ପୁଣି ଘୁଞ୍ଚିପାରେ ନିର୍ଭୟା ଦୋଷୀଙ୍କୁ ଫାଶୀ ତାରିଖ । ରାଷ୍ଟ୍ରପତିଙ୍କ ପାଖରେ ବିନୟର ରାଜକ୍ଷମା ଆବେଦନ ପରେ ବଢିଲା ସଂଶୟ । ଆଜି ସୁପ୍ରିମକୋର୍ଟରେ ଅକ୍ଷୟର କ୍ୟୁରେଟିଭ ପିଟିସନର ଶୁଣାଣିି

ଆସନ୍ତା ୪୮ ଘଂଟା ଉପରେ ସମସ୍ତଙ୍କ ନଜର

422

କନକ ବ୍ୟୁରୋ: ଆସନ୍ତା ୪୮ ଘଂଟାରେ କଣ ହୋଇପାରେ? ନିର୍ଭୟା ଦୋଷୀଙ୍କୁ ଫେବ୍ରୁୟୀରେ ୧ରେ ଫାଶୀ ଦିଆଯିବ ନା ନାହିଁ ? ପୁଣି ଘୁଂଚିବ କି ଫାଶୀ ତାରିଖ? ବୁଧବାର ନିର୍ଭୟା ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିବା ପରେ ଏପରି ଫାଶୀ ତାରିଖ ଟଳିବା ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି ଅନ୍ୟତମ ଦୋଷୀ ଅକ୍ଷୟ ଠାକୁର । ରାଜକ୍ଷମା ଆବେଦନ ଖାରଜ ହେଲେ ମଧ୍ୟ ଜେଲ ମାନୁଆଲ ଅନୁସାରେ ଦୋଷୀଙ୍କୁ ଫାଶୀ ପୂର୍ବରୁ ୧୪ ଦିନର ମହଲତ ଦିଆଯାଇଥାଏ । ତେଣୁ ଫେବୃୟାରୀ ୧ରେ ଫାଶୀ ଦଣ୍ଡ କାର୍ଯ୍ୟକାରୀ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଫାଶୀ ତାରିଖ ପାଖେଇ ଆସୁଥିବା ବେଳେ ଏଥିରୁ ବର୍ତିବା ପାଇଁ ଦୋଷୀମାନେ ଆଇନଗତ ବିକଳ୍ପ ବ୍ୟବହାର କରୁଛନ୍ତି । ହୁଏତ ଦୋଷୀଙ୍କ ସମସ୍ତ ଆବେଦନ ଖାରଜ ହୋଇଯାଇପାରେ, ହେଲେ ନ୍ୟାୟିକ ପ୍ରକ୍ରିୟା ଯୋଗୁଁ ଫାଶୀ ଦଣ୍ଡ କାର୍ଯ୍ୟକାରୀ କରିବା ବିଳମ୍ବିତ ହେଉଛି ।

ନିର୍ଭୟା ଦୋଷୀ ଅକ୍ଷୟ ଠାକୁର ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି । ଆଜି ଅପରାହ୍ନ ୧ଟାରେ ଅକ୍ଷୟର ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହେବ । ଜଷ୍ଟିସ ଏନବି ରମଣାଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଅକ୍ଷୟ ଠାକୁରର କ୍ୟୁରେଟିଭ୍ ପିଟିସନ ଉପରେ ଶୁଣାଣି କରିବେ । ଯଦି ସର୍ବୋଚ୍ଚ ନ୍ୟାୟାଳୟରେ ଅକ୍ଷୟର କ୍ୟୁରେଟିଭ ପିଟିସନ ଖାରଜ ହୋଇଯାଏ, ତେବେ ଫାଶୀରୁ ବର୍ତିବା ପାଇଁ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିବା ବିକଳ୍ପ ରହିଛି । ସେହିପରି ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିଦିଅନ୍ତି, ତେବେ ରାଜକ୍ଷମା ଆବେଦନ ଖାରଜର ନ୍ୟାୟିକ ସମୀକ୍ଷା ପାଇଁ ମଧ୍ୟ ଆବେଦନ କରିପାରିବ ନିର୍ଭୟା ଦୋଷୀ ଅକ୍ଷୟ ଠାକୁର । ଆଇନଗତ ବ୍ୟବସ୍ଥା ଅନୁସାରେ ଏବେ ଫାଶୀ ଦଣ୍ଡରୁ ବର୍ତିବା ପାଇଁ ଅକ୍ଷୟ ପାଖରେ ଆହୁରି ଦୁଇଟି ବିକଳ୍ପ ରହିଛି । ସୁପ୍ରିମକୋର୍ଟରେ ଆଜି ଆବେଦନ ଖାରଜ ହୁଏ ଏବଂ ଅନ୍ୟ ୨ ଟି ବିକଳ୍ପ ଜରିଆରେ ଅକ୍ଷୟ ଆବେଦନ କଲେ ଫାଶୀ ଦଣ୍ଡ ବିଳମ୍ବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଦିନକ ପରେ ଫେବୃୟାରୀ ୧ ତାରିଖ । ଫାଶୀ ଦଣ୍ଡ ଭୟରେ ଆତଙ୍କିତ ହୋଇପଡିଛନ୍ତି ନିର୍ଭୟା ଦୋଷୀ । ଅନ୍ୟତମ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଛି । ଗତ ୧୪ ତାରିଖରେ ସୁପ୍ରିମକୋର୍ଟ ବିନୟର କ୍ୟୁରେଟିଭ୍ ପିଟିସନକୁ ଖାରଜ କରିଦେଇଥିଲେ । ବୁଧବାର ବିନୟ ପକ୍ଷରୁ ଆଇନଜୀବୀ ଏପି ସିଂ, ରାଜକ୍ଷମା ଆବେଦନ କରିଛନ୍ତି । ନିର୍ଭୟା ଦୋଷୀଙ୍କ ମଧ୍ୟରୁ ରାଷ୍ଟ୍ରପତିଙ୍କ ପାଖରେ ଏହା ଦ୍ୱିତୀୟ ରାଜକ୍ଷମା ଆବେଦନ । ପୂର୍ବରୁ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିନୟ ଶର୍ମା ପକ୍ଷରୁ ରାଜକ୍ଷମା ଆବେଦନ ପରେ ଏବେ ତିହାର ଜେଲ୍ କର୍ତୃପକ୍ଷ ତଳକୋର୍ଟକୁ ଏନେଇ ଅବଗତ କରାଇବେ । ଏବଂ ଡେଥ୍ ୱାରେଂଟ୍ ଘୁଂଚାଇବାକୁ ପଟିଆଲା ହାଉସ କୋର୍ଟଙ୍କୁ ଅନୁରୋଧ କରିବେ ତିହାର ଜେଲ କର୍ତୃପକ୍ଷ । ଯଦି ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିଦିଅନ୍ତି, ତେବେ ପୁଣି ସୁପ୍ରିମକୋର୍ଟ ଯାଇପାରିବ ବିନୟ । ରାଷ୍ଟ୍ରପତି ରାଜକ୍ଷମା ଖାରଜ ରାୟକୁ ଚାଲେଞ୍ଜ କରି ଏହାର ନ୍ୟାୟିକ ସମୀକ୍ଷା ପାଇଁ ବିନୟ ଚାହିଁଲେ ଆବେଦନ କରିପାରିବ । ତେଣୁ ବିନୟ ପାଖରେ ଫାଶୀରୁ ବର୍ତିବା ପାଇଁ ଏବେ ରାଜକ୍ଷମାକୁ ଛାଡିଦେଲେ ଆଉ ଗୋଟିଏ ବିକଳ୍ପ ରହିଛି ।

ସେପଟେ ଅନ୍ୟତମ ଦୋଷୀ ମୁକେଶ ସିଂହ ଫାଶୀଦଣ୍ଡ ପାଇବା ରାସ୍ତା ସଫା ହୋଇଯାଇଛି । ରାଜକ୍ଷମା ନମିଳିବାର ନ୍ୟାୟିକ ସମୀକ୍ଷା ପାଇଁ ମୁକେଶ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି  ସୁପ୍ରିମକୋର୍ଟ । ରାଜକ୍ଷମା ନମିଳିବାରୁ ଏହାକୁ ଚ୍ୟାଲେଞ୍ଜ କରି ମୁକେଶ କରିଥିବା ଆବେଦନର ଶୁଣାଣି କରି ମଙ୍ଗଳବାର ରାୟ ସଂରକ୍ଷିତ ରଖିଥିଲେ ଖଣ୍ଡପୀଠ । ବୁଧବାର ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ କୋର୍ଟଙ୍କ ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ । ତ୍ୱରିତ ବିଚାର ଅର୍ଥାତ ରାଷ୍ଟ୍ରପତି ବୁଝିବିଚାରି ନିଷ୍ପତି ନେଇନାହନ୍ତି କହିବା ଆଦୌ ଠିକ୍ ନୁହେଁ । ରାଷ୍ଟ୍ରପତିଙ୍କ ପାଖରେ ସମସ୍ତ ଦସ୍ତାବିଜ ଦାଖଲ କରାଯାଇଥିଲା । ନିର୍ଭୟା ମାମଲାରେ କୋର୍ଟ ଦେଇଥିବା ରାୟର ନକଲ, ଦୋଷୀର ଅପରାଧିକ ପୃଷ୍ଠଭୂମି, ତାଙ୍କ ପରିବାରର ଆର୍ଥିକ ସ୍ଥିତି ସମେତ ସମସ୍ତ ଦସ୍ତାବିଜକୁ ଦେଖିବା ପରେ ରାଷ୍ଟ୍ରପତି ନିଷ୍ପତି ଦେଇଥିବା କହିଛନ୍ତି ଖଣ୍ଡପୀଠ । ସେହିପରି ଜେଲରେ ମୁକେଶ ସିଂଙ୍କୁ କଥିତ ଯୌନ ଶୋଷଣ ନେଇ କୋର୍ଟ କହିଛନ୍ତି, ଏହାକୁ ରାଜକ୍ଷମା ଖାରଜ ବିରୋଧରେ ଆଧାର କରାଯାଇ ପାରିବ ନାହିଁ । ଜାନୁଆରୀ ୧୭ରେ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ ରାଷ୍ଟ୍ରପତି । ନିର୍ଭୟା ଦୋଷୀଙ୍କୁ ଫେବ୍ରୁଆରୀ ପହିଲା ସକାଳ ୬ଟା ବେଳେ ଫାଶୀ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଦିଲ୍ଲୀ ଜେଲ୍ ମାନୁଆଲ ଅନୁସାରେ ଗୋଟିଏ ମାମଲାରେ ଏକାଧିକ ଦୋଷୀ ଥିଲେ ଏବଂ ଜଣକର ରାଜ୍ୟକ୍ଷମା ଆବେଦନ ଫଇସଲା ହୋଇନଥିଲେ ଅନ୍ୟମାନଙ୍କୁ ମଧ୍ୟ ଫାଶୀ ଦିଆଯାଇପାରିବ ନାହିଁ ।