ଭୁବନେଶ୍ୱର ରାଜପଥରେ ବର୍ଷା ପାଣି ଜମିବାକୁ ନେଇ କଂଗ୍ରେସର ‘ପାଣି’ ପ୍ରତିବାଦ ! ଏନଏଚଆଇ ଅଫିସକୁ ଧସେଇ ପଶିବା ସହ ଅଫିସ ଭିତରକୁ ପାଣି ଛାଡିଲେ କର୍ମୀ

44

କନକ ବ୍ୟୁରୋ: ଟିକିଏ ବର୍ଷାରେ ଭୁବନେଶ୍ୱର ରାଜପଥରେ ପାଣି ଜମିବାକୁ ନେଇ କଂଗ୍ରେସର ବିରୋଧ । ଏନଏଚଆଇ ଅଫିସକୁ କଂଗ୍ରେସ କର୍ମୀ ଧସେଇ ପଶିବା ସହ ଅଫିସ ଭିତରକୁ ପାଣି ଛାଡିଛନ୍ତି । ଭୁବନେଶ୍ୱର ୮ ନମ୍ବର ନିକଟସ୍ଥ ଏନଏଚଆଇ ଅଫିସ ଭିତରକୁ କଂଗ୍ରେସ କର୍ମୀମାନେ ଏକ ପାଇପ ମାଧ୍ୟମରେ ପାଣି ଛାଡିଛନ୍ତି । ଏପରିକି ସେଠାରେ ଉପସ୍ଥିତ ଥିବା କିଛି ଏନଏଚଏଆଇ ଅଧିକାରୀଙ୍କ ଉପରକୁ ମଧ୍ୟ ପାଣି ପକାଇଛନ୍ତି ।

ଏଠାରେ ଆପଣମାନଙ୍କୁ କହ ିରଖିବାକୁ ଚାହିଁବୁ କି, ଗତ ଶନିବାର ଦିନ ପ୍ରବଳ ବର୍ଷା ଫଳରେ ରାଜଧାନୀର ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମି ରହିଥିଲା । ବହୁ ସଂଖ୍ୟାରେ କାର ସେଠାରେ ଫଶି ରହିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଗାଡିରେ ଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା । ଘଂଟା ଘଂଟା ଧରି ପାଣି ଏହିପରି ଜମିରହିଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ବର୍ଷାଜଳ ନିଷ୍କାସନ କିପରି ସୁବିଧାରେ ହୋଇପାରିବ ସେନେଇ ଏନଏଚଏଆଇ କର୍ତୃପକ୍ଷଙ୍କୁ ବିଏମସି ପକ୍ଷରୁ ବାରମ୍ବାର ଚିଠି ଲେଖାଯାଇଛି । କିଛିଦିନ ତଳେ ଏକ ରିମାଇଣ୍ଡର ଦିଆଯାଇଥିଲା ବୋଲି ବିଏମସି ମେୟର କନକ ଟିଭିକୁ ସୂଚନା ଦେଇଥିଲେ । ସେଦିନ ଏକ କୃତ୍ରିମ ବନ୍ୟାର ଅନୁଭବ ଆଣିଥିଲା ଏହି ଦୃଶ୍ୟ । କାହିଁକି ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ହେଉନାହିଁ ବା ଏଥିରେ ବିଳମ୍ବ ହୋଇଛି ଏବେ ଏହାର ପ୍ରତିବାଦ କରିଛି କଂଗ୍ରେସ । ଏଥିପାଇଁ ଏନଏଚଏଆଇ କର୍ତୃପକ୍ଷଙ୍କୁ ଦାୟୀ କରିଛି କଂଗ୍ରେସ ।