ବିଜେପିକୁ ୪୪୦ ଝଟକା! ଉପନିର୍ବାଚନରେ ହାରିଲା ପଦ୍ମଦଳ, ରାଜସ୍ଥାନରେ ୩ଟି ଆସନରେ ବାଜି ମାରିନେଲା କଂଗ୍ରେସ

32

ରାଜସ୍ଥାନରେ ହୋଇଥିବା ଲୋକସଭା ଓ ବିଧାନସଭା ଉପନିର୍ବାଚନରେ ବିଜେପିକୁ ଲାଗିଛି ବଡ ଝଟକା । ଦୁଇଟି ଲୋକସଭା ଓ ଗୋଟିଏ ବିଧାନସଭା ଆସନ ପାଇଁ ହେଉଥିବା ଉପନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଛି । ଏହି ବିଜୟ ବିଜେପିର ଗଡକୁ ଦୋହଲାଇ ଦେଇଛି । କେବଳ ଏତିକି ନୁହେଁ ଏହି ବିଜୟ କଂଗ୍ରେସ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି । ରାଜସ୍ଥାନର ଅଜମେର ଓ ଅଲୱର ଲୋକସଭା ଆସନ ଓ ମାଣ୍ଡଲଗଡ ବିଧାନସଭା ଆସନରେ ଶାସକ ବିଜେପିକୁ ହରାଇ ଦମ ଦେଖାଇଛି କଂଗ୍ରେସ ।

ଉପନିର୍ବାଚନ ପୂର୍ବରୁ ଏହି ତିନୋଟି ସିଟ୍ ବିଜେପି ଅକ୍ତିଆରରେ ଥିଲା । କିନ୍ତୁ ଉପନିର୍ବାଚନରେ ଏହି ଆସନ ଚାଲିଯାଇଛି କଂଗ୍ରେସ ନିକଟକୁ । ଅଲୱର ଲୋକସଭା ଆସନରୁ ଡାକ୍ତର କରଣ ସିଂ ଯାଦବ ବିଜେପିର ଯଶୱନ୍ତ ଯାଦବଙ୍କୁ ଦେଢ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିବା ବେଳେ ଆଜମେର ଆସନରୁ କଂଗ୍ରେସର ରଘୁ ଶର୍ମା ବିଜୟୀ ହୋଇଛନ୍ତି । ସେ ବିଜେପିର ରାମସ୍ୱରୂପଙ୍କୁ ଏକ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ସେହିଭଳି ଉପନିର୍ବାଚନ ହେଉଥିବା ଏକମାତ୍ର ବିଧାନସଭା ସିଟ ମଧ୍ୟ ହାତଛଡା କରିଛି ବିଜେପି । କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ପ୍ରାୟ ୧୩ ହଜାର ଭୋଟରେ ପରାସ୍ତ ହୋଇଛି ।

ତେବେ ଏହି ଉପନିର୍ବାଚନ ଉଭୟ ଦଳ ପାଇଁ ସମ୍ମାନର ପ୍ରଶ୍ନ ଥିଲା । ତେବେ ଏହି ଲଢେଇରେ ବାଜି ମାରି ନେଇଛି କଂଗ୍ରେସ । କଂଗ୍ରେସର ମଙ୍ଗ ଧରିଥିବା ସଚିନ ପାଇଲଟଙ୍କ ଆଗରେ ମୁଣ୍ଡ ନୁଆଁଇଥିଲା ବସୁନ୍ଧରା ରାଜେଙ୍କ ବିଗ୍ରେଡ । ତେବେ ଏହି ବିଜୟ କଂଗ୍ରେସ ପାଇଁ ସଂଜବନୀ ସାବ୍ୟସ୍ତ ହୋଇଛି । କାରଣ ଆଠ ମାସ ପରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଶାସକ ବିଜେପିକୁ ହରାଇବା କଂଗ୍ରେସ ଦଳ ଭିତରେ ଜୋସ ଭରିଦେଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୧୬ ପରେ ରାଜସ୍ଥାନରେ ୬ଟି ଉପନିର୍ବାଚନ ହୋଇଥିବା ବେଳେ ଏଥିରୁ ୪ଥର ପରାଜୟର ମୁହଁ ବିଜେପିକୁ ଦେଖିବାକୁ ପଡିଛି । ୨୦୧୩ରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମୋଟ ୨୧ଟି ସିଟ ମିଳିଥିବା ବେଳେ ବିଜେପି ୧୬୩ଟି ସିଟରେ ବିଜୟୀ ହୋଇ ସରକାର ଗଠନ କରିଥିଲା । କିନ୍ତୁ ଉପନିର୍ବାଚନର ଏହି ଫଳାଫଳ ଏବେ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି ।

ସେହିଭଳି ଆଜି ପଶ୍ଚିମବଙ୍ଗର ନଭାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ବିଜୟୀ ହୋଇଛି। ସବୁଠାରୁ ବଡ଼ କଥା ହେଲା ଯେ, ଏହି ନିର୍ବାଚନରେ କଂଗ୍ରେସ ୪ର୍ଥ ସ୍ଥାନରେ ଥିବା ବେଳେ ବିଜେପି ପାଇଁ ସାମାନ୍ୟ ଖୁସି ଖବର ଆସିଛି। ଏଠାରେ ବିଜେପି ୨ୟ ସ୍ଥାନରେ ଥିବା ବେଳେ ସିପିଏମ ୩ୟ ସ୍ଥାନରେ ରହିଛି। ନଭାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ହୋଇଥିବା ଉପନିର୍ବାଚନରେ ଟିଏମ୍ସିର ସୁନୀଲ ସିଂହ ୬୩ ହଜାର ୧୮ ଭୋଟରେ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ସନ୍ଦୀପ ବାନାର୍ଜୀଙ୍କୁ ୩୮ ହଜାର ୭୧୧ ଭୋଟ ମିଳି ଥିବା ବେଳେ ସିପିଏମ୍ର ଗାର୍ଗୀ ଚାଟାର୍ଜୀଙ୍କୁ ୩୫ ହଜାର ୪୯୭ ଭୋଟ ମିିଳିଛି।