ପୁଣିଥରେ ଜରୁରୀ ସର୍ଜିକାଲ୍ ଷ୍ଟ୍ରାଇକ୍ ! ବ୍ୟର୍ଥ ନ ଯାଉ ବୀର ଯବାନଙ୍କ ବଳିଦାନ । ପାକିସ୍ତାନକୁ ଦରକାର ମୁହଁତୋଡ଼ ଜବାବ୍

50

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀର ସ୍ଥିତିକୁ ଦୃଷ୍ଟିରେ ରଖି ସର୍ଜିକାଲ୍ ଷ୍ଟ୍ରାଇକ୍ ପୁଣିଥରେ ପ୍ରାସଙ୍ଗିକ ମନେ ହେଉଛି । ଗତ କିଛି ଦିନ ହେଲା ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଥିବା ବେଳେ ଆତଙ୍କୀ ଗତିବିଧି ମଧ୍ୟ ଜାରି ରହିଛି କାଶ୍ମୀରରେ । ସେନାର ଏକାଧିକ ଯବାନ ଶହୀଦ୍ ହୋଇଥିବାରୁ ସର୍ଜିକାଲ ହମଲାର ଆବଶ୍ୟକତା ନେଇ ପୁଣିଥରେ ଆଲୋଚନା ଆରମ୍ଭ ହୋଇଛି । ପାକିସ୍ତାନ ବିରୁଦ୍ଧରେ କଠୋର ପଦକ୍ଷେପ ଜରୁରୀ ବୋଲି କୁହାଯାଉଛି ।

ହସ୍ପିଟାଲ ଉପରେ ଆକ୍ରମଣ କରି ନିଜ ସାଥୀକୁ ଖସାଇନେଲେ ଆତଙ୍କୀ । ଶ୍ରୀନଗର ମହାରାଜ ହରି ସିଂ ହସ୍ପିଟାଲ ଆକ୍ରମଣ ଘଟଣାରେ ଶହୀଦ୍ ହୋଇଛନ୍ତି ଜଣେ ଯବାନ । ସେନା ଓ ପୁଲିସ୍ ସର୍ଚ୍ଚ ଅପରେସନ୍କୁ ଜୋରଦାର କରିଥିବା ବେଳେ ଆତଙ୍କବାଦର ମୁଳପୋଛ ପାଇଁ ବଡ଼ଧରଣର ସର୍ଜିକାଲ୍ ଷ୍ଟ୍ରାଇକ୍ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି । ଆତଙ୍କୀ ମୁଳପୋଛ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ ହିଁ ଶେଷ ଅସ୍ତ୍ର ବୋଲି ମଧ୍ୟ କୁହାଯାଇଛି । ଏନେଇ ପାକିସ୍ତାନ ବିରୁଦ୍ଧରେ ତୁରନ୍ତ ପଦକ୍ଷେପ ପାଇଁ ଉଠିଛି ଦାବି ।

ବ୍ୟର୍ଥ ନ ଯାଉ ବୀର ଯବାନଙ୍କ ବଳିଦାନ ।ପାକ୍ ପ୍ରାୟୋଜିତ ଆତଙ୍କବାଦକୁ ମିଳୁ ଜବାବ୍ । ଶହୀଦ୍ ପରିବାର ସଦସ୍ୟଙ୍କ ଆଖିର ଲୁହ ମାଗୁଛି ବଳିଦାନର ହିସାବ । ଗାଁ କହୁଛି ବ୍ୟର୍ଥ ନଯାଉ ଅମର ଯବାନର ମୃତ୍ୟୁର ମୂଲ୍ୟ । ପରିବାରରେ ସୃଷ୍ଟି ହୋଇଥିବା ଶୂନ୍ୟ ସ୍ଥାନ କହୁଛି ରକ୍ତର ବଦଲା ନିଆଯାଉ ଆତଙ୍କୀ ରକ୍ତରେ । ନିୟନ୍ତ୍ରଣ ରେଖା ନିକଟରେ ପାକ୍ ଅସ୍ତ୍ରବିରତି ଉଲ୍ଲଂଘନ ଓ ଶ୍ରୀନଗର ହସ୍ପିଟାଲ ଉପରେ ହମଲା ପରେ ସର୍ଜିକାଲ୍ ଷ୍ଟ୍ରାଇକ୍ର ଆବଶ୍ୟକତା ନେଇ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଛି ।

ଆତଙ୍କୀ କରୁଛନ୍ତି ସେନାର ଧୈର୍ଯ୍ୟପରୀକ୍ଷା । ସମୟ ଆସିଛି ସର୍ଜିକାଲ୍ ଷ୍ଟ୍ରାଇକର ! କାଶ୍ମୀର ସୀମାନ୍ତ ଏବେ ସମ୍ବେଦନଶୀଳ । କେତେବେଳେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ତ ପୁଣି କେବେ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ । ଏଭଳି ସ୍ଥିତିରେ ପାକିସ୍ତାନକୁ ତାରି ଭାଷାରେ ଜବାବ ଦେବାକୁ ଦାବି ଉଠିଛି । ଆତଙ୍କୀ ଦମନ ପାଇଁ ପୁଣିଥରେ ସର୍ଜିକାଲ୍ ଷ୍ଟ୍ରାଇକ୍ର ଆବଶ୍ୟକତା ଥିବା ଚର୍ଚ୍ଚା ହେଉଛି । ଜମ୍ମୁ କାଶ୍ମୀରରେ ଅପରେସନ୍ ଅଲଆଉଟ୍ ଆତଙ୍କବାଦୀଙ୍କ ନିଦ ହଜାଇଥିବା ବେଳେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିବା ଆଲୋଚନା ଆରମ୍ଭ ହୋଇଛି । ଯେଉଁ କାରଣରୁ ସର୍ଜିକାଲ୍ ଷ୍ଟ୍ରାଇକ୍ ପୁଣିଥରେ ପ୍ରାସଙ୍ଗିକ ହେବାର ବିଶେଷଜ୍ଞ କହିଛନ୍ତି ।