କାହାକୁ ମିଳିବ କେତେ ସିଟ୍, କ’ଣ ହେବ ବିଜେଡିର ଆଭିମୁଖ୍ୟ? ଗଣତି ପୂର୍ବରୁ ଆରମ୍ଭ ହେଲା ଚର୍ଚ୍ଚା

ସୂର୍ଯ୍ୟ ପାତ୍ର କହିଲେ, ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ନବୀନ; ନିରଂଜନଙ୍କ ମତ, ୟୁପିଏ ସରକାର ଗଢ଼ିଲେ ନବୀନ ଦେଇପାରନ୍ତି ସମର୍ଥନ

659

କନକ ବ୍ୟୁରୋ: ଦେଶରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ବାକି ଥିବା ବେଳେ କିଏ ହେବ ଭାରତବର୍ଷର ପରବର୍ତି ପ୍ରଧାନମନ୍ତ୍ରୀ ତାକୁ ନେଇ ଚାଲିଛି ଅଙ୍କକଷା । ଏହାରି ଭିତରେ ୟୁପିଏ, ଏନଡିଏ ଓ ଫେଡରାଲ ଫ୍ରଂଟ ମଧ୍ୟ ବିଭିନ୍ନ ଆକଳନ କରିବା ସହ ନୂଆ ନୂଆ ସମୀକରଣ ସାମ୍ନାକୁ ଆସୁଛି । କିନ୍ତୁ ଜାତୀୟ ରାଜନିତିରେ ବିଜେଡି ଉପରେ ସମସ୍ତେ ଫୋକସ ରହିଛି । ନବୀନ କାହା ଆଡକୁ ଢଳିବେ ଆଉ କାହାକୁ ସମର୍ଥନ କରିବେ ତାକୁ ନେଇ ତର୍ଜମା ଚାଲିଥିବା ବେଳେ ବିଜେଡିର ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ସିଧା ସିଧା କହିଛନ୍ତି ନବୀନ ହେଉଛନ୍ତି ଭାରତବର୍ଷର ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ପ୍ରାର୍ଥୀ ।

ଦିଲ୍ଲୀ ସିଂହାସନରେ କିଏ ବସିବ, ସରକାର ଗଠନରେ ଆଂଚଳିକ ଦଳର ଭୂମିକା କ’ଣ ହେବ, ଏହି ଆକଳନ ଚାଲିଥିବା ବେଳେ ବିଜେଡି ଉପସଭାପତି ସୂର୍ଯ୍ୟ ପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ପଦ ପାଇଁ ନବୀନ ଯୋଗ୍ୟ ନେତା । ସେ କହିଛନ୍ତି, ଦଳ ଏବେ ସମଦୂରତ୍ୱ ନୁହେଁ, ଓଡ଼ିଶାର ସ୍ୱାର୍ଥକୁ ପ୍ରାଥମିକତା ଦେବ । ତେବେ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହେବା ଠିକ୍ ନୁହେଁ ବୋଲି କହିଛନ୍ତି ସୂର୍ଯ୍ୟ ପାତ୍ର । ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ୟୁପିଏ ସରକାର ଗଢ଼ିଲେ ନବୀନ ଆମ ସହ ରହିବେ । କେନ୍ଦ୍ରରେ ସରକାର ଗଢ଼ୁଥିବା ଦଳକୁ ନବୀନ ସମର୍ଥନ ଦେବେ ବୋଲି ନବୀନ ଇସାରା ଦେଇଥିବା କହିଛନ୍ତି ନିରଂଜନ ।

ସେହିପରି ବିଜେଡି ନେତା ଅମର ଶତପଥୀ କହିଛନ୍ତି, କେନ୍ଦ୍ରରେ କେହି ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ । ତେଣୁ ବିଜେଡିର ସହଯୋଗ ନେବାକୁ ଉଭୟ ଏନଡିଏ ଓ ୟୁପିଏ ପ୍ରୟାସ କରିବେ । ତେବେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ମତ ଅଲଗା । ସେ କହିଛନ୍ତି ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବ ଏନଡିଏ । ସେହିପରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ଆକଳନ, କେନ୍ଦ୍ରରେ ସରକାର ଗଠନରେ ବିଜେଡିର ବଳିଷ୍ଠ ଭୂମିକା ରହିବ । ମେ’ ୨୩ ଭୋଟ ଗଣତି ପରେ ଦଳର ଆଭିମୁଖ୍ୟ କ’ଣ ରହିବ ନିଷ୍ପତି ନିଆଯିବ ।

ତେବେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଂଚାନନ କାନୁନଗୋଙ୍କ ମତରେ ମୋଦୀ ସରକାର ଯେତେବେଳେ ସମସ୍ୟାରେ ପଡ଼ିଛନ୍ତି, ସହଯୋଗ ଦେଇ ଆସିଛନ୍ତି ନବୀନ । ରବିବାର ଦେଶରେ ହେବ ଶେଷ ପର୍ଯ୍ୟାୟ ନିର୍ବାଚନ । ଆଉ ସେହି ସଂଧ୍ୟାରେ ଆରମ୍ଭ ହୋଇଯିବ ବୁଥ ବାହୁଡ଼ା ମତ ଉପରେ ଚର୍ଚ୍ଚା । ତେବେ ଏହା ପୂର୍ବରୁ କିଏ କେତେ ଆସନ ପାଇବ, କିଏ ସରକାର ଗଢ଼ିବ, କିଏ ପ୍ରଧାନମନ୍ତ୍ରୀ ହେବ, ଏ ନେଇ ଆଲୋଚନା ସରଗରମ ହେବାରେ ଲାଗିଛି ।