ଜଗନ୍ନାଥଙ୍କ ପାଇଁ ପୁରୀରେ ହେଲା ଜନଶୁଣାଣି ! ବନ୍ଦ କଠୋରୀରେ ଜଣ ଜଣ କରି ମତ ନିଆଯିବାରୁ ସେବାୟତ କଲେ ବିରୋଧ ।

25

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ପ୍ରସ୍ତାବକୁ କିପରି କାର୍ଯ୍ୟକାରୀ କରାଯିବ, ଏ ନେଇ ସର୍ବସାଧାରଣଙ୍କ ମତ କ’ଣ ଜାଣିବା ପାଇଁ ଆଜି ପୁରୀରେ ହୋଇଥିଲା ଜନଶୁଣାଣି । ୩ ଜଣିଆ ବିଶେଷଜ୍ଞ କମିଟି ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନେଇଥିଲେ । ଅଗଷ୍ଟ ଶେଷ ସୁଦ୍ଧା ଏହି ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯିବ । ତେବେ କାହିଁକି ଜନଶୁଣାଣି ଏକାଠି ନକରି ଜଣକ ପରେ ଜଣକ ରୁଦ୍ଧଦ୍ୱାର ବୈଠକ କରାଯାଉଛି ବୋଲି ଆପତି ଉଠାଇଥିଲେ ସେବାୟତ । ସେବାୟତମାନେ ବିକ୍ଷୋଭ କରିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପୁରୀ ଜନଶୁଣାଣିରେ ଅସନ୍ତୋଷ । ଜନଶୁଣାଣି ପ୍ରକ୍ରିୟାକୁ ବିରୋଧ କଲେ ସେବାୟତ । ଶ୍ରୀମନ୍ଦିରରେ କିପରି ସଂସ୍କାର ଆସିବ, କିଭଳି ଶୃଙ୍ଖଳାରେ ସବୁକିଛି ବ୍ୟବସ୍ଥା ହେବ, ଏ ନେଇ ପୁରୀରେ ବିଶେଷଜ୍ଞ କମିଟି ଜନଶୁଣାଣି କଲେ ସତ, ହେଲେ ଏହା ବିଶେଷ କିଛି ସଫଳ ହେଲାନାହିଁ । କାରଣ ଜନଶୁଣାଣି ପ୍ରକ୍ରିୟାକୁ ବିରୋଧ କରିଥିଲେ ସେବାୟତ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ୩ଜଣିଆ ବିଶେଷଜ୍ଞ କମିଟି ଶ୍ରୀମନ୍ଦିର ସଂସ୍କାର ନେଇ ସାଧାରଣ ଲୋକ ଓ ସେବାୟତଙ୍କ ମତ କଣ ଜାଣିବାକୁ ଚାହିଁଥିଲେ । ସେବାୟତ, ଆଇନଜୀବୀଙ୍କ ଠାରୁ ଆରମ୍ଭ କରି ଅନେକ ଲୋକ ଏହି ଜନଶୁଣାଣିରେ ମତ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ଅଫିସରେ ପହଁଚିଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୋଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ମହିମୋହନ ତ୍ରିପାଠୀ ଜଣକ ପରେ ଜଣକୁ ଡାକି ରୁଦ୍ଧଦ୍ୱାର ଆଲୋଚନା କରିଥିଲେ । ତେବେ ଜନଶୁଣାଣି ହେଉଥିବା ବେଳେ ବ୍ୟକ୍ତିଗତ ଭାବେ ଡାକି କାହିଁକି ଆଲୋଚନା କରୁଛନ୍ତି ବୋଲି ସେବାୟତମାନେ ପ୍ରଶ୍ନ ଉଠାଇ ବିକ୍ଷୋଭ କରିଥିଲେ ।

ଶ୍ରୀମନ୍ଦିରରେ ହେଉଥିବା ବିଶୃଙ୍ଖଳା ପାଇଁ ପ୍ରଶାସନକୁ ଦାୟୀ କରିଥିଲେ ସେବାୟତ । ୧୦ ସୂତ୍ରୀ ଦାବି ପତ୍ର ମଧ୍ୟ ବିଶେଷଜ୍ଞ କମିଟିକୁ ଦେଇଥିଲେ । ଏକାଠି ଜନଶୁଣାଣୀ କରିବାକୁ ଚାହୁଁଥିଲେ ସେବାୟତ, କାରଣ ୱାନ ଟୁ ୱାନ ଆଲୋଚନାରେ ସେମାନଙ୍କ ବିରୋଧରେ ଅନେକ ମତ ଦେବାର ଆଶଙ୍କା ରହିଛି ସେବାୟତଙ୍କ ମନରେ ।

ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବା ବନ୍ଦ, ଦାନ ଉପରେ କଟକଣା, ରୋଷ ଘରକୁ ଶ୍ରୀମନ୍ଦିର ପ୍ରଶାସନ ନିଜ କର୍ତୃତ୍ୱକୁ ଆଣିବା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଭଳି ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସଂସ୍କାର ଆଣିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବାଦବିବାଦ ଲାଗିରହିଥିବା ବେଳେ ଆଜି ଜନଶୁଣାଣି କରାଯାଇଥିଲା । ଲୋକଙ୍କ ମତାମତ ଗ୍ରହଣ କରିବା ପରେ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ ବିଶେଷଜ୍ଞ କମିଟି । ଗୋଟିଏ ପଟେ ଶ୍ରୀମନ୍ଦିର ସଂସ୍କାର ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଜୋରଦାର ଉଦ୍ୟମ କରୁଛି ପ୍ରଶାସନ, ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗରେ ସେବାୟତଙ୍କର ଏ ନେଇ ରହିଛି ଆପତି ।