ରାମଗଡ ଉପନିର୍ବାଚନରେ ବିଜୟ ସହ ରାଜସ୍ଥାନରେ ଶତକ ମାରିଲା କଂଗ୍ରେସ ।

555

ଉପନିର୍ବାଚନରେ ଦମ ଦେଖାଇଲା କଂଗ୍ରେସ । ରାଜସ୍ଥାନର ରାମଗଡ଼ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ୧୨, ୨୨୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଶାଫିଆ ଜୁବୈର୍ ସମୁଦାୟ ୮୩, ୩୧୧ ଖଣ୍ଡ ଭୋଟ୍ ପାଇ ଆସନ ଅକ୍ତିଆର କରିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁଖଓ୍ଵନ୍ତ ସିଂହ ୭୧, ୦୮୩ ଖଣ୍ଡ ଭୋଟ୍ ପାଇଛନ୍ତି।

ଶାଫିଆ ପ୍ରଥମରୁ ଶେଷ ରାଉଣ୍ଡ ଗଣତି ଯାଏଁ ଆଗୁଆ ରହି ଉପନିର୍ବାଚନରେ ବାଜିମାତ କରିଛନ୍ତି । ୨୦୧୩ ବିଧାନସଭା ନିର୍ବାଚନରେ ଏହି ଆସନ ବିଜେପିକୁ ମିଳିଥିଲା। ରାମଗଡ଼ରେ ଜିଣିବା ପରେ ୨୦୦ ସଦସ୍ୟବିଶିଷ୍ଟ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୦୦ ହୋଇଛି। ଆଉ ଏହାସହ ରାଜସ୍ଥାନରେ ସ୍ପଷ୍ଟ ବହୁମତ ଠାରୁ ମାତ୍ର ଗୋଟିଏ ଆସନ ପଛରେ ରହିଛି କଂଗ୍ରେସ । ଏଠାରେ ସ୍ୱାଧୀନ ଓ ବହୁଜନ ସମାଜବାଦୀ ପାର୍ଟିର୍ ସହାୟତାରେ ସରକାର ଗଢିଛି କଂଗ୍ରେସ । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ୯୯, ବିଜେପି ୭୩ ଓ ବିଏସପି ୬ଟି ଆସନରେ ବିଜୟୀ ହୋଇଥିଲେ ।

ଜାନୁଆରି ୨୮ ତାରିଖ ଦିନ ୨୭୮ଟି ବୁଥ୍ରେ ଅନୁଷ୍ଠିତ ହୋଇଥିବା ଏହି ମତଦାନରେ ୭୯. ୧୨% ଭୋଟର୍ ଭୋଟ୍ ଦେଇଥିଲେ। ୨୦୧୮ ଡିସେମ୍ବର ୭ ତାରିଖ ଦିନ ବିଏସପି ପ୍ରାର୍ଥୀ ଲକ୍ଷ୍ମଣ ସିଂହଙ୍କର ହୃଦ୍ଘାତରେ ପରଲୋକ ହେବାରୁ ସେଠାରେ ଉପନିର୍ବାଚନ ଆବଶ୍ୟକ ପଡ଼ିଥିଲା।