କାଶୀପୁରରେ ଆମ୍ବଟାକୁଆ ଜାଉ ମୃତ୍ୟୁ ଘଟଣା : ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କଂଗ୍ରେସ

30

ରାୟଗଡା : ସରକାରଙ୍କୁ ଘେରିବା ପାଇଁ କୌଣସି ପ୍ରସଙ୍ଗକୁ ହାତଛଡା କରିବାକୁ ଚାହୁଁନାହିଁ ରାଜ୍ୟ କଂଗ୍ରେସ। ଏପଟେ ସରକାରଙ୍କୁ ଅଡୁଆରେ ପକାଇବାକୁ ପ୍ରସଙ୍ଗର ବି ଅଭାବ ନାହିଁ। କଳାହାଣ୍ଡିରୁ ଗରିବିର ଚିତ୍ର ସାମ୍ନାକୁ ଆସିବା ପରେ ପୁଣି ଚର୍ଚ୍ଚା ସାଉଁଟିଛି ରାୟଗଡାର କାଶୀପୁର। ଏଠାରେ ଆମ୍ବ ଟାକୁଆ ଜାଉ ଖାଇ ଏକାଧିକ ଲୋକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଜୋରଦାର ରାଜନୀତି ଆରମ୍ଭ କରିଦେଇଛି ଦଳ। କେଉଁ ପରିସ୍ଥିତିରେ ଲୋକେ ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ ହେଲେ ସେନେଇ ଅନୁସନ୍ଧାନ କରିବାକୁ ପହଂଚିଛି କଂଗେସର ଏକ ଅନୁସନ୍ଧାନକାରୀ ଦଳ ।

ବିରୋଧୀଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ତିନି ଜଣିଆ ଦଳ ଯାଇଛନ୍ତି କାଶିପୁର। ବିଧାୟକ କୃଷ୍ଣଚନ୍ଦ୍ର ସଗଡିଆ ଓ ବିଧାୟକ ଚନ୍ଦ୍ର ଶେଖର ମାଝୀ ଏହି ଦଳରେ ସାମିଲ ଅଛନ୍ତି । ମୃତକ ଓ ଚିକିତ୍ସାଧୀନ ଥିବା ଲୋକଙ୍କ ପରିବାରକୁ ଭେଟିବା ସହ ସ୍ଥିତି ପରଖିଛନ୍ତି। ତେବେ ସରକାରୀ ଉଦାସୀନତା କାରଣରୁ ଏମାନେ ବିକାଶଠାରୁ ବହୁ ଦୂରରେ ବୋଲି ଅଭିଯୋଗ କରିଛନ୍ତି ତାରା ପ୍ରସାଦ ବାହିନୀପତି । ଏଥିପାଇଁ ମୁଖ୍ୟତଃ ସ୍ଥାନୀୟ ଜନପ୍ରତିନିଧି ଦାୟୀ ବୋଲି ସେ ସିଧାସଳଖ ଅଭିଯୋଗ ଆଣିଛନ୍ତି । ଏହା ପ୍ରତିବାଦରେ ଆଜି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛି କଂଗ୍ରେସ।