କନକ ବ୍ୟୁରୋ : ରାଜ୍ୟରୁ ମୌସୁମୀ ଏକପ୍ରକାର ବିଦାୟ ନେଇ ସାରିଛି । କିନ୍ତୁ ଲଘୁଚାପ ବର୍ଷା ଏଯାଏଁ ମଧ୍ୟ ପିଛା ଛାଡିନି । ଲଘୁଚାପ ପ୍ରଭାବରେ ଆସନ୍ତା ଏକ ସପ୍ତାହ ଧରି ସାରା ରାଜ୍ୟରେ ବର୍ଷା ଲାଗି ରହିବ। ପୂର୍ବାହ୍ନରେ ଖରା ହେଲେ ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହେବ। ଅଧିକାଂଶ ସମୟ ଆକାଶ ମେଘାଛନ୍ନ ରହିବ। ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହା ଆଖପାଖ ଅଞ୍ଚଳ ଏବଂ ତେଲେଙ୍ଗନାର ଉତ୍ତର ପାର୍ଶ୍ୱ ଓ ଏହା ଆଖପାଖ ଅଞ୍ଚଳରେ ଦୁଇଟି ଘୂର୍ଣ୍ଣିବଳୟ ଥିବାରୁ ସାରା ରାଜ୍ୟରେ ଆସନ୍ତା ଗୋଟିଏ ସପ୍ତାହ ପର୍ୟ୍ୟନ୍ତ ଆକାଶ ମେଘୁଆ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁଙ୍କ ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ଦୁଇଟି ଘୂର୍ଣ୍ଣିବଳୟ ସ୍ଥିର ରହିଥିବାରୁ ଏହା ପ୍ରଭାବରେ ବର୍ଷା ଲାଗି ରହିଛି। ଆସନ୍ତା ଏକ ସପ୍ତାହ ପର୍ୟ୍ୟନ୍ତ ଏହିପରି ପାଗ ଲାଗି ରହିବ। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଉପକୂଳ ଓ ବାକି ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତା ୮ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା- ଉତ୍ତର ଆନ୍ଧ୍ର ପ୍ରଦେଶ ଉପରେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାରୁ ଏହା ପ୍ରଭାବରେ ବର୍ଷାର ପରିମାଣ ବଢ଼ିପାରେ। ଲଘୁଚାପ ହେଲେ ସାରା ରାଜ୍ୟରେ ବର୍ଷା ପରିମାଣ ବଢ଼ିବ ବୋଲି ଶ୍ରୀ ସାହୁ କହିଛନ୍ତି।