ମୋମୋ ଚ୍ୟାଲେଂଜ ପାଇଁ ପ୍ରବର୍ତ୍ତାଉଥିବା ଛାତ୍ର ଏବେ ପୁଲିସ୍ ହାଜତରେ : ଆଇଏସଡି ନମ୍ବର ବ୍ୟବହାର କରି ଖେଳାଉଥିଲା ଆତଙ୍କ !

46

ସୋଶିଆଲ ମିଡିଆରେ ବ୍ଲୁ ହ୍ୱେଲ ଗେମ୍ ପରେ ପୁଣି ଥରେ ଏକ ଚ୍ୟାଲେଂଜ ଲୋକଙ୍କ ନିଦ ଉଡାଇ ଦେଇଛି । ମୋମୋ ଚ୍ୟାଲେଂଜ ନାମକ ଏକ ଫେସବୁକ୍ ଓ ହ୍ୱାଟ୍ସଆପ୍ ଗେମ୍ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ଜଲପାଇଗୁଡିରେ ଦୁଇ ଦିନ ପୂର୍ବରୁ ଜଣେ ପ୍ରଥମ ବର୍ଷ ଛାତ୍ର ମୋମୋ ଚ୍ୟାଲଂଜ ପାଇଁ ପ୍ରବର୍ତ୍ତାଇବା ଘଟଣାରେ ପୁଲିସ୍ ସେହି ଛାତ୍ରକୁ ହାଜତକୁ ନେଇଛି ।

ଜଲପାଇଗୁଡି କେଏସପି ଅମିତାଭ ମାଇତିଙ୍କ ମୁତାବକ, ଅଭିଯୁକ୍ତ ପ୍ରୀତମ ସାହା ଆପ ଡାଉନଲୋଡ କରି ସେଥିରେ ମୋମୋ ଚ୍ୟାଲେଂଜର ଫଟୋ ଲଗାଇ ଲୋକଙ୍କୁ ପଠାଉଥିଲେ । ପ୍ରୀତମ ଜଲପାଇଗୁଡିର ଦେଶବନ୍ଧୁ ଅଂଚଳର ବାସିନ୍ଦା ଓ ସେ ଗତ ବର୍ଷ ହିଁ କୋଲକାତାର ପେଲାନ କଲେଜରେ ଆଡମିଶନ ନେଇଥିଲେ । କିନ୍ତୁ ପିତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ପ୍ରୀତମକୁ କଲେଜ ଛାଡିବାକୁ ପଡିଥିଲା ।

ଏହି ଘଟଣା ଯାଂଚର ବିଷୟ ବୋଲି କେଏସପି କହିଛନ୍ତି । ଛାତ୍ର ଜଣକ ଆଇଏସଡି ନମ୍ବରର ବ୍ୟବହାର କିଭଳି ଭାବେ କରିଥିବ ଓ କ’ଣ ପ୍ରୀତମ ଏହାର ଲୋକାଲ ଆଡମିନ୍ ? ନା କେବଳ ମଜା ନେବା ପାଇଁ ସେ ଏମିତି କଲା ବୋଲି ଅନେକ ପ୍ରଶ୍ନ ଉଠୁଛି । ଏହି ସବୁ କାରଣ ଅନୁସଂଧାନ ପାଇଁ ସିଡ୍ ସାଇବର କ୍ରାଇମକୁ ମାମଲା ହସ୍ତାନ୍ତର କରାଯାଇଛି ।

ମୋମୋ ହ୍ୱାଟ୍ସଆପ ଏକ କଣ୍ଟାକ୍ଟ ନମ୍ବର ଯାହା ହ୍ୱାଟ୍ସଆପରେ ସେୟାର କରାଯାଏ । ଏହି ନମ୍ବରକୁ ଆଡ କରିବା ପରେ ଏଥିରେ ଏକ ଭୟଙ୍କର ଚେହେରା ଥିବା ଝିଅର ଫଟୋ ଆସେ । ଏହି ନମ୍ବରକୁ ଆଡ କରିବା ପରେ ଏଥିରେ ଏମିତି ଏମିତି ଜିନିଷ ସେୟାର ହୁଏ ଯାହା ମଣିଷକୁ ଧୀରେ ଧୀରେ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥାଏ ।