମିସନର ଖୁରାନିଆ କହିଛନ୍ତି ।

ଅନ୍ୟ ଜଣେ ବରିଷ୍ଠ ଟ୍ରାଫିକ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ସ୍କୁଲ ପିଲାଙ୍କ ବାଇକ ଚାଳନା ପାଇଁ ଅଭିଭାବକମାନେ ହିଁ ପ୍ରଥମେ ଦାୟୀ । କାରଣ ପିଲାମାନେ ଘରୁ ବାଇକ୍‌ ନେଇ ସ୍କୁଲ ଆସିବାବେଳେ ଅଭିଭାବକମାନେ ବାରଣ କରୁନାହାନ୍ତି କାହିଁକି ? ସୂଚନାଯୋଗ୍ୟ  ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ରାଜଧାନୀରେ ୧୭୩୨ ଜଣ ବାଇକ୍‌ ଚାଲକ ଡ୍ରାଇଭିଂ ଲାଇସେନ୍ସ ନ ଥାଇ ଯାଂଚବେଳେ ଧରା ପଡ଼ିଛନ୍ତି । ସେଥି ମଧ୍ୟରୁ  ୫୪୧ ଜଣ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଅଛନ୍ତି । ସେମାନଙ୍କ ନିକଟରୁ  ଅଳ୍ପ ଜରିମାନା ଆଦାୟ କରି ଛଡ଼ା ଯାଇଛି ।