ଆଇଏଏସ ଅଫିସରଙ୍କ ବିବାଦୀୟ ଟ୍ୱିଟ୍ । ନୋଟରୁ ଗାନ୍ଧୀଜିଙ୍କ ଫଟୋ ହଟାଇବାକୁ କଲେ ଦାବି, ଗଡସେଙ୍କୁ ଦେଲେ ଧନ୍ୟବାଦ୍ ।

1,300

ନୋଟରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇବାକୁ କହି ବିବାଦ ଘେରକୁ ଆସିଛନ୍ତି ମହିଳା ଆଇଏଏସ ଅଫିସର ନିଧି ଚୌଧୁରୀ । ଟ୍ୱିଟ କରି ନିଧି ଲେଖିଛନ୍ତି ଯେ, ଆମେ ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଛୁ । ନୋଟରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇବା ପାଇଁ ଏହା ହେଉଛି ଠିକ୍ ସମୟ । ପୂରା ବିଶ୍ୱରୁ ଗାନ୍ଧୀଙ୍କ ମୂର୍ତ୍ତିକୁ ହଟାଇ ଦିଆଯାଉ । ଏପରିକି ତାଙ୍କ ନାମରେ ରଖାଯାଇଥିବା ସଂସ୍ଥା ଓ ସଡକ ଗୁଡିକର ମଧ୍ୟ ନାଁ ବଦଳାଇବା ଦରକାର । ଏହା ହିଁ ଗାନ୍ଧୀଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ । ୩୦ ଜାନୁଆରୀ ୧୯୪୮ ଘଟଣା ପାଇଁ ଗଡସେଙ୍କୁ ଧନ୍ୟବାଦ । ଆଉ ଏଭଳି ଟ୍ୱିଟ୍ ପାଇଁ ଏବେ ବିବାଦ ଘେରକୁ ଆସିଛନ୍ତି ନିଧି ।

୨୦୧୨ ବ୍ୟାଚର ଆଇଏଏସ ଅଫିସର ନିଧି ଏବେ ବିଏମସିରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଏହି ବିବାଦୀୟ ବୟାନ ପରେ, ଏନସିପି ପକ୍ଷରୁ କଡା ପଦକ୍ଷେପ ନେବାକୁ ଦାବି କରାଯାଇଛି । ଏପରିକି ତାଙ୍କୁ ଚାକିରିରୁ ନିଲମ୍ବିତ କରିବାକୁ ମଧ୍ୟ ଦାବି କରିଛି ଏନସିପି । ଏପରିକି ନାଥୁରାମ ଗଡସେଙ୍କୁ ପ୍ରଂଶସା କରିଥିବାରୁ ଏହାକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ ବୋଲି କହିଛି ଏନସିପି ।

ଏଭଳି ବିବାଦୀୟ ସ୍ଥିତି ଉପୁଜିବା ପରେ ନିଧି ଚୌଧୁରୀ ଟ୍ୱିଟ୍ ହଟାଇ ଦେଇଛନ୍ତି । ଏହାସହ କହିଛନ୍ତି, ମୋ ଟ୍ୱିଟକୁ ନେଇ କିଛି ଲୋକ ଭୁଲ ବୁଝୁଛନ୍ତି । କିନ୍ତୁ ଯଦି ୨୦୧୧ରୁ ମୋ ଟାଇମଲାଇନ ଦେଖିବେ ତେବେ ଜାଣିପାରିବେ ଯେ ଗାନ୍ଧୀଙ୍କୁ ମୁଁ କେତେ ସମ୍ମାନ କରେ । ତାଙ୍କୁ ଅନାଦାର କରିବା କଥା କେବେ ସ୍ୱପ୍ନରେ ସୁଦ୍ଧା ଭାବିପାରିବି ନାହିଁ । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାଙ୍କୁ ଏଭଳି ସମ୍ମାନ ଓ ଶ୍ରଦ୍ଧା କରୁଥିବି ବୋଲି ନିଜ ଟ୍ୱିଟର ଟାଇମଲାଇନରେ ଉଲ୍ଲେଖ କରିଛନ୍ତି ନିଧି ।