ନିଜ ଜୀବନକୁ ବାଜି ଲଗାଇ ଦେଲେ ପୁଲିସ କନଷ୍ଟେବଲ୍‌ ଶରତ ! ବଞ୍ଚିଗଲା ଦୁଇ ସ୍କୁଲ ଛାତ୍ରଙ୍କ ଜୀବନ

631

ପୁଲିସର କାର୍ଯ୍ୟକଳାପକୁ ନେଇ ସାଧାରଣରେ ଅନେକ ସମୟରେ ଅସନ୍ତୋଷ ଆଉ ଅଭିଯୋଗ ଥାଏ । କିନ୍ତୁ ନିଜ ଜୀବନକୁ ବାଜି ଲଗାଇ ଜଣେ ପୁଲିସ କନ୍‌ଷ୍ଟେବଲ୍‌ ଦୁଇ ଜଣ ସ୍କୁଲ ଛାତ୍ରଙ୍କ ଜୀବନ ବଞ୍ଚାଇ ପ୍ରଶଂସାର ପାତ୍ର ହୋଇଛନ୍ତି । ତାଙ୍କର ଏ ପ୍ରକାର କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକ ତାଙ୍କୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ସଦର ଥାନା କନ୍‌ଷ୍ଟେବଳ ଶରତ କୁମାର ବିଶ୍ବାଳ(୫୮) ତାଙ୍କର ଏଭଳି କାର୍ଯ୍ୟ ପାଇଁ କମିସନରେଟ୍‌ ପୁଲିସରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।

ସୂଚନା ଅନୁଯାୟୀ କଟକ ଜିଲ୍ଲା ବ୍ରାହ୍ମଣଝରିଲୋ ବିଦ୍ୟାଳୟ ସାମ୍‌ନାରେ ଯାନବାହାନ ଅଧିକ ମାତ୍ରାରେ ଚଳାଚଳ କରୁଥିବାରୁ ସଦର ଥାନା ପକ୍ଷରୁ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସେଠାରେ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି । ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ସେହି ଅଞ୍ଚଳରେ କନ୍‌ଷ୍ଟେବଲ ଶରତ କୁମାର ବିଶ୍ବାଳ ଡ୍ୟୁଟି କରୁଥିଲେ । ଦୁଇ ସ୍କୁଲ ଛାତ୍ରଙ୍କୁ ସେ ରାସ୍ତା ଅତିକ୍ରମ କରାଉଥିବା ବେଳେ ହଠାତ ନିଆଳି ଆଡ଼ୁ ଏକ ଟ୍ରକ(ଓଡି ୦୫ ଭି ୬୩୩୫) ଦ୍ରୁତ ଗତିରେ ମାଡ଼ି ଆସିଥିଲା । ଗାଡ଼ି ଏତେ ପାଖରେ ପହଞ୍ଚି ଯାଇଥିଲା ଯେ ଦୁଇ ଛାତ୍ରଙ୍କ ସହ ଶରତ କୁମାର ବିଶ୍ବାଳ ଦୁର୍ଘଟଣାର ସମ୍ମୁଖୀନ ହୋଇଥା’ନ୍ତେ ।

ସେହି ସମୟରେ ଉପସ୍ଥିତ ବୁଦ୍ଧି ଖଟାଇ ଶରତ ଦୁଇ ଛାତ୍ରଙ୍କୁ କୁଣ୍ଢାଇ ଧରି ଗଡ଼ି ଗଡ଼ି ରାସ୍ତା ତଳକୁ ଚାଲି ଯାଇଥିଲେ । ଫଳରେ ଅଳ୍ପକେ ସମସ୍ତଙ୍କ ଜୀବନ ବଞ୍ଚି ଯାଇଥିଲା । ଏହି ଘଟଣାରେ ଉକ୍ତ ଟ୍ରକକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର‌୍‌ଙ୍କୁ ଥାନାରେ ଅଟକ ରଖାଯାଇଛି । ଶରତ କୁମାର ବିଶ୍ବାଳଙ୍କ ବାମ ହାତ ଓ ଛାତିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ ପଠାଯାଇଥିଲା । ତୁଳସୀପୁର ଦେଉଳସାହିର ଶରତ କୁମାର ବିଶ୍ବାଳ ୧୯୮୪ରେ କନ୍‌ଷ୍ଟେବଲ ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ବେଳେ ଏବେ ସଦର ଥାନାରେ କାର୍ଯ୍ୟ କରୁଛନ୍ତି । ସେ ୧୯୭୫ରୁ ୧୯୭୯ ପର୍ଯ୍ୟନ୍ତ ସର୍ବଭାରତୀୟସ୍ତରରେ ଫୁଟ୍‌ବଲ ବି ଖେଳିଛନ୍ତି ।

ସେ କୁହନ୍ତି, ଦ୍ରୁତ ଗତିରେ ଆସୁଥିବା ଗା଼ଡ଼ିକୁ ଅଟକାଇବାକୁ ଉଦ୍ୟମ କଲି। ଗାଡ଼ି ମାଡ଼ି ଆସିବାରୁ ଦୁଇ ଛୁଆଙ୍କୁ କୁଣ୍ଢେଇ ଧରି ଡେଇଁ ପଡ଼ିଲି । ଠାକୁରଙ୍କ ଦୟାରୁ ଛାତ୍ରଦ୍ବୟ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଅନ୍ୟପଟେ ଡିସିପି ଅଖିଳେଶ୍ବର ସି˚ହ ସମ୍ପୃକ୍ତ କନ୍‌ଷ୍ଟେବଲଙ୍କ ଏଭଳି କାର୍ଯ୍ୟ ପାଇଁ ପୁରସ୍କୃତ କରିବେ ବୋଲି ଥାନା ଅଧିକାରୀ ସୁଧା˚ଶୁ ଭୂଷଣ ଜେନା କହିଛନ୍ତି ।