ମହାରାଷ୍ଟ୍ର ମହାନାଟକରେ ପଡିପାରେ ଯବନିକା, ସରକାର ଗଢିପାରେ ଶିବସେନା । ଏନସିପି-କଂଗ୍ରେସ ସହ ଡିଲ୍ ଫାଇନାଲ, ବାହ୍ୟ ସମର୍ଥନ ବଦଳରେ କଂଗ୍ରେସକୁ ମିଳିପାରେ ବାଚସ୍ପତି ପଦ ।

383

କନକ ବ୍ୟୁରୋ : ମହାରାଷ୍ଟ୍ର ମହାନାଟକରେ ପଡିବ ପୂର୍ଣ୍ଣଚ୍ଛେଦ । ମହାରାଷ୍ଟ୍ରର ମଙ୍ଗ ଧରିପାରେ ଶିବସେନା । ଏନସିପିକୁ ସାଥୀ କରି ଓ କଂଗ୍ରେସର ବାହ୍ୟ ସମର୍ଥନରେ ମହାରାଷ୍ଟ୍ରରେ ସରକାର ଗଢିପାରେ ଶିବସେନା । ଆଉ ଏଥିପାଇଁ ୩ ଦଳ ମଧ୍ୟରେ ସହମତି ହୋଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଆଲୋଚନା ପରେ ରାଜଭବନରେ ପହଞ୍ଚିଛନ୍ତି ଶିବସେନା ନେତା । ଶିବସେନା ବିଧାୟକ ଦଳ ନେତା ଏକନାଥ ସିନ୍ଦେ ଓ ଆଦିତ୍ୟ ଠାକରେଙ୍କ ସମେତ ଆଉ କିଛି ବରିଷ୍ଠ ନେତା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଆଲୋଚନା କରିଛନ୍ତି ।

କଂଗ୍ରେସ ବାହ୍ୟ ସମର୍ଥନ ବଦଳରେ ବାଚସ୍ପତି ପଦ ନେବାକୁ ଶିବସେନା ସମ୍ମୁଖରେ ସର୍ତ୍ତ ରଖିଥିବା ଚର୍ଚ୍ଚା ହେଉଛି । ଉଭୟ ବିଧାନସଭା ଓ ସରକାରରେ ଦଳ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିବାକୁ ଚାହୁଁଛି । ତେବେ ସରକାର ଗଠନ ପାଇଁ ଶିବସେନା ରାଜ୍ୟପାଳଙ୍କୁ ଆଉ ୨୪ ଘଣ୍ଟା ମହଲତ ମାଗିପାରେ ବୋଲି ଚର୍ଚ୍ଚା ହେଉଛି । ଏହାଛଡା ଆଦିତ୍ୟଙ୍କ ବଦଳରେ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଏନସିପି ପ୍ରସ୍ତାବ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।