ମହାରଥୀଙ୍କ ଘରେ ପଡିଲା କଂଗ୍ରେସ ଅଣ୍ଡା ଓ ପଚା ଟମାଟୋ । ମହିଳା କଂଗ୍ରେସ ଦେଲା ଚେତାବନୀ, ପିପିଲି ପୀଡିତାଙ୍କ ଘଟଣାରେ ମହାରଥୀ କ୍ଷମା ମାଗିବା ସହ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ 

827

କନକ ବ୍ୟୁରୋ : କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଘରେ ପଡିଲା କଂଗ୍ରେସ ଅଣ୍ଡା ଓ ପଚା ଟମାଟୋ । ମହିଳା କଂଗ୍ରେସ ପକ୍ଷରୁ ମହାରଥୀଙ୍କ ଘର ଉପରକୁ ପଚା ଟମାଟୋ ଓ ଅଣ୍ଡାମାଡ କରାଯାଇଛି । ମହରଥୀଙ୍କ ବିବାଦୀୟ ବୟାନ ନେଇ ଛାଞ୍ଚୁଣୀ ଧରି ଆନ୍ଦୋଳନ କରୁଥିଲା ମହିଳା କଂଗ୍ରେସ । ଆଉ ଏହି ସମୟରେ ମହାରଥୀଙ୍କୁ ଧସେଇ ପଶିବାକୁ ମହିଳା କଂଗ୍ରେସ କର୍ମୀ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ପୋଲିସ ଓ ମହିଳା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।  ତେବେ ଏଥିରେ ଉତକ୍ଷିପ୍ତ ହୋଇ ମହାରଥୀଙ୍କ ଘର ଉପରକୁ ଅଣ୍ଡା ଓ ପଚା ଟମାଟୋ ମାଡ କରିଛନ୍ତି ମହିଳା କଂଗ୍ରେସ କର୍ମୀ ।

ଏହାପୂର୍ବରୁ ପିପିଲି ଗଣଦୁଷ୍କର୍ମ ଘଟଣାରେ କୋର୍ଟଙ୍କ ରାୟ ପରେ ବିବାଦୀୟ ବୟାନ ଦେଇଥିଲେ ମହାରଥୀ । କୋର୍ଟ ୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପରେ ପିପିଲି ପୀଡିତାଙ୍କୁ ନ୍ୟାୟ ମିଳିଲା ବୋଲି କହିଥିଲେ ମହାରଥୀ । ଆଉ ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ମହିଳା କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି । ଅଣ୍ଡାମାଡ ପରେ ମହିଳା କଂଗ୍ରେସ ସଭାନେତ୍ରୀ କହିଛନ୍ତି, ବିବାଦୀୟ ମନ୍ତବ୍ୟ ପାଇଁ ମନ୍ତ୍ରୀ କ୍ଷମା ପ୍ରାର୍ଥନା କରିବା ସହ ଇସ୍ତଫା ଦିଅନ୍ତୁ । ନଚେତ ଏବେ ଟମାଟୋ ଫିଙ୍ଗିଛୁ ଆଗକୁ ଆଉ କିଛି ଫୋପାଡାଯାଇ ପାରେ ବୋଲି କହିଛି ମହିଳା କଂଗ୍ରେସ ।

କେବଳ କଂଗ୍ରେସ ନୁହେଁ ପିପିଲି ଗଣଦୁଷ୍କର୍ମ ଘଟଣାରେ ମହାରଥୀଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ତାତିଛି ବିଜେପିର ମହିଳା ମୋର୍ଚ୍ଚା । ମହାରଥୀଙ୍କ ଇସ୍ତଫା ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ଏପରିକି ଏହି ଘଟଣାରେ ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆଯାଉ ଓ ୨୪ ଘଣ୍ଟା ମଧ୍ୟରେ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ନଦେଲେ ଜୋରଦାର ଆନ୍ଦୋଳନ କରାଯିବ ସାମ୍ବାଦିକ ସମ୍ମିଳନୀରେ କହିଛି ବିଜେପି ମହିଳା ମୋର୍ଚ୍ଚା ।