‘ହାତ’ ଛାଡ଼ିଲେ କଂଗ୍ରେସ ସଭାନେତ୍ରୀ । ଟିକେଟ୍ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି କଂଗ୍ରେସକୁ ବାଏ ବାଏ କଲେ ସୁମିତ୍ରା ଜେନା ।

234

କନକ ବ୍ୟୁରୋ: ମହିଳା କଂଗ୍ରେସ ଶିବିରକୁ ଝଟକା । ମହିଳାଙ୍କ ପାଇଁ ସ୍ୱର ଉଠାଉଥିବା ସଭାନେତ୍ରୀ ସୁମିତ୍ରା ଜେନାଙ୍କ ଇସ୍ତଫା । ଚଳିତ ନିର୍ବାଚନ ପାଇଁ ବାରମ୍ବାର ମହିଳାଙ୍କୁ ଟିକେଟ୍ ଦିଆଯାଉନି ବୋଲି ହାଇକମାଣ୍ଡଙ୍କୁ ଅଭିଯୋଗ କରୁଥିଲେ ସୁମିତ୍ରା । ଶେଷରେ ତାଙ୍କୁ ମଧ୍ୟ ଟିକେଟ୍ ତାଲିକାରୁ ବାଦ୍ ଦେବାରୁ କଂଗ୍ରେସକୁ ବାଏ ବାଏ କହିଛନ୍ତି ସୁମିତ୍ରା ।

ଏପରିକି ମହିଳାଙ୍କୁ ପ୍ରାଧାନ୍ୟ ଦେଇ ମହିଳାନେତ୍ରୀମାନଙ୍କୁ ଟିକେଟ୍ ଦେବାକୁ ଅନଶନ କରିଥିଲେ ସୁମ୍ରିତା । ହେଲେ ଏହାର କିଛି ସୁଫଳ ମିଳିଲା ନାହିଁ ବୋଲି ସୁମିତ୍ରା କହିଛନ୍ତି । ଯେଉଁଠି ମୁଁ ମହିଳାଙ୍କୁ ସୁରକ୍ଷା ଦେଇ ପାରୁନାହିଁ ସେଠି ରହିବା ମୋ ପାଇଁ କଷ୍ଟକର ବୋଲି କ୍ଷୋଭ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି ସୁମିତ୍ରା । ପୂର୍ବରୁ ପ୍ରଦେଶ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ ସୁମିତ୍ରା । ଏପରିକି ସୁମିତ୍ରାଙ୍କ କହିବା ମୁତାବକ, ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ନିରାଶ କରିଛି । କାରଣ ୫୨ ଜଣ ମହିଳା ପ୍ରାର୍ଥୀଙ୍କ ନାଁ ମୁଁ ଦେଇଥିଲି । କିନ୍ତୁ ସେଥିରୁ ହାତଗଣତି କିଛି ମହିଳାଙ୍କୁ ଟିକେଟ୍ ମିଳିଛି ।

ଉପଯୁକ୍ତ ପରିମାଣରେ ମହିଳାଙ୍କୁ ଟିକେଟ୍ ନମିଳେ ତେବେ ଏହାର ପ୍ରତିବାଦ କରିବୁ ବୋଲି ପୂର୍ବରୁ ବାରମ୍ବାର ଚେତାବନୀ ଦେଇଆସୁଥିଲେ ସୁମିତ୍ରା । ହେଲେ ୪ଟି ପର୍ଯ୍ୟାୟ ପାଇଁ କଂଗ୍ରେସ ତାଲିକା ପୂର୍ଣ୍ଣାଙ୍ଗ ଘୋଷଣା ପରେ ଭଦ୍ରକ ବିଧାନସଭା ଆସନରୁ ଲଢିବାକୁ ଦାବି କରୁଥିଲେ ମଧ୍ୟ ତାଙ୍କୁ ଟିକେଟ୍ ମିଳିଲା ନାହିଁ । ତେଣୁ ସେ ଦଳ ଛାଡ଼ିବାକୁ ନିଷ୍ପତି ନେଲେ ବୋଲି କହିଛନ୍ତି ।