ନିର୍ବାଚନ ପୂର୍ବରୁ ରାହୁଲଙ୍କ ମାଷ୍ଟରଷ୍ଟ୍ରୋକ ! ସବୁ ଗରିବଙ୍କୁ ମିଳିବ ୭୨ ହଜାର,  ମହିଳାଙ୍କ ଖାତାକୁ ଯିବ ଟଙ୍କା, ଗାଁ ଓ ସହର ସବୁଠି ହେବ ଲାଗୁ ।

130

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ଲାଗି ଭୋଟ୍ ପଡିବାକୁ ଆଉ ଅଳ୍ପଦିନ ବାକିଥିବାବେଳେ ଗରିବଙ୍କ ପାଇଁ ରାହୁଲ ଗାନ୍ଧିଙ୍କ ଘୋଷଣାକୁ ଜୋରଦାର ପ୍ରଚାର ପ୍ରସାର ଆରମ୍ଭ କରିଛି କଂଗ୍ରେସ । ଏହି ଗୋଟିଏ ପ୍ରତିଶ୍ରୁତି ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ ଗେମ୍ ଚେଞ୍ଜର ହେବ ବୋଲି ଆଶା କରୁଛି ଦଳ । ସେଥିପାଇଁ ନ୍ୟୁନତମ ଆୟର ଗ୍ୟାରେଂଟି ଘୋଷଣା ପରେ ଏବେ ଏହାକୁ ମହିଳା କୈନ୍ଦ୍ରୀକ ବୋଲି କହିବା ଆରମ୍ଭ କରିଛନ୍ତି କଂଗ୍ରେସ ନେତା । ଅର୍ଥାତ କ୍ଷମତାକୁ ଆସିଲେ ଦେଶର ୨୦ ପ୍ରତିଶତ ଅତି ଗରିବ ପରିବାରର ମହିଳାଙ୍କ ଖାତାକୁ ବାର୍ଷିକ ୭୨ ହଜାର ଟଙ୍କାର ଆର୍ଥିକ ସହାୟତା ଦେବ କଂଗ୍ରେସ । ବର୍ଷକୁ ୧୨ ହଜାର ଟଙ୍କାରୁ କମ୍ ଆୟ କରୁଥିବା ପରିବାରକୁ ମିଳିବ ଏହି ଆର୍ଥିକ ସହାୟତା । ତେବେ ୫ କୋଟି ପରିବାରର ୨୫ କୋଟି ଲୋକଙ୍କୁ ମାସିକ ୬ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ସ୍ପଷ୍ଟ କରିଦେଇଛି ଦଳ । ଏହାକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେବାଲା ।

ଗରିବଙ୍କୁ ନେଇ ଭୋଟ୍ ରାଜନୀତି କରୁଥିବା କଂଗ୍ରେସ ପୂର୍ବରୁ ମହାତ୍ମାଗାନ୍ଧି ନରେଗା ଯୋଜନା ଚଳାଇଥିଲା । ଏହାଦ୍ୱାରା ୧୪ କୋଟି ଲୋକଙ୍କୁ ରୋଜଗାର ମିଳିପାରିଥିବା ଦଳ ଦାବି କରୁଛି । ଆଉ ସମାନ ଢଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟରେ ୨୫ କୋଟି ଲୋକଙ୍କୁ ଦାରିଦ୍ର‌୍ୟରୁ ମୁକ୍ତ କରିବା ଲାଗି ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛି । ଏଥି ସହ ମୋଦି ସରକାରଙ୍କ ଅମଳରେ ବଢିଥିବା ବେରୋଜଗାରକୁ ଟାର୍ଗେଟ କରିବା ଆରମ୍ଭ କରିଛି ଦଳ । କେନ୍ଦ୍ରରେ ମୋଦି ସରକାର ଧନୀଙ୍କ ସରକାର କହି ବାରମ୍ବାର ସମାଲୋଚନା କରିଛନ୍ତି ରାହୁଲ ଗାନ୍ଧି । ନ୍ୟୁନତମ ଆୟର ଗ୍ୟାରେଂଟି ପାଇଁ ନ୍ୟାୟ ଯୋଜନା ଘୋଷଣା କରିବାର ଦିନକ ପରେ ସୁରତଗଡରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ, ମୋଦି ଧନୀଙ୍କୁ ପଇସା ଦେଉଛନ୍ତି, କିନ୍ତୁ କଂଗ୍ରେସ ଗରିବଙ୍କ ହାତରେ ଟଙ୍କା ଦେବ ।

ମୋଦି ସରକାରଙ୍କ ୫ ବର୍ଷ କାର୍ଯ୍ୟକାଳରେ ବିଜୟ ମାଲ୍ୟା, ନୀରବ ମୋଦି, ମେହୁଲ ଚୌକସୀ ପରି ଲୁଟେରା ଦେଶକୁ ଲୁଟି ଚାଲିଗଲେ । ମୋଦି ଧନି ଶିଳ୍ପପତି ମିତ୍ରଙ୍କୁ ୩ ଲକ୍ଷ ୫୦ ହଜାର କୋଟି ଦେଇଦେଲେ । କିନ୍ତୁ ଆମେ ଗରିବ ପରିବାରକୁ ରୋଜଗାର ଦେବୁ ବୋଲି ଦୃଢୋକ୍ତି କରିଛନ୍ତି ରାହୁଲ ଗାନ୍ଧି । ଦେଶର ସାଂପ୍ରତିକ ଅର୍ଥ ବ୍ୟବସ୍ଥାରେ ଏଭଳି ବଡ ଯୋଜନା ଲାଗୁ କରିବା କେତେ ସୁବିଧାଜନକ, ତାକୁ ନେଇ ତର୍ଜମା ଚାଲିଥିବାବେଳେ ଏକଥା ସ୍ପଷ୍ଟ ଯେ, ଭୋଟରଙ୍କ ଉପରେ ଏହାର ବଡ ପ୍ରଭାବ ପଡିପାରେ । କାରଣ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ଚାଷୀଙ୍କ ପାଇଁ ଋଣଛାଡ ଘୋଷଣା କରି ବଡ ବାଜି ମାରିଛି କଂଗ୍ରେସ । ଆଉ ୨୦୧୯ ଲୋକସଭା ନିର୍ବାଚନରେ ଗରିବଙ୍କୁ ରୋଜଗାରର ପ୍ରତିଶ୍ରୁତି ଦେଇ ପୁଣି ସେହି ସଫଳତା ଦୋହରାଇବାକୁ ବଡ ବାଜି ଖେଳିଛି ବିରୋଧୀ ଦଳ ।