କଂଗ୍ରେସର ନିର୍ବାଚନ କମିଟି ବୈଠକରେ ବଡ ନିଷ୍ପତି : ସବୁ ବିଧାୟକଙ୍କୁ ନିର୍ବାଚନ ଲଢିବା ପାଇଁ ମିଳିବ ଟିକେଟ

26

କନକ ବ୍ୟୁରୋ : ବର୍ତ୍ତମାନ ବିଧାୟକ ଥିବା ସମସ୍ତ ପ୍ରାର୍ଥୀଙ୍କୁ ଟିକେଟ୍ ଦେବ କଂଗ୍ରେସ । ହେଲେ ଗତ ନିର୍ବାଚନରେ ଅମାନତ୍ ହରାଇଥିବା ପ୍ରାର୍ଥୀଙ୍କୁ ୨୦୧୯ ନିର୍ବାଚନ ଲଢିବାକୁ ଟିକେଟ୍ ମିଳିବ ନାହିଁ । କଂଗ୍ରେସର ନିର୍ବାଚନ କମିଟି ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ପ୍ରାର୍ଥୀ ଚୟନ ପାଇଁ ଗାଇଡଲାଇନ ପ୍ରସ୍ତୁତି ଚାଲିଥିବା ବେଳେ ଏଥର ମହିଳା ଓ ଯୁବ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯିବ କହିଛନ୍ତି ପିସିସି ସଭାପତି ।

ରାଜ୍ୟରେ ତୃତୀୟ ସ୍ଥାନକୁ ଚାଲି ଯାଇଥିବା କଂଗ୍ରେସ, ପୁଣି ଥରେ ପୂର୍ବ ଗୌରବ ଫେରାଇ ଆଣିବାକୁ ଆରମ୍ଭ କରି ଦେଇଛି ଜୋରଦାର ଉଦ୍ୟମ । ଉଭୟ ବିଜେଡି ଓ ବିଜେପିକୁ ପଛରେ ପକାଇ ୨୦୧୯ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିଛି ନିରଂଜନଙ୍କ ବାହିନୀ । ଦଳ ପକ୍ଷରୁ କେଉଁମାନେ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବେ ବେଶ ଆଗୁଆ ତାଲିକା ପ୍ରସ୍ତୁତ କରୁଛି । ଏଥର କିନ୍ତୁ ଦାନପାତ୍ରରେ ଦାନ ଦେବା ଭଳି ଟିକେଟ୍ ବାଂଟିବ ନାହିଁ କଂଗ୍ରେସ । ଯେଉଁ ପ୍ରାର୍ଥୀମାନେ ୨୦୧୪ ନିର୍ବାଚନରେ ଅମାନତ ହରାଇଛନ୍ତି, ତାଙ୍କୁ ମିଳିବନାହିଁ ଟିକେଟ୍ । ତେବେ ଯେଉଁମାନେ ବିଜେଡିର ଜବରଦସ୍ତ ହାୱା ସତ୍ୱେ ଗତ ନିର୍ବାଚନରେ ବିଜୟର ଟିକା ପିନ୍ଧିଥିଲେ ସେମାନେ ପୁଣି ଥରେ ଦଳର ପ୍ରାର୍ଥୀ ହେବା ପକ୍କା । ଅର୍ଥାତ ୧୫ ଜଣ ଯାକ କଂଗ୍ରେସ ବିଧାୟକ ୨୦୧୯ ନିର୍ବାଚନରେ ପ୍ରାର୍ଥୀ ହେବେ ।

congress

 

୨୦୧୪ ନିର୍ବାଚନରେ କଂଗ୍ରେସର ୪୦ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ । ସେମାନଙ୍କୁ ଆଉ ଥରେ ଟିକେଟ୍ ଦେବାକୁ ନାରାଜ କଂଗ୍ରେସ ନିର୍ବାଚନ କମିଟି । ୨୦୦୯ ତୁଳନାରେ ୨୦୧୪ରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ପାଖାପାଖି ୬ ପ୍ରତିଶତ ଭୋଟ କମିଥିବା ବେଳେ ୧୧ଟି ଆସନ ହରାଇଥିଲା ଦଳ ।

୨୦୧୯ ପ୍ରାର୍ଥୀ ଚୟନରେ ମହିଳା ଓ ଯୁବ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେବାକୁ ସ୍ଥିର କରିଛି କଂଗ୍ରେସ । ଯେଉଁ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଅଧିକ ଥିବ ସେମାନଙ୍କୁ ଟିକେଟ ଦିଆଯିବ । ଲୋକଙ୍କ ସହ ଯୋଡି ହୋଇ ରହିଥିବା ଓ ଦୃଢ ସଂଗଠନ ଥିବା ପ୍ରାର୍ଥୀଙ୍କୁୁ ୨୦୧୯ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିବ ବୋଲି କହିଛି କଂଗ୍ରେସ ନିର୍ବାଚନ କମିଟି ।

ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୧ ଜଣିଆ କଂଗ୍ରେସର ନିର୍ବାଚନ କମିଟି ବୈଠକରେ ପ୍ରାର୍ଥୀ ଚୟନ ପାଇଁ ଗାଇଡଲାଇନ ପ୍ରସ୍ତୁତ ହୋଇଛି । ଆଉ ଏହା ସହ ୨୦୧୯ ନିର୍ବାଚନ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରିଛି ଦଳ । ଦଳୀୟ ଟିକେଟ ନେଇ ବୈଠକରେ ପ୍ରସ୍ତାବ ପାରିତ ହୋଇଛି, ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଦୀଙ୍କ ଅନୁମୋଦନ ପରେ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । କଂଗ୍ରେସ ଏଭଳି ଆଗୁଆ ପ୍ରସ୍ତୁତିକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।