ରାଉରକେଲା : ଖାଦ୍ୟ ସୁରକ୍ଷା ଅଧିକାରୀ ଚୌକି ପାଇଁ ଦୁଇ ମହିଳା ଅଫିସରଙ୍କ ମଧ୍ୟରେ ଟଣାଓଟରା

44

କନକ ବ୍ୟୁରୋ : ପଦବୀ ଏକ ଅଧିକାରୀ ଦୁଇ । ହେଲେ କାମ ଶୂନ । ରାଉକରେଲା ମହାନଗର ନିଗମର ଖାଦ୍ୟ ସୁରକ୍ଷା ଅଧିକାରୀ ପଦବୀକୁ ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ଲାଗିଛି ଟଣାଓଟରା । ଚୌକି ପାଇଁ ଚାଲିଛି ମ୍ୟୁଜିକ ଚେୟ୍ୟାର ଖେଳ । ଦୁଇ ଜଣ ଯାକ ଖାଦ୍ୟ ସୁରକ୍ଷା ଅଧିକାରୀ । ଜଣେ ନବ ନିଯୁକ୍ତ ଅଫିସର ସ୍ୱାଗତିକା ବେହେରା ଆଉ ଜଣେ ବଦଳି ଅର୍ଡର ପାଇଥିବା ଅଫିସର ରଶ୍ମୀ ଚୌଧୁରୀ ।

ଗୋଟିଏ ପଦବୀରେ ଦୁଇ ଜଣ ଅଧିକାରୀ ଥିବା ବେଳେ ଚୌକି ପାଇଁ ଲାଗିଛି ଟଣାଓଟରା । ଏ କାହାଣୀ ହେଉଛି ସ୍ମାଟ୍ ସିଟି ତାଲିକାରେ ସ୍ଥାନ ପାଇଥିବା ରାଉରକେଲା ମହାନଗର ନିଗମର । ସ୍ୱାଗତିକା ବେହେରା, ନବରଙ୍ଗପୁରରୁ ବଦଳି ହୋଇ ଜୁନ ୨୦ରୁ ଆରଏମସିରେ ନିଯୁକ୍ତି ପାଇଛନ୍ତି । ହେଲେ ଏଯାଏଁ ଦାୟିତ୍ୱ ଗ୍ରହଣ କରିନାହାନ୍ତି ।

କାରଣ ନବରଙ୍ଗପୁରକୁ ବଦଳ ହୋଇଥିବା ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମୀ ଚୌଧୁରୀ କୋର୍ଟ ଅର୍ଡର ଦେଖାଇ ଦାୟିତ୍ୱ ହସ୍ତାନ୍ତର କରିନାହାନ୍ତି । ସେପଟେ ରାଉରକେଲା ମହାନଗର ନିଗମ କମିଶନରଙ୍କ ନିର୍ଦ୍ଦେଶନାମାକୁ ଖୋଲା ଚ୍ୟାଲେଂଜ କହିଛନ୍ତି ବଦଳି ହୋଇଥିବା ଅଧିକାରୀ । କହିଛନ୍ତି କିଛି ଅଧିକାରୀଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣିବାରୁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବଦଳି କରାଯାଇଛି ।

ତେବେ ଦୁର୍ନୀତି ଅଭିଯୋଗର ତଦନ୍ତ ଜାରି ରହିଥିବା ବେଳେ ରାତି ଅଧିଆ ବଦଳ ଅର୍ଡର ବେଆଇନ୍ । ମ୍ୟୁଜିକ୍ ଚେୟ୍ୟାର ପାଲଟିଛି ଆରଏମସି ଖାଦ୍ୟ ସୁରକ୍ଷା ଅଧିକାରୀ ପଦବୀ । ଷ୍ଟିଲ ସିଟି ରାଉରକେଲା ମହାନଗର ନିଗମରେ ଖାଦ୍ୟ ସୁରକ୍ଷା ଅଧିକାରୀ ପଦବୀରେ ଥିବା ଦୁଇ ମହିଳା ଅଧିକାରୀଙ୍କ ବଦଳକୁ ନେଇ ଉପୁଜିଥିବା ବିବାଦକୁ ନେଇ ଉଭୟ ରାଉରକେଲା ଓ ନବରଙ୍ଗପୁରରେ ସମସ୍ୟା ସୃଷ୍ଟି ହୋଇଛି ।