ଡିସେମ୍ବର ପହିଲାରେ ପରଦାକୁ ଆସିବ ବିବାଦୀୟ ଫିଲ୍ମ ‘ପଦ୍ମାବତୀ’ ! ବ୍ରିଟେନରେ ରିଲିଜ ପାଇଁ ଅନୁମତି ଦେଲେ ବ୍ରିଟିସ୍ ବୋର୍ଡ ଅଫ ଫିଲ୍ମ କ୍ଲାସିଫିକେସନ

64

ପଦ୍ମାବତୀ ଫିଲ୍ମର ରିଲିଜ ଡିସେମ୍ବର ୧ ତାରିଖରେ ହେବ । ଫିଲ୍ମର ସିଙ୍ଗଲ ସଟଟିଏ ମଧ୍ୟ କଟାନଯାଇ ପରଦାରେ ପ୍ରଦର୍ଶିତ ହେବ । ହେଲେ ଏହା ଭାରତରେ ନୁହେଁ ବ୍ରିଟେନରେ ରିଲିଜ ହେବ । ଭାରତରେ ପଦ୍ମାବତୀକୁ ନେଇ ବିବାଦ ଲାଗି ରହିଛି । ହେଲେ ବ୍ରିଟେନ ସେନସର ବୋର୍ଡ ବିବିଏଫସି ପଦ୍ମାବତୀ ଫିଲ୍ମକୁ ରିଲିଜ ପାଇଁ ପ୍ରମାଣପତ୍ର ଦେଇଛନ୍ତି । ଫିଲ୍ମକୁ ଦେଖିବା ପରେ ବ୍ରିଟିଶ ବୋର୍ଡ ଅଫ ଫିଲ୍ମ କ୍ଲାସିଫିକେସନ ୧୨ ଏ ରେଟିଙ୍ଗ ସହ ସାର୍ଟିଫିକେଟ ଦେଇଛନ୍ତି ।

ତେଣୁ ୧୨ ବର୍ଷରୁ ଅଧିକ ବୟସ ପିଲାଙ୍କୁ ଫିଲ୍ମ ଦେଖାଇବାରେ କିଛି ଅସୁବିଧା ନାହିଁ । ବିବିଏଫସି ଅନୁସାରେ ୧୬୪ ମିନିଟର ଫିଲ୍ମ ପଦ୍ମବତୀ, ହିନ୍ଦି ଭାଷାର ଏପିକ ଡ୍ରାମା । ଏଥିରେ ଜଣେ ସୁଲତାନ ରାଜପୁତ ରାଣୀଙ୍କୁ ହାସଲ କରିବା ପାଇଁ ଆକ୍ରମଣର ନେତୃତ୍ୱ ନେଇଛି । ଅନ୍ୟପଟେ ଭାରତରେ ପଦ୍ମାବତୀ ଫିଲ୍ମକୁ ସେନସର ବୋର୍ଡ କୌଣସି ପ୍ରମାଣ ପତ୍ର ଦେଇ ନାହାନ୍ତି । ବୈଷୟିକ ତ୍ରୁଟି ଦେଖାଇ ସେନସର ବୋର୍ଡ ନିର୍ମାତା ପାଖକୁ ଫିଲ୍ମକୁ ଫେରାଇ ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ରିଲିଜକୁ ବିରୋଧ କରାଯାଉଥିବା ବେଳେ ରାଜସ୍ଥାନ, ମଧ୍ୟପ୍ରଦେଶ, ଉତରପ୍ରଦେଶ ମହାରାଷ୍ଟ୍ର ଓ ଗୁଜରାଟରେ ବ୍ୟାନ ଘୋଷଣା କରାଯାଇଛି ।

padmawati-movie-1ସେପଟେ ଦେଶରେ ବଢ଼ିବାରେ ଲାଗିଛି ପଦ୍ମାବତୀ ବିବାଦ । ନଭେମ୍ବର ୩୦ ତାରିଖରେ ସଂସଦୀୟ କମିଟି ସାମ୍ନାରେ ନିର୍ମାତା ସଂଜୟ ଲୀଲା ଭଂସାଲିଙ୍କୁ ହାଜିର ହେବାକୁ କୁହାଯାଇଛି । ସେପଟେ ହରିଆଣା କ୍ୟାବିନେଟ ବୈଠକରେ ମଧ୍ୟ ଏହାକୁ ବ୍ୟାନ କରିବାକୁ ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । ପୂର୍ବରୁ ଏହି ଘଟଣାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ସମାଲୋଚନା କରିଛନ୍ତି ଭଂସାଲିଙ୍କୁ । ଫିଲ୍ମ ବିରୁଦ୍ଧରେ ରାଜପୁତ ସମାଜ ଓ ଅନ୍ୟ ସଂଗଠନ ଆପତି ଉଠାଇଥିବାରୁ ଏହାର ରିଲିଜକୁ ନେଇ ଅନିଶ୍ଚିତତା ଦେଖିବାକୁ ମିଳିଛି । ଫିଲ୍ମ ଜରିଆରେ ରାଜପୁତ ଇତିହାସକୁ ବିକୃତ କରି ଦେଖାଇବାର ଅଭିଯୋଗ ହୋଇଛି ଯାହାକୁ ନେଇ ଜାରି ରହିଛି ବିବାଦ । ସେପଟେ ସେନସର ବୋର୍ଡ ଅଧ୍ୟକ୍ଷ ପ୍ରସୂନ ଯୋଶୀଙ୍କୁ ରିଲିଜ ସମ୍ପର୍କରେ ପଚାରିବାରୁ ସେ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ ।