କଟକ ଶିଶୁଭବନରେ ଜୀବନ ପାଇଁ ଲଢୁଛନ୍ତି ନୟାଗଡ଼ର ଯୋଡ଼ାପେଟ ଶିଶୁ ! ସ୍ୱାସ୍ଥ୍ୟବସ୍ଥା ଏବେ ବି ଗୁରୁତର

40

କନକ ବ୍ୟୁରୋ: କଟକ ଶିଶୁଭବନରେ ଜୀବନ ସହ ସଂଗ୍ରାମ କରୁଛନ୍ତି ନୟାଗଡ଼ର ଯୋଡ଼ାପେଟ ଶିଶୁ । ସେମାନଙ୍କ ସ୍ୱତନ୍ତ୍ର ଚିକିତ୍ସା ଚାଲିଥିଲେ ବି ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ସେପଟେ ଶିଶୁ ଭବନରେ ଡାକ୍ତରମାନଙ୍କ ପାଇଁ ଏଭଳି ଏକ ଘଟଣା ସଂପୂର୍ଣ୍ଣ ନୂଆ ବୋଲି ସୂଚନା ମିଳିଛି । ଦୁଇ ଶିଶୁଙ୍କର ଏଭଳି ଶରୀର ଗଠନକୁ ଡାକ୍ତରୀ ଭାଷାରେ ଖୋରାକୋ ଓମ୍ଫାଲୋପାଗସ୍ ବୋଲି କୁହାଯାଉଛି । ସେମାନଙ୍କ ଚିକିତ୍ସା ପାଇଁ ପେଡିଆଟ୍ରିକ୍ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ପି.କେ. ଜେନାଙ୍କ ନେତୃତ୍ୱରେ ୧୨ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି । ଦଳରେ ନବଜାତ ୟୁନିଟ୍, ଆଇସିୟୁ, ଆନାସ୍ଥେସିଆ, ଏସ୍ସିବି କାର୍ଡିଓଲୋଜି ବିଭାଗ, ପେଡିଆଟ୍ରିକ୍ ସର୍ଜନ, କାର୍ଡିଓଥୋରାସିକ୍ ଇତ୍ୟାଦି ବିଭାଗରୁ ଡାକ୍ତରମାନଙ୍କୁ ଏହି ଟିମ୍ରେ ସାମିଲ କରାଯାଇଛି ।

ବର୍ତ୍ତମାନ ଦୁଇ ଶିଶୁଙ୍କର ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ରହୁଥିବା ଡାକ୍ତର କହିଛନ୍ତି । ତେଣୁ ସେମାନଙ୍କୁ ନବଜାତ ୟୁନିଟ୍ ନିକୁରେ ରଖାଯାଇଛି । ଗତକାଲି ସେମାନଙ୍କୁ ଏସସିବି ମେଡିକାଲ୍ ନିଆଯାଇ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗର ସ୍କାନିଂ କରାଯାଇଛି । ସୋମବାର ଦିନ ରିପୋର୍ଟ ଆସିବା ପରେ ଟିମ୍ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ କହିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏବେ ସତର୍କତାର ସହ ନଜର ରଖାଯାଇଛି । ସେମାନଙ୍କ ମେରୁଦଣ୍ଡ ସହିତ ହାର୍ଟ, ଲିଭର ଓ କିଡନିରେ କିଛି ସମସ୍ୟା ଥିବା ଅନୁମାନ କରାଯାଉଛି । ତେଣୁ ଏଭଳି ଶାରୀରିକ ଗଠନର ଅସ୍ତ୍ରୋପଚାର ମେଡିକାଲ୍ ଦଳ ପାଇଁ ବଡ଼ ଚାଲେଞ୍ଜ ରହିବ ବୋଲି କୁହାଯାଇଛି ।

ଅନ୍ୟପଟେ ଗତକାଲି ସ୍ୱାସ୍ୟମନ୍ତ୍ରୀ ଶିଶୁଭବନ ଯାଇ ଯୋଡାଶିଶୁକୁ ଦେଖିଥିଲେ । ଆବଶ୍ୟକ ପଡିଲେ ଚିକିତ୍ସା ପାଇଁ ସେମାନଙ୍କୁ ବାହାର ରାଜ୍ୟକୁ ନିଆଯିବ ବୋଲି କହିଥିଲେ । ଏହି ଶିଶୁଙ୍କ ଚିକିତ୍ସା ଖର୍ଚ ବି ରାଜ୍ୟ ସରକାର ବହନ କରିବେ ବୋଲି କହିଥିଲେ । ଶୁକ୍ରବାର ଦିନ ନୟାଗଡ଼ର ଏକ ଘରୋଇ ହସପିଟାଲରେ ଜନ୍ମ ନେଇଛନ୍ତି ଏହି ଯାଆଳାଁ ଶିଶୁକନ୍ୟା । ଦୁଇ ଶିଶୁଙ୍କ ପେଟ ଛାତି ଲାଗିଥିବା ଦେଖି ସେମାନଙ୍କୁ କଟକ ଶିଶୁଭବନକୁ ରେଫର କରିଦିଆଯାଇଥିଲା । ତେବେ ନିଜର ଦୁଇ ଛୁଆଙ୍କୁ ଯୋଡି ହୋଇ ଜନ୍ମ ହୋଇଥିବା ଦେଖି ଦୁଃଖର ପାହାଡ ଓଜାଡି ହୋଇପଡିଛି ମାଆ ସୁମିତ୍ରା ଓ ବାପା ଅଶୋକ କୁମାର ଦତଙ୍କ ଉପରେ । ଜଗା ବଳିଆଙ୍କ ଭଳି ତାଙ୍କର ଦୁଇ ଝିଅଙ୍କ ଚିକିତ୍ସା ଲାଗି ସରକାରଙ୍କ ସହାୟତାକୁ ଅନେଇ ବସିଛନ୍ତି ବାପାମାଆ ।