ଚୋରା କୋଇଲା ବୋଝେଇ ଗାଡିକୁ ଧରିବାକୁ ପିଛା କଲା ପୋଲିସ। କନେଷ୍ଟବଳଙ୍କ ଉପରେ ଗାଡି ମଡାଇ ଫେରାର ହୋଇଗଲେ ମାଫିଆ

ଜଣେ କନଷ୍ଟେବଳ ଗୁରୁତର; ଅଳ୍ପକେ ରକ୍ଷା ପାଇଗଲେ ୩ ଜଣ

480

କନକ ବ୍ୟୁରୋ: ପୋଲିସ ପିଛା କଲା ଚୋରା କୋଇଲା ବୋଝେଇ ଗାଡିକୁ । ଜବାବରେ ପୋଲିସ ଉପରେ ଗାଡି ଚଢେଇ ଫେରାର ହୋଇଗଲେ ମାଫିଆ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ଅଂଚଳରେ । କୋଇଲା ଚୋରାଚାଲାଣକୁ ରୋକିବାକୁ ପୋଲିସ କୋଇଲା ଚାଲାଣ ଗାଡିକୁ ପିଛା କରୁଥିବା ବେଳେ କୋଇଲା ମାଫିଆ ଗ୍ରାମାଂଚଳ ଥାନା ଅନ୍ତର୍ଗତ ସାବରଙ୍ଗ ଏରଡା ନିକଟରେ ପୋଲିସ ଉପରେ ଗାଡି ଚଢାଇ ଫେରାର ହୋଇଯାଇଥିଲେ ।

ସୂଚନା ମୁତାବକ, ଚୋରା କୋଇଲା ବୋଝେଇ ଗାଡିକୁ ଧରିବାକୁ ପିଛା କରୁଥିଲେ ମୋଟ୍ ୪ ଜଣ କନେଷ୍ଟବଳ । ଏମାନଙ୍କ ମଧ୍ୟରୁ ମାଫିଆଙ୍କ କୋଇଲା ଗାଡି ଚାପାରେ ଜଣେ ଗୁରୁତର ଆହତ ହୋଇଛି, ଅନ୍ୟ ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗୁରୁତର କନେଷ୍ଟବଳଙ୍କୁ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ରେଫର କରାଯାଇଛି ।

ତେବେ ପୋଲିସ ଉପରେ ଗାଡି ମଡାଇବା ପରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା । ଦୁର୍ଘଟଣାଗ୍ରସ୍ତ ହେବା ପରେ କୋଇଲା ବୋଝେଇ ପିକ୍ ଅପ୍ ଭ୍ୟାନର ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ଅଧିକାରୀମାନେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି ।