ଗୁରୁପ୍ରିୟାକୁ ନେଇ ଜୋର ଧରିଲା ରାଜନୀତି ! କଂଗ୍ରେସ କହିଲା ଆମବେଳେ ମିଳିଛି ଅନୁଦାନ, କାହିଁକି ଉଦଘାଟନ କରିବେ ନବୀନ ।

40

କନକ ବ୍ୟୁରୋ : ଗୁରୁପ୍ରିୟା ସେତୁକୁ ନେଇ ବଢିବାରେ ଲାଗିଛି ରାଜନୀତି । ଗୋଟେ ପଟେ ଶାସକ ଦଳ ଗୁରୁପ୍ରିୟା ସେତୁକୁ ନେଇ ତତ୍ପରତା ଦେଖାଉଥିବା ବେଳେ ଏବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ କଂଗ୍ରେସ । ଆଉ କିଛି ଦିନ ପରେ ଗୁରୁପ୍ରିୟା ସେତୁ ଉଦଘାଟନ ହେବାକୁ ଥିବା ବେଳେ ଏହାର ଉଦଘାଟନକୁ ବିରୋଧ କରାଯିବ ବୋଲି କଂଗ୍ରେସ ଚରମ ଚେତାବନୀ ଦେଇଛି ।

ଗୁରୁପ୍ରିୟା ସେତୁର ଉଦଘାଟନ ପୂର୍ବରୁ କଂଗ୍ରେସ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହାକୁ ବିରୋଧ କରିଛି । ଗୁରୁପ୍ରିୟା ପାଇଁ ବିଜେଡି ମିଛରେ ବାହାଃ ବାହାଃ ନେଉଥିବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି କହିଛନ୍ତି । ସେ କହିଛନ୍ତି ୟୁପିଏ ସରକାର ସମୟରେ ଗୁରୁପ୍ରିୟା ସେତୁ ପାଇଁ ଓଡିଶା ସରକାରଙ୍କୁ ଅନୁଦାନ ଦିଆଯାଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଏହାକୁ ସଠିକ ଭାବେ ବିନିଯୋଗ କରାଯାଇନାହିଁ ।

କିଛି ଦିନ ମଧ୍ୟରେ ମାଲକାନଗିରିରେ ଗୁରୁପ୍ରିୟା ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ୍ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କ ଆଗରେ ଏକ ୫ ଦଫା ଦାବି ରଖିଛି । ଉକ୍ତ ଦାବି ଗୁଡିକ ପୂରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କୁ ମାଲକାନଗିରିରେ ପୁରାଇ ଦିଆଯିବନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ତେବେ ଗୁଡିକ ମଧ୍ୟରେ ଶିକ୍ଷା ଠାରୁ ଆରମ୍ଭ କରି ଅନେକ ସମସ୍ୟା ରହିଛି । ୨,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଜାତିଗତ ପ୍ରମାଣ ପତ୍ର ଏବଂ ଆୟ ପ୍ରମାଣ ପତ୍ର ନଦେଇଥିବାରୁ ଶିକ୍ଷାରୁ ବଞ୍ଚିତ ରହିଛନ୍ତି । ତୁରନ୍ତ ଏହାର ସମାଧାନ କରିବାକୁ ଦାବି କରାଯାଇଛି । ସେହିପରି ଅନେକ ଲୋକେ ଜଙ୍ଗଲ ଜମି ପଟ୍ଟା ପାଇନାହାନ୍ତି, ତେଣୁ ଏହାର ସମାଧାନ ପାଇଁ ମଧ୍ୟ ଦାବି ହୋଇଛି । ତେବେ ତୁରନ୍ତ ବିଚ୍ଛିନ୍ନାଞ୍ଚଳର ସମସ୍ୟା ଗୁଡିକର ସମାଧାନ କରାନଗଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚରମ ଚେତାବନୀ ଦିଆଯାଇଛି ।