ମେଘାଳୟ ବି କଂଗ୍ରେସ ହାତରୁ ଖସିଲା ! ବିଜେପି-ଏନପିପି ମେଣ୍ଟକୁ ୟୁଡିପିର ସମର୍ଥନ, ୬ ତାରିଖ ସକାଳେ ସାଙ୍ଗମାଙ୍କ ଶପଥ ଗ୍ରହଣ

46

କନକ ବ୍ୟୁରୋ: ମେଘାଳୟରେ ସରକାର ଗଠନ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଝୁଲା ବିଧାନସଭାରେ ଆବଶ୍ୟକ କୁହୁକ ସଂଖ୍ୟା ହାସଲ କରିବାରେ ବିଫଳ ହୋଇଛି ସର୍ବାଧିକ ଆସନଧାରୀ କଂଗ୍ରେସ । ଅପରପକ୍ଷରେ ବିଜେପି-ଏନପିପି-ୟୁଡିପି ମେଣ୍ଟ ଗତକାଲି ସଂଧ୍ୟାରେ ରାଜ୍ୟପାଳ ଗଙ୍ଗାପ୍ରସାଦଙ୍କୁ ଭେଟି ୩୧ ସଦସ୍ୟଙ୍କ ସମର୍ଥନ ଥିବା ଦାବି କରିବା ପରେ ରାଜ୍ୟପାଳ ସେମାନଙ୍କୁ ସରକାର ଗଢିବା ପାଇଁ ଆମନ୍ତ୍ରଣ କରିଛନ୍ତି । ଏନପିପି ନେତା କୋନରାଡ୍ ସାଙ୍ଗମା ସେଠାରେ ନୂତନ ମୁଖ୍ୟମନ୍ତ୍ରୀ ହେବେ । ଆସନ୍ତା ୬ ତାରିଖ ସକାଳ ସାଢ଼େ ୧୦ଟା ବେଳେ ସେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । କଂଗ୍ରେସ ଗତବର୍ଷ ଗୋଆରେ ଯେଉଁ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା, ଏଠାରେ ମଧ୍ୟ ଅନୁରୂପ ପରିସ୍ଥିତିର ଶିକାର ହୋଇଛି।

ସୂଚନାଯୋଗ୍ୟ, ଗତବର୍ଷ ଗୋଆ ନିର୍ବାଚନରେ ସର୍ବାଧିକ ଆସନ ଜିତିଥିଲେ ବି କଂଗ୍ରେସ ସରକାର ଗଢ଼ିପାରିନଥିଲା । ଏବେ ମେଘାଳୟରେ ବି ଦଳକୁ ଅନୁରୂପ ପରିଣାମ ଭୋଗିବାକୁ ପଡ଼ିଛି । ମୋଟ ୫୯ଟି ଆସନରୁ ସର୍ବାଧିକ ୨୧ଟି ଆସନରେ ବିଜୟୀ ହୋଇଥିଲେ ମଧ୍ୟ କଂଗ୍ରେସ ମ୍ୟାଜିକ୍ ସଂଖ୍ୟା ପାଇଁ ଆଉ ୧୦ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବାରେ ବିଫଳ ହୋଇଛି । ବିଜେପିର ଶାଣିତ ରଣନୀତି କଂଗ୍ରେସ ହାତରୁ ଆଉ ଏକ ରାଜ୍ୟ ଖସାଇଦେଇଛି ।

ଗତକାଲି ଅପରାହ୍ଣରେ କଂଗ୍ରେସର ବରିଷ୍ଠ କେନ୍ଦ୍ରୀୟ ନେତା ଅହମ୍ମଦ ପଟେଲ ମେଘାଳୟ ରାଜ୍ୟପାଳ ଗଙ୍ଗାପ୍ରସାଦଙ୍କୁ ଭେଟି ସରକାର ଗଢ଼ିବାକୁ ଅନୁରୋଧ କରିଥିଲେ । ମାତ୍ର ଆବଶ୍ୟକ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରି ପାରି ନଥିଲେ । ସେପଟେ ମାତ୍ର ଦୁଇଟି ଆସନରେ ବିଜୟୀ ହୋଇଥିବା ବିଜେପି ଏନପିପି ଓ ଅନ୍ୟ ଆଞ୍ଚଳିକ ଦଳଙ୍କ ସହ ମେଣ୍ଟ କରି ମଉକା ମାରିନେଇଛି । ପୂର୍ବରୁ ୧୯ଟି ଆସନ ଦଖଲ କରିଥିବା ଏନପିପି ସହ ବିଜେପିର ମେଣ୍ଟ ଥିବା ବେଳେ ଆଜି ୬ଟି ଆସନ ଜିତିଥିବା ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି(ୟୁଡିପି) ସମର୍ଥନ ଜଣାଇଥିଲା । ଗତକାଲି ସନ୍ଧ୍ୟାରେ ଏନପିପି ଓ ବିଜେପି ସମର୍ଥିତ ସମସ୍ତ ଦଳ ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଅନୁରୋଧ କରିଥିଲେ । ଆବଶ୍ୟକ ବିଧାୟକଙ୍କ ସମର୍ଥନ ଥିବାରୁ ରାଜ୍ୟପାଳ କଂଗ୍ରେସ ବଦଳରେ ଏନପିପି ମେଣ୍ଟକୁ ସରକାର ଗଢ଼ିବା ପାଇଁ ସୁଯୋଗ ଦେଇଛନ୍ତି ।

ସେହିପରି ନାଗାଲାଣ୍ଡରେ ନ୍ୟାସନାଲ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ପାର୍ଟି(ଏନ୍ଡିପିପି) ଏବଂ ବିଜେପି ମେଣ୍ଟ ସରକାର ଗଢ଼ିବା ନିଶ୍ଚିତ ହୋଇଛି । ଏନଡିପିପି ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ଓ ବିଜେପି ନେତା ରାମ ମାଧବ ଗତକାଲି ରାଜ୍ୟପାଳ ପି.ବି.ଆଚାର୍ୟ୍ୟଙ୍କୁ ଭେଟି ଆବଶ୍ୟକ ବିଧାୟକଙ୍କ ସମର୍ଥନ ଥିବା ଦାବି କରବା ସହ ସରକାର ଗଢ଼ିବାକୁ ଅନୁରୋଧ କରିଛନ୍ତି । ବିଜେପି-ଏନଡିପିପି ମେଣ୍ଟ ପାଖରେ ଆବଶ୍ୟକ ବହୁମତ ଥିବା ଅନୁଭବ କରି ରାଜ୍ୟପାଳ ସେମାନଙ୍କୁ ସରକାର ଗଢ଼ିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି । ପୂର୍ବରୁ ତିନି ତିନି ଥର ମୁଖ୍ୟମନ୍ତ୍ରୀ ଥିବା ନେଫ୍ୟୁ ରିଓ ପୁଣି ଥରେ ମେଣ୍ଟର ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ ସ୍ପଷ୍ଟ ହୋଇଛି ।

ନାଗାଲ୍ୟାଣ୍ଡରେ ନେଫ୍ୟୁ ରିଓଙ୍କ ନେତୃତ୍ୱାଧୀନ ଏନଡିପିପି ୧୭ଟି ଆସନ ଦଖଲ କରିଛି । ଗତ ନିର୍ବାଚନରେ ମାତ୍ର ଗୋଟିଏ ଆସନ ଜିତିଥିବା ବିଜେପିକୁ ଏଥର ୧୨ଟି ଆସନ ମିଳିଛି। ତେବେ ବିଜେପି-ଏନଡିପିପି ମେଣ୍ଟରେ ୨ଟି ଆସନ ଜିତିଥିବା ଏନପିପି ଏବଂ ଜେଡିୟୁର ଗୋଟିଏ ଆସନ ମିଶିଯିବା ପରେ ନେଫ୍ୟୁ ରିଓଙ୍କ ନେତୃତ୍ୱାଧୀନ ମେଣ୍ଟ ୩୨ଜଣ ବିଧାୟକଙ୍କ ସମର୍ଥନ ସହ ସରକାର ଗଢ଼ିବାକୁ ଦାବି କରିଛି । ସେପଟେ ଏନପିଏଫ୍ ମେଣ୍ଟରୁ ଏନପିପି ଖସିଯିବା ପରେ ମୁଖ୍ୟମନ୍ତ୍ରୀ ଜେଲିଆଙ୍ଗଙ୍କ ନେତୃତ୍ୱାଧୀନ ମେଣ୍ଟରେ ୨୭ ଜଣଙ୍କ ସମର୍ଥନ ରହିଛି ।