ଧରାପଡିଗଲା ଭିଜିଲାନ୍ସର ମଧୁଚନ୍ଦ୍ରିକା ! ଜେଇଙ୍କୁ ଫଶେଇବାକୁ ଠିକାଦାର ସହ ମିଶି ରଚିଥିଲେ ବ୍ଲୁ-ପ୍ରିଂଟ

60

କନକ ବ୍ୟୁରୋ : ଜେଇଙ୍କ ଚାମ୍ବରରେ ଠିକାଦାରଙ୍କ ଗୁଣ୍ଡାରାଜ । କେତେବେଳେ ଚାପୁଡା ତ କେତେବେଳେ ଧକିଆ । କଥା କଥାକେ ଆଙ୍ଗୁଳି ଦେଖାଇ ମାଡ ଧମକ । ଏତିକିରେ ଥମିନି ଗୁଣ୍ଡାଗର୍ଦି । ଲୁହା ରଡରେ ବି ମାରିବାକୁ ପଛାଉ ନାହାଁନ୍ତି । ଆଉ ପାଖରେ ଅଛନ୍ତି ରାଜ୍ୟ ସରକାରଙ୍କ ଭିଜିଲାନ୍ସ ଟିମ୍ । ସିସିଟିଭି କ୍ୟାମେରାରେ କଏଦ ହୋଇଛି ଏଭଳି ଦୃଶ୍ୟ ।

ତେବେ କଣ ଥିଲା ପୁରା ଘଟଣା । କଣ ଘଟିଥିଲା ଜେଇଙ୍କ ଚାମ୍ବରରେ । ୨୪ ମାର୍ଚ୍ଚ, ସନ୍ଧ୍ୟା ପ୍ରାୟ ୫ ଟା ୪୫ । କାମାକ୍ଷାନଗର ଏନ୍ଏସିରେ କାର୍ଯ୍ୟରତ ଜୁନିଅର୍ ଇଂଜିନିୟର ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ଅଫିସରେ ରେଡ୍ ମାରିଥିଲା ଭିଜିଲାନ୍ସ ଟିମ୍ । ସାଙ୍ଗରେ ଥିଲେ ସେଠାକାର ଡି-କ୍ଲାସ୍ କଂଟ୍ରାକ୍ଟର ସୁରେଶ ନାୟକ । ବାବୁଙ୍କ ଭଳି ଚେୟାରରେ ବସିଗଲେ ଠିକାଦାର । ଆଉ ଅଫିସ ଚାମ୍ବରରେ ଛାନଭିନ୍ ଆରମ୍ଭ କଲେ ଭିଜିଲାନ୍ସ ଟିମ୍ । ଜେଇଙ୍କ ଆଲମାରି, ଡ୍ରୟାର, ଟେବୁଲରେ ଟିକନିଖ୍ କରି ତନଖି ଚାଲିଲା । ଏହାରି ଭିତରେ ବାରମ୍ବାର ଜେଇଙ୍କ ଉପରକୁ ଚଢି ଆସୁଥିଲେ ଠିକାଦାର । ଚାପୁଡା, ଧକିଆ ମାରୁଥିଲେ । ଭିଜିଲାନ୍ସ ଡିଏସପି ବି ଅମାନବୀୟ ଭାବେ ଜେଇଙ୍କ ସାର୍ଟ କଲର ଧରି ତଂଟିଆ ମାରିବାକୁ ପଛାଇନଥିଲେ । ପ୍ରାୟ ୧୦ ମିନିଟ୍ ଧରି ଚାଲିଥିଲା ରେଡ୍ । ଛାନଭିନରୁ କିଛି ମିଳିଲାନି । କିଛି ସମୟ ପରେ ବାହାରକୁ ଚାଲିଗଲେ ଭିଜିଲାନ୍ସ ବାବୁ । ଆଉ ମାତ୍ର କେଇ ମିନିଟ୍ ପରେ ପୁଣି ଆସିଲେ । ଏହାପରେ ପୁଣି ଚାଲିଲା ଛାନଭିନ୍ । ଆଉ ଜେଇଙ୍କ ଡ୍ରରୁ ବାହାରିଲା ୨୫ ହଜାର ଟଙ୍କା ।
ରାଜେନ୍ଦ୍ର ପ୍ରସାଦ ଶର୍ମା, ଭିଜିଲାନ୍ସ ଡିଜି

ଆଖିକୁ ସତ ଲାଗିଲା ଭଳି ୧୦ ମିନିଟର ଡ୍ରାମା । ଠିକାଦାରଙ୍କ ଇଂଗିତରେ ଭିଜିଲାନ୍ସ କରିଥିଲା ରେଡ୍ । ପ୍ରଥମେ ଛାନଭିନ୍ ଆଉ ତାପରେ ନିଜେ ଟଙ୍କା ରଖି ଟଙ୍କା ପାଇବାର ଅଭିନୟ । ଯାହାକୁ କଏଦ କରିନେଇଥିଲା ଚାମ୍ବରରେ ଲାଗିଥିବା ସିସିଟିଭି । ଯାହାର ଟେର୍ ପାଇପାରିନଥିଲେ ଭିଜିଲାନ୍ସ ଟିମ୍ ଓ ଠିକାଦାର । ୧୪ ଦିନ ଜେଲରେ ରହିବା ପରେ ଜାମିନରେ ଆସିଛନ୍ତି ଜେଇ ରାଜେନ୍ଦ୍ର ମିଶ୍ର । ଲାଂଚ ଖାଇବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିବା ପରେ ଚାକିରିରୁ ସସପେଣ୍ଡ ହୋଇଥିବା ରାଜେନ୍ଦ୍ର ଏବେ ସରକାରଙ୍କ ପାଖରେ ନ୍ୟାୟଭିକ୍ଷା କରିଛନ୍ତି । ଏବେ ଅପେକ୍ଷା ସରକାର କଣ ନେଉଛନ୍ତି ପଦକ୍ଷେପ ।