କଳାରୁ ଧଳା ଭାୟା ଜରିମାନା ! କଳାଟଙ୍କାକୁ ଧଳା କରିବାକୁ ସରକାରଙ୍କ ଶେଷ ସୁଯୋଗ

23

କନକ ବ୍ୟୁରୋ : କଳାଧନକୁ ଧଳା କରିବା ପାଇଁ ଶେଷ ସୁଯୋଗ । ଏନେଇ ବାଟ ବାହାର କରିଛନ୍ତି ସରକାର । ଜମା ଅର୍ଥର ୫୦ ପ୍ରତିଶତ ଜୋରିମାନା ଦେଇ ଧଳା କରିହେବ କଳାଟଙ୍କା । ଯଦି ଆପଣଙ୍କ ପାଖରେ ଅଘୋଷିତ ୬ଲକ୍ଷ ଟଙ୍କା ଅଛି, ଏହାକୁ ଜମାକଲେ ସିଧାସଳଖ ୩ଲକ୍ଷ ଟଙ୍କା ଜରିମାନା ଆକାରରେ କାଟି ନିଆଯିବ ।

ବଳକା ୩ଲକ୍ଷ ଟଙ୍କାର ୫୦% ଅର୍ଥାତ ଦେଢଲକ୍ଷ ଟଙ୍କା ୪ବର୍ଷ ଯାଏଁ ଆପଣ ଉଠାଇ ପାରିବେ ନାହିଁ । ବଳକା ୫୦% ଅର୍ଥାତ ଦେଢଲକ୍ଷ ଟଙ୍କାକୁ ଆପଣ ଯେତେବେଳେ ଚାହିଁବେ ଉଠାଇ ପାରିବେ । ଏହାକୁ ଧଳା ଟଙ୍କା ହିସାବରେ ଧରାଯିବ ।

ଘରେ ରଖିଥିବା କଳା ଟଙ୍କାକୁ ବ୍ୟାଙ୍କରେ ଜମା କରିପାରିବେ । ଏଥିପାଇଁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ସୀମା ଦିଆଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଆପଣଙ୍କ ପାଖରେ ଥିବା କଳାଟଙ୍କାକୁ ସ୍ୱତଃପ୍ରବୃତ ଭାବେ ଘୋଷଣା ନକଲେ ୯୦% ଜୋରିମାନା ପଡିବ । ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏଭଳି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା କୁହାଯାଉଛି ।

ଏଥିପାଇଁ ମୋଦି ସରକାର ପ୍ରଚଳିତ ଆୟକର ଆଇନରେ ସଂଶୋଧନ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମ ଗୁଡିକ ରିପୋର୍ଟ କରିଛନ୍ତି । ପୂର୍ବରୁ ଅଘୋଷିତ କଳାଧନ ଧରାପଡିରେ ୨୦୦% ଜରିମାନା ଘୋଷଣା କରାଯାଇଥିଲା । ଦେଶରେ କଳାଧନ କାରବାର ରୋକିବାକୁ ୨୦୧୬-୧୭ ସାଧାରଣ ବଜେଟରେ ଏନେଇ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।

ଦେଶର ଗରିବ ଓ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ କେନ୍ଦ୍ର ସରକାର ବିମୁଦ୍ରାକରଣ ଘୋଷଣା କରିଥିବା କହିଛନ୍ତି । ତେଣୁ ୪ବର୍ଷର ଲକିଂ ପିରିୟଡରେ ଜମା ହୋଇଥିବା କଳାଟଙ୍କାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ କୋଷରେ ଜମା କରିବାକୁ ଯୋଜନା କରିଛନ୍ତି ମୋଦି ସରକାର । ଏହି ଅର୍ଥକୁ ଗ୍ରାମାଂଚଳର ବିକାଶ ପାଇଁ ବ୍ୟବହାର କରାଯିବ ।