ଟିମ୍ ଇଣ୍ଡିଆର ଗେରୁଆ ଜର୍ସିକୁ ନେଇ ଜୋର ଧରିଲା ରାଜନୀତି । ବିରୋଧ କଲେ କଂଗ୍ରେସ ଓ ସମାଜବାଦୀ ପାର୍ଟି, ସ୍ପଷ୍ଟୀକରଣ ଦେଲା ଆଇସିସି

861

ବିଶ୍ୱକପ ୨୦୧୯ରେ ଟିମ୍ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରୁଥିବା ବେଳେ ଏବେ ଏହାର ଜର୍ସିକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଇଂଲଣ୍ଡ ବିପକ୍ଷରେ ବିରାଟ ବାହିନୀ ଯେଉଁ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବ ତାହାକୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ବିରୋଧ କରିବା ଆରମ୍ଭ କରିଛନ୍ତି । କାରଣ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ବ୍ଲୁ ସହ ଗେରୁଆ ରଙ୍ଗର ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବ । ଆଉ ଭାରତର ଏହି ଜର୍ସି ପଛରେ ମୋଦି ସରକାରର ହାତ ଥିବା କହିଛି କଂଗ୍ରେସ ଓ ସମାଜବାଦୀ ପାର୍ଟି । ଏପରିକି କ୍ରିକେଟରେ ମଧ୍ୟ କେନ୍ଦ୍ର ସରକାର ଗେରୁଆ ରଙ୍ଗ ରାଜନୀତିକୁ ପୁରାଉଥିବା ଅଭିଯୋଗ କରିଛନ୍ତି ଉଭୟ ଦଳ ।

କଂଗ୍ରେସ ନେତା ନସୀମ ଖାନ କହିଛନ୍ତି, ମୋଦି ସରକାର ଯେବେଠୁ ଶାସନ କ୍ଷମତାକୁ ଆସିଛନ୍ତି ସେବେଠାରୁ ଗେରୁଆ ରଙ୍ଗକୁ ନେଇ ରାଜନୀତି ଆରମ୍ଭ ହୋଇଛି । ସେହିଭଳି ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ଏମଏ ଖାନ କହିଛନ୍ତି, ଏହି ସରକାର ପ୍ରତ୍ୟେକ ଜିନିଷକୁ ଅଲଗା ନଜରରେ ଦେଖିବା ସହ ଅନ୍ୟମାନଙ୍କୁ ମଧ୍ୟ ଦେଖାଇବାକୁ ପ୍ରୟାସ କରୁଛି । ସେହିଭଳି ସପା ନେତା ଅବୁ ଆସିମ ଆଜମୀ କହିଛନ୍ତି, ପ୍ରଧାନମନ୍ତ୍ରୀ ପୂରା ଦେଶକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିବାକୁ ଚାହୁଁଛନ୍ତି । ତ୍ରିରଙ୍ଗାରେ ଅନ୍ୟ ରଙ୍ଗ ମଧ୍ୟ ରହିଛି, କିନ୍ତୁ ଗେରୁଆ ରଙ୍ଗକୁ କାହିଁକି ବଛାଗଲା । ଟିମ୍ ଇଣ୍ଡିଆର ଜର୍ସି ଯଦି ତ୍ରିରଙ୍ଗା ରଙ୍ଗ ଭଳି ହୋଇଥାନ୍ତା ତେବେ ବେଶ ଭଲ ହୋଇଥାନ୍ତା ।

ତେବେ ଭାରତର ଏହି ଜର୍ସିକୁ ବିଜେପି ସମର୍ଥନ କରିଛି । ବିଜେପି ନେତା ରାମ କଦମ କହିଛନ୍ତି, ଗେରୁଆ ରଙ୍ଗକୁ ନେଇ ବିରୋଧୀ କାହିଁକି ସବୁବେଳେ ଆପତ୍ତି କରୁଛନ୍ତି । ଟିମ୍ ଇଣ୍ଡିଆର ଜର୍ସିକୁ ନେଇ ରାଜନୀତି ନ କରାଯାଉ । ଏହି ରଙ୍ଗ ରାଜନୀତିରୁ ଖେଳକୁ ଦୂରେଇ ରଖାଯାଉ ବୋଲି କହିଛନ୍ତି ବିଜେପି ନେତା ।

ଏସବୁ ଭିତରେ ଏହି ମାମଲାରେ ଆଇସିସି ସ୍ପଷ୍ଟୀକରଣ ଦେଇଛି । ବସିସିଆଇକୁ ଜର୍ସି ପାଇଁ ବିଭିନ୍ନ ରଙ୍ଗର ବିକଳ୍ପ ଦିଆଯାଇଥିଲା । କିନ୍ତୁ ଭାରତର ଜର୍ସି ସହ ଗେରୁଆ ରଙ୍ଗ ମ୍ୟାଚ କରୁଥିବାରୁ ଏହି ବିକଳ୍ପକୁ ବାଛିଥିଲା ବିସିସିଆଇ । ଏହି ନୂଆ ଜର୍ସିର ଡିଜାଇନ ଭାରତର ପୁରୁଣା ଟି-୨୦ ଜର୍ସି ସହ ମେଳ ଖାଉଛି । ଏଥିରେ ମଧ୍ୟ ସେତେବେଳେ ନାରଙ୍ଗୀ ରଙ୍ଗ ରହିଥିଲା । ଆଇସିସି କହିଛି ଏହି ଜର୍ସିକୁ ଡିଜାଇନ କରିଥିବା ଡିଜାଇନର ଏବେ ଆମେରିକାରେ । ନୂଆ ଜର୍ସିରେ ନୂଆ ରଙ୍ଗର ବ୍ୟବହାର କରାଯାଇନାହିଁ । ତେବେ ଇଂଲଣ୍ଡ ଖେଳାଳିଙ୍କ ଠାରୁ ଭିନ୍ନ ଦେଖାଯିବା ପାଇଁ ଜର୍ସିକୁ ଡିଜାଇନ କରାଯାଇଛି ।