ଦାମୋଦରଙ୍କ ଦମଦାର ବୟାନ । ବର୍ତ୍ତମାନରୁ ଇତିହାସ ଯାଏଁ, ଦାମ ଦେଇଥିବା ବିବାଦୀୟ ବୟାନ, ଯାହା ରାଜନୀତିରେ ହୋଇଛି ସୁପରହିଟ୍ ।

135

କନକ ବ୍ୟୁରୋ: ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । ଦୀର୍ଘଦିନର ରାଜନୈତିକ ଅଭିଜ୍ଞତା । ବିଜୁ ଅମଳର ନେତା । ବହୁବାର ମନ୍ତ୍ରୀ ରହିଥିବା ଏହି ନେତାଙ୍କର ରାଜନୈତିକ ଦୃଶ୍ୟପଟ୍ଟରେ ଢେର କାଟତି । ହେଲେ ଅନେକ ବାର ବିବାଦୀୟ ବୟାନ ତାଙ୍କୁ ବିତର୍କିତ କରିଛି । ଦଳର ମୁଖିଆ କେତେବେଳେ ବିରକ୍ତ ହୋଇଛନ୍ତି ତ କେତେବେଳେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ବିରୋଧୀ ଏହାକୁ ମୁଖ୍ୟ ମୁଦ୍ଦା କରିଛନ୍ତି, ଗଣମାଧ୍ୟମରେ ବହୁବାର ବିତର୍କ ମଧ୍ୟ ହୋଇଛି । ହେଲେ ଏହାର ପ୍ରଭାବ ଡାକ୍ତର ରାଉତଙ୍କ ଉପରେ ବିଲକୁଲ ଶୁନ । ଏବେ ନଜର ପକାନ୍ତୁ ଡାକ୍ତର ଦାମୋଦର ରଉତଙ୍କ କିଛି ବିବାଦୀୟ ବୟାନ ଯାହା ରାଜନୈତିକ ପାଣିପାଗରେ ଝଡ ଆଣିଥିଲା ।

(ଚାଷୀ ଔରସରୁ ମୋର ଜନ୍ମ):

DAMOକିଛି ଦିନ ତଳେ ବାହାଡଝୋଲା ଯାଇଥିଲି । ସେଠି ୧୦ ହଜାର କୃଷକ ଥିଲେ ଯେଉଁଥିରେ ୩ ହଜାର ମହିଳା ସାମିଲ ହୋଇଥିଲେ । ମୁଁ ଗୋଟେ ଚାଷୀର ଔରସରୁ ଚାଷୁଣୀର ଗର୍ଭରୁ ଜାତ ହୋଇଛି । ଆଉ ଯେଉଁମାନେ ବେପାରୀଙ୍କ ଔରସରୁ ବେପାରୀଙ୍କ ଗର୍ଭରୁ ଜାତ ହୋଇଛନ୍ତି, ସେମାନେ ଚାଷୀଙ୍କ ମର୍ମ ବେଦନା ବୁଝିବେ କେଉଁଠୁ । ମୁଁ କୃଷିମନ୍ତ୍ରୀ ଅଛି, ମୋ ସହ କେହି ଭେଟି ଆଲୋଚନା କରୁନାହାନ୍ତି । ବିଜେପିର ସଚିବାଳୟ ଚାଲ ଅଭିଯାନ ପରିପ୍ରେକ୍ଷୀରେ ଏହି ବୟାନ ରଖିଥିଲେ କୃଷିମନ୍ତ୍ରୀ ଦାମୋଦର ରାଉତ । ଠିକ ଯେମିତି ଅତୀତରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ବାଏଁ ବାଏଁ ଉଡେଇ ଦେଇଥିଲେ ଦାମ ବାବୁ, ଠିକ ସେଭଳି ନିଜ ବିବାଦୀୟ ବୟାନ ଜରିଆରେ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରୁ ନଜର ହଟାଇବାର ତରିକା ବୁଝିଗଲେଣି ଏହି ଅଭିଜ୍ଞ ମନ୍ତ୍ରୀ ।

(ଜୟୀ ରାଜଗୁରୁ ଉପାଖ୍ୟାନ):

DAMA JAYRAJGURUବର୍ତ୍ତମାନକୁ ବୁଝିବାରେ ଅସମର୍ଥ ଥିବା ଅବା ବୁଝିବାକୁ ଚାହୁଁନଥିବା କୃଷିମନ୍ତ୍ରୀ ଅତୀତର ଉପାଖ୍ୟାନକୁ କିନ୍ତୁ ଘାଂଟିବାରେ ବେଶ ବ୍ୟସ୍ତ । ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମକୁ ନେଇ ଟଣାଓଟରା ଚାଲିଥିବା ବେଳେ ଦାମ ବାବୁ ଦେଇଥିଲେ ଆଉ ଏକ ବିବାଦୀୟ ବୟାନ । କଥା ଛଳରେ ବୁଝାଇବାକୁ ଚେଷ୍ଟା କରିଥିଲେ, ଜୟୀ ରାଜଗୁରୁ ନିଜ ସ୍ୱାର୍ଥ ପାଇଁ ଇଂରେଜଙ୍କ ବିରୋଧରେ ଲଢେଇ କରିଥିଲେ । ଦାମ ବାବୁ କହିଥିଲେ, ଜୟୀ ରାଜଗୁରୁଙ୍କୁ ଆମେ ସ୍ୱାଧୀନତା ସଂଗ୍ରାମୀ କହିବାନି । କାରଣ, ସେ ବ୍ରିଟିଶର ମାନଙ୍କ ବିରୋଧରେ ବିଦ୍ରୋହ କରିନଥିଲେ ସ୍ୱାଧୀନତା ପାଇଁ, ସେ ବିଦ୍ରୋହ କରିଥିଲେ ତାଙ୍କ କଥା ରଖିଲେନି ପ୍ରତିଶ୍ରୁତି ଭାଙ୍ଗିଲେ, ସୁଚ୍ୟଗ୍ରେ ମେଦିନୀ ଦେବି ବୋଲି କହିବା ପରେ ସେ ମୁହଁ ଫିଟାଇଥିଲେ ।

(ସ୍ୱାମୀ ଛାଡି ଅଙ୍ଗନବାଡି):

DAMA ROUT୨୦୧୯ ମସିହାରେ ଯଦି ଆମେ ୧୨୫ ଆସନରେ ନଜିତିବୁ ତେବେ ଆମେ ବିଜୁ ପଟ୍ଟନାୟକଙ୍କର ଯୋଗ୍ୟ ସନ୍ତାନ କେବେ ହୋଇପାରିବୁ ନାହିଁ । ଏହା ଆମେ ଅଲବତ କରିବୁ, ମୁଁ ଏବେ ବୁଲିବା ଆରମ୍ଭ କଲିଣି । ଜଣେ ବିଜେପି ନେତ୍ରୀ କିଏ ଅଛି, ସ୍ୱାମୀ ଛାଡି ଅଙ୍ଗନବାଡି । କହିଲେ, ନବୀନ ପଟ୍ଟନାୟକ ଧ୍ରୁତରାଷ୍ଟ୍ର, ଦାମ ରାଉତ ଶ୍ରୀଖଣ୍ଡି । ମୁଁ କହିଲି, କେଉଁ ମହାଭାରତ ପଢିଛ କି? ନବୀନ ପଟ୍ଟନାୟକ ଧ୍ରୁତରାଷ୍ଟ୍ର ନୁହଁ, ସେ ହେଉଛନ୍ତି ଯୁଧିଷ୍ଠିର । ମୁଁ ତାଙ୍କ ସଖା ଅର୍ଜୁନ ।
ଦାମ ବାବୁଙ୍କ ଏହି କେଇପଦ କଥା ଢେର ବିବାଦ ସୃଷ୍ଟି କରିଥିଲା । ବିଜେପି ଏହାକୁ ନେଇ ଆନ୍ଦୋଳନ କରିବାକୁ ଅଂଟା ଭିଡିଲା । ଏପରିକି ଦାମ ବାବୁଙ୍କ ଘରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ଏହି ବୟାନକୁ ନାପସନ୍ଦ ମଧ୍ୟ କରିଥିଲେ । ଢେର ବିବାଦ ପରେ ଦାମ ବାବୁ ଶେଷରେ ଦୁଖ ପ୍ରକାଶ କରିଥିଲେ । ଦୁଖ ପ୍ରକାଶ କରି ମନ୍ତ୍ରୀ ମୋବାଇଲ ଭିଡିଓ ଯୋଗେ କହିଥିଲେ, ପ୍ରଚଳିତ ଲୋକକଥାକୁ ଉଦାହରଣ ଭାବେ ଦେବାରୁ ଭୁଲ ବୁଝାମଣା ସୃଷ୍ଟି ହୋଇଛି । ମୋ କଥାକୁ ତିଳରୁ ତାଳ କରି ଯେଉଁ ସ୍ଥିତି ସୃଷ୍ଟି କରାଯାଉଛି ସେଥିପାଇଁ ମର୍ମାହତ । ମୋର ବକ୍ତବ୍ୟ ଯଦି କାହା ମନରେ ଦୁଃଖ ଦେଇଥାଏ ସେଥିପାଇଁ ମୁଁ ଦୁଖ ପ୍ରକାଶ କରୁଛି ।

(ଶ୍ରୀଖଣ୍ଡି ପ୍ରସଙ୍ଗରେ ବୟାନବାଜି):

dama controversyବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ନବୀନ ପଟ୍ଟନାୟକଙ୍କୁ ଧ୍ରୁତରାଷ୍ଟ୍ର ଆଉ ଦାମବାବୁଙ୍କୁ ଶ୍ରୀଖଣ୍ଡି କହିବା ପରେ ସେ ଏହାର ଜବରଦସ୍ତ ପ୍ରତିକ୍ରିୟା ରଖିଥିଲେ । କହିଥିଲେ, ଧ୍ରୁତରାଷ୍ଟ୍ର ଅନ୍ଧ ଥିଲେ । ଦୁର୍ଯୋଧନ ଆଉ ତାଙ୍କର ୧୦୦ ଭାଇ ପ୍ରବଳ ପ୍ରତାପୀ ଥିଲେ ଆଉ ଅନ୍ୟାୟ କରୁଥିଲେ । ଆଉ ନବୀନ ପଟ୍ଟନାୟକଙ୍କୁ ଯଦି ଧ୍ରୁତରାଷ୍ଟ୍ର କହୁଛନ୍ତି, ତେବେ ତାଙ୍କର ଯେଉଁମାନେ ସହଯୋଗୀ ଅଛନ୍ତି ସେମାନେ ଅତ୍ୟାଚାରୀ ନୁହଁନ୍ତି, ସେମାନେ ରାଜ୍ୟର ସେବା କରୁଛନ୍ତି ୧୭ ବର୍ଷ ଧରି । ସେବା କରୁଛନ୍ତି ବୋଲି ରେକର୍ଡ ବ୍ରେକ କରି ନବୀନ ପଟ୍ଟନାୟକଙ୍କୁ ଲଗାତର ସରକାରରେ ରଖୁଛନ୍ତି, ତାଙ୍କୁ କାହିଁକି ରଖୁନାହାନ୍ତି? ଗୋଟେ ପଟେ ମତେ ଶ୍ରୀଖଣ୍ଡି କହୁଛନ୍ତି ଆଉ ଅନ୍ୟପଟେ କହୁଛନ୍ତି ସେ ଜଣେ ସ୍ୱାଭିମାନୀ ନେତା ଭାବେ ସରକାରଙ୍କୁ ଘଂଟ ଘୋଡାଉଛନ୍ତି । ଏଭଳି ଦୁଇପ୍ରକାରର କଥା କଣ ପାଇଁ? ବିଜେପିର ଯେଉଁମାନେ ମୁଖପାତ୍ର କହୁଛନ୍ତି, ସେମାନଙ୍କ ଜୀବନରେ ସେମାନେ କେଉଁଠି ସରପଂଚ ବା ୱାର୍ଡମେମ୍ବର ହୋଇନାହାନ୍ତି ଏବଂ ତାଙ୍କ ପଛରେ ଅନେକ ଘଟଣା ରହିଛି । ସେମାନେ ଯେଉଁପ୍ରକାରର ଭାଷା କହୁଛନ୍ତି ଏଥିପାଇଁ ଦୁଖ ଲାଗୁଛି ଆଉ ସେମାନଙ୍କ ଉପରେ ଦାୟା ମଧ୍ୟ ଆସୁଛି ।

(କ୍ଷେତ ପୋଡିଲେ ଲକ୍ଷ୍ମୀ ଛାଡିଯିବେ): 

cropଧାନ କିଆରିରେ ନିଆଁ ଲଗାଇବା ଆଉ ଆତ୍ମହତ୍ୟା କରିବା ଆମର ପରମ୍ପରା ନୁହେଁ । ପୋକ ଖାଇଯାଇଥିବା ଧାନକ୍ଷେତରେ ଯେଉଁମାନେ ନିଆଁ ଲଗାଇ ପୋଡୁଛନ୍ତି ସେମାନେ ଲକ୍ଷ୍ମୀଛଡା ହୋଇଯିବେ । ମୁଁ ରାଜନୈତିକ ଲୋକ ହିସାବରେ କହୁନି, ଜଣେ ଚାଷୀ ପରିବାରର ବ୍ୟକ୍ତି ଭାବେ କହୁଛି । ସେଇମାନଙ୍କୁ ନିବେଦନ କରୁଛି, ଲକ୍ଷ୍ମୀ ଠାକୁରାଣୀଙ୍କ ଦେହରେ ନିଆଁ ଲଗାନ୍ତୁନି ଆମେ ଲକ୍ଷ୍ମୀଛଡା ହୋଇଯିବା । ହଜାର ହଜାର ବର୍ଷର କୃଷି ପରମ୍ପରା । ଆଗରୁ ସରକାର ନଥିଲା । ବାତ୍ୟା, ବନ୍ୟ. ମରୁଡି ଓ ପୋକ ଆକ୍ରମଣ ହେଉଥିଲା । ସରକାର ଏବେ ଅଛି । ନୈତିକ ଦାୟିତ୍ୱ ଭାବେ ସରକାର ଚାଷୀଙ୍କୁ ସହାୟତା ଦେଉଛନ୍ତି । ନବୀନ ସରକାର ଏବାବଦରେ ସଚେତନ ମଧ୍ୟ ଅଛନ୍ତି । ଧାନ କ୍ଷେତରେ ଥିଲେ ସିନା ଜାଣିବ କେତେ କ୍ଷତି ହୋଇଛି, ନହେଲେ କେମିତି ଜାଣିବ । ସରକାର ଋଣ ଦେଉଥିବା ବେଳେ ଚାଷୀ କାହିଁକି ହାତ ଉଧାରି ନେଉଛି? ବୃନ୍ଦା ସାହୁ ହେଉ କି ଯିଏ ହେଉ, କ୍ଷେତ ପୋଡିଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ ନାହିଁ ।

କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ଏହି ବୟାନ ପରେ ବିବାଦ ଜୋର ଧରିଥିଲା । ଚାଷୀ ବେଶ ପ୍ରତିକ୍ରିୟାଶୀଳ ହୋଇଥିଲେ । ସବୁସ୍ତରରେ ଉଠିଥିଲା ପ୍ରତିବାଦର ସ୍ୱର । ସ୍ଥିତି ଏମିତି ହୋଇଥିଲା ଯେ, କୃଷିମନ୍ତ୍ରୀଙ୍କ ବାହାରେ ସରକାରୀ ସ୍ତରରେ ପୁରା ଅଲଗା କଥା କୁହାଗଲା । ନିଆଁ ଲଗାଇଥିବା ଚାଷୀଙ୍କୁ ମଧ୍ୟ କ୍ଷତିପୂରଣ ମିଳିବ ବୋଲି ସରକାର ଘୋଷଣା କଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କୃଷି କ୍ୟାବିନେଟ ବୈଠକ ପରେ ଚାଲିଥିବା ପ୍ରେସ ବ୍ରିଫିଂରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ଦାମ ବାବୁଙ୍କ ଠାରୁ ମାଇକ ଆଣି ଘୋଷଣା କରିଥିଲେ, ନିଆଁ ଲଗାଇଥିବା ଚାଷୀଙ୍କୁ ମଧ୍ୟ କ୍ଷତିପୂରଣ ମିଳିବ ।

(କଂଗ୍ରେସ ସହ ମେଂଟ):

congress bjdକଂଗ୍ରେସ ସହ ବିଜେଡିର ମେଂଟକୁ ନେଇ ମଧ୍ୟ ଦାମ ଛାଡିଥିଲେ ଗୁଗଲି । କହିଥିଲେ, ୨୦୦୯ ଠାରୁ ବିଜୁ ଜନତା ଦଳ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୁରତ୍ୱ ରଖିଆସୁଛି । କଂଗ୍ରେସ ହେଲା ମୁଖ୍ୟ ବିରୋଧୀ ଦଳ ୨୦୦୦ ମସିହା ବେଳକୁ । କଂଗ୍ରେସ ଦଳର କନ୍ଦଳ କଣ ଅଛି, ସମସ୍ତେ ଜାଣିଛନ୍ତି । ତଥାପି ସେମାନେ ଜାତୀୟ ଦଳ । ସେହି ଜାତୀୟ ଦଳ ଯଦି ଭାରତୀୟ ଜନତା ପାର୍ଟିର ସାମ୍ପ୍ରଦାୟିକ ପ୍ରସାରକୁ ରୋକ ଲଗାଇବାକୁ ଆମ ସହ ସାମିଲ ହୁଅନ୍ତି, ତେବେ ଆମେ ସ୍ୱାଗତ କରିବୁ । ଖାଲି ଏତିକି ନୁହେଁ ଦାମ ବାବୁ ଆହୁରି ମଧ୍ୟ କହିଥିଲେ, କଂଗ୍ରେସ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କେଉଁ ଆସନରେ ଜିତିବେ ତାର ଏକ ତାଲିକା ଦିଅନ୍ତୁ । ଯାହାକୁ ନେଇ ରାଜନୈତିକ ସ୍ତରରେ ସମୀକ୍ଷା ଆରମ୍ଭ ହେଲା ।

ବିବାଦ ବଢିଥିଲା, ଆଉ ଦାମବାବୁ ନିଜ ବକ୍ତବ୍ୟକୁ ବଦଳାଇଥିଲେ । ଗଣମାଧ୍ୟମକୁ କହିଥିଲେ, ମୁଁ ମେଂଟ ହେବା କଥା କହୁନାହିଁ । ଏବାବଦରେ ତ ଦଳର ସଭାପତି ନିଷ୍ପତ୍ତି ନେବେ । ଆମେ ନିରାପଦ ଅବସ୍ଥାରେ ଅଛୁ । ୧୧୭ ଆସନରେ ଅଛୁ, ୨୦ ଲୋକସଭା ଆସନରେ ଜିତିଛୁ । ତାଙ୍କ ସହ ମେଂଟର ଆବଶ୍ୟକତା କଣ ଅଛି । ତେବେ ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ସାରା ଭାରତ ବର୍ଷରେ ଯାହା ହେବ, ସେତେବେଳେ କଣ କରାଯିବ ସେନେଇ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭ୍ରାନ୍ତ ସୃଷ୍ଟି କରିବାକୁ ଭୁଲ ଅର୍ଥରେ ତାଙ୍କ ବକ୍ତବ୍ୟକୁ ଉପସ୍ଥାପନ କରାଯାଉଛି. ମୋର ରାଜନୈତିକ ପ୍ରବେଶ ହେଉଛି ଅଣ କଂଗ୍ରେସ ରାଜନୀତିରୁ । ଦାମ ବାବୁଙ୍କ ଏହି ବକ୍ତବ୍ୟ ସେତେବେଳେ ଆସିଲା ଯେତେବେଳେ ନବୀନ ଟ୍ୱିଟ କରି କହିଥିଲେ, ଉଭୟ ୟୁପିଏ ଓ ଏନଡିଏ ଠାରୁ ବିଜୁ ଜନତା ଦଳ ସମଦୁରତ୍ୱ ଅବଲମ୍ବନ କରୁଛି ।

(ଧର୍ମେନ୍ଦ୍ରଙ୍କ ଯୋଗ୍ୟତା ନାହିଁ) :

Dama and dharmendraକୃଷି ମୋର ବୃତ୍ତି, ଜଗନ୍ନାଥ ସସ୍କୃତି ହେଉଛି ମୋର ସଂସ୍କୃତି । ଭୋଟ ପାଇଁ ମୋର ସଂସ୍କୃତି ଆଉ ବୁନିୟାଦକୁ ମୁଁ ନଷ୍ଟ କରିପାରିବି ନାହିଁ । ଡିବିଟି ପ୍ରସଙ୍ଗରେ କହିଥିଲେ, ମଗଧର ଚଣ୍ଡାଷୋକ ଏଠି ଧର୍ମାଶୋକ ହୋଇ ଯାଇଥିଲା, ଏହା ହେଉଛି କଳିଙ୍ଗ । ହେଲେ ଧର୍ମ ନାଁ ନେଇ ଯିଏ ମଗଧ ଯାଉଛନ୍ତି ସେ ଚଣ୍ଡାଶୋକ ହେବା ବଦଳରେ କଣ ଆଉ କିଛି ହୋଇପାରିବେ । ନିଜ ବୁନିୟାଦକୁ ଯିଏ ଭୁଲିଯାଆନ୍ତି ତାଙ୍କୁ ବିଜେପି କୁହନ୍ତି । କେନ୍ଦ୍ରମନ୍ତ୍ରୀ ହେବାକୁ ଧର୍ମେନ୍ଦ୍ରଙ୍କର ଯୋଗ୍ୟଥା ନାହିଁ ।

(ସରକାରକୁ ମୁଁ ସାହା) :

dama-naveenକୃଷି କ୍ୟାବିନେଟର ବୈଠକ ପରେ ବେଶ ରୋଚକ ସ୍ଥିତି ଦେଖିବାକୁ ମିଳିଥିଲା । ପ୍ରେସ ବ୍ରିଫିଂ ସରିବା ପରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ କୃଷିମନ୍ତ୍ରୀ ଦାମୋଦର ରାଉତ କହିଥିଲେ, ତମେମାନେ କେହି ଡରନାହିଁ, ମୁଁ ଅଛି । ତମ ସରକାରକୁ ସୁରକ୍ଷା ଦେବା ଦାୟିତ୍ୱ କେବଳ ମୋର, ଆଉ କାହାର ନାହିଁ । ସେହିଭଳି ଏହାର କିଛି ସମୟ ଆଗରୁ ଦାମ ବାବୁ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖୁଥାନ୍ତି, ଆଉ ଏହି ସମୟରେ ମହେଶ୍ୱର ମହାନ୍ତି କହିଲେ, ଦାମ ବାବୁ ଏଇଠୁ ଉଠ, ଗଣମାଧ୍ୟମ ତମ ମୁହଁରୁ କିଛି ଗୋଳମାଳିଆ କଥା ଶୁଣିବାକୁ ଚାହୁଁଛନ୍ତି । ଦାମ ବାବୁ କହିଥିଲ, ମୁଁ ଗୋଳମାଳିଆ କଥା କହିବି ଆଉ ତମ ସମସ୍ତଙ୍କୁ ଧରାପକାଇବି । ଯାହା ବେଶ ରୋଚକ ସ୍ଥିତି ସୃଷ୍ଟି କରିଥିଲା ।

ଦାମ ବାବୁ ଜଣେ ଅଭିଜ୍ଞ ରାଜନେତା । ଅନେକ ସମୟରେ ଦଳକୁ ବିପଦରୁ ଉଦ୍ଧାର କରିଛନ୍ତି । ହେଲେ ଅନେକ ସମୟରେ ବିବାଦୀୟ ବୟାନ ଦେଇ ଦଳକୁ ଅଡୁଆରେ ମଧ୍ୟ ପକାଇଛନ୍ତି । ସେଯାହା ବି ହେଉ, ଦାମ ବାବୁଙ୍କ ତୁଣ୍ଡ କିନ୍ତୁ ଗଣମାଧ୍ୟମର ସବୁଠାରୁ ଅଧିକ ପସନ୍ଦ । ସାମ୍ବାଦିକଙ୍କୁ ଯେତେ କଟୁ କଥା କହିଲେ ବି ସାମ୍ବାଦିକମାନେ ଦାମବାବୁଙ୍କ ବୟାନ ନେବାକୁ ଆଗଭର । କାହିଁକିନା ଦାମ ବାବୁ ମୁହଁ ଖୋଲିଲେ ଖବର ତିଆରି ହୁଏ, ଆଉ ରାଜନୀତିରେ ଝଡ ବହେ ।