ମଧ୍ୟାହ୍ନ ଭୋଜନରେ କ’ଣ ହେଲା ଚର୍ଚ୍ଚା? କଂଗ୍ରେସ କହିଲା, ରାଜ୍ୟସଭା ଆସନ ପାଇଁ ଡିଲ କରିବାକୁ ଆସିଥିଲେ ଶାହା, ବିଜେଡିର ଜବାବ, ରାଜ୍ୟ ସ୍ୱାର୍ଥ ପାଇଁ କାମ କରୁଛନ୍ତି ନବୀନ

432

କନକ ବ୍ୟୁରୋ : ନବୀନ ନିବାସରେ ଅମିତ ଶାହା, ମମତା ବାନାର୍ଜି, ନୀତିଶ କୁମାର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ନବୀନ ପଟ୍ଟନାୟକଙ୍କ ମଧ୍ୟାହ୍ନ ଭୋଜନକୁ ନେଇ ଚର୍ଚ୍ଚା କମିବାର ନାଁ ନେଉନି । ପରସ୍ପରର ବିରୋଧୀ ଯେତେବେଳେ କୌଣସି ବେସରକାରୀ କାର୍ଯ୍ୟକ୍ରମରେ ଏକାଠି ବସନ୍ତି ସେତେବେଳେ ଚର୍ଚା ହେବା ବି ସ୍ୱାଭାବିକ । ତେବେ ଏହି ମଧ୍ୟାହ୍ନ ଭୋଜନରେ କଣ ଡିଲ୍ ହୋଇଛି ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ କହିଛି, ରାଜ୍ୟସଭା ସିଟ୍ ଟେକି ଦେବା ପାଇଁ ଶାହା ଓ ନବୀନଙ୍କ ମଧ୍ୟରେ ଡିଲ୍ ହୋଇଛି ।

ପରସ୍ପର ବିରୋଧୀ ରାଜନେତା ଯେତେବେଳେ ଗୋଟିଏ ଟେବୁଲରେ ମଧ୍ୟାହ୍ନ ଭୋଜନ କରନ୍ତି, ଏକାଠି ବସି ଚର୍ଚ୍ଚା କରନ୍ତି, ସେତେବେଳେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ । ନବୀନ ନିବାସରେ ଅମିତ ଶାହା, ମମତା ବାନାର୍ଜି, ନୀତିଶ କୁମାର, ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ନବୀନ ପଟ୍ଟନାୟକଙ୍କ ମଧ୍ୟାହ୍ନ ଭୋଜନକୁ ସହଜରେ ଗ୍ରହଣ କରିପାରୁନି କଂଗ୍ରେସ । ବିଧାୟକ ସନ୍ତୋଷ ସିଂହ ସାଲୁଜା ଅଭିଯୋଗ କରିଛନ୍ତି, ୨ଟି ରାଜ୍ୟସଭା ଆସନକୁ ବିଜେପି ହାତରେ ଟେକି ଦେବା ପାଇଁ ହୋଇଛି ଶାହା ଓ ନବୀନଙ୍କ ମଧ୍ୟରେ ଡିଲ ।

ନବୀନ ନିବାସରେ ମଧ୍ୟାହ୍ନ ଭୋଜନକୁ ନେଇ ବୟାନବାଜି ଚାଲିଥିବା ବେଳେ ରାଜନୀତିର ଆଉ ଏକ ଦିଗ ପ୍ରତି ଆରମ୍ଭ ହୋଇଛି ଚର୍ଚ୍ଚା । ସିଏଏ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ କଠୋର ଆଭିମୁଖ୍ୟ ଯୋଗୁଁ ବିଜେପି ସହ ତାଙ୍କର ସଂପର୍କ ଅତ୍ୟନ୍ତ ତିକ୍ତ ରହିଛି । ଏହା ଭିତରେ ପୂର୍ବାଚଳ ପରିଷଦ ବୈଠକ ଆୟୋଜନ କରି ନବୀନ ପୂର୍ବାଞ୍ଚଳ ବିକାଶ କଥା ଉଠାଇଥିଲେ । ଆଉ ଗୋଟିଏ ତୀରରେ ଦୁଇଟି ଶିକାର କରିବା ଭଳି ଶାହା ଓ ମମତାଙ୍କୁ ଏକାଠି ବସାଇ ଜାତୀୟ ରାଜନୀତିରେ ନିଜର ଗୁରୁତ୍ୱ ବଢ଼ାଇଥିବା ଚର୍ଚ୍ଚା ହେଉଛି । ଖାଇବା ଟେବୁଲରେ ଅମିତ ଶାହା ଓ ମମତା ବାନାର୍ଜିଙ୍କ ମଝିରେ ଯେପରି ନବୀନ ପଟ୍ଟନାୟକ ବସିଥିଲେ, ଠିକ୍ ସେହିପରି ଦେଖିବାକୁ ମିଳିଥିଲା ପୂର୍ବାଚଳ ପରିଷଦ ବୈଠକରେ । ମଝିରେ ନବୀନ, ଏପାଖେ ମମତା, ସେପାଖେ ଅମିତ ଶାହା ।

ତେବେ କଂଗ୍ରେସକୁ ଜବାବ ଦେଇ ବିଜେଡି କହିଛି, ଯେତେବେଳେ ଡିଲ ହୁଏ ସେତେବେଳେ ରାଜ୍ୟର ସ୍ୱାଥଁ ପାଇଁ କେନ୍ଦ୍ର ସରକାରଙ୍କ ସହ ଡିଲ ହୁଏ କୌଣସି ଦଳ ବା ବିଜେପି ସହ ନୁହେଁ । ସେହିଭଳି ବିଜେପି କହିଛି, ଏବେ ମଧ୍ୟ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ କଡା ଫାଇଟ ହେଉଛି । ଆଗାମୀ ନିର୍ବାଚନରେ ମଧ୍ୟ ବିଜେଡି ସହ ମୁକାବିଲା କରିବାକୁ ମୈଦାନକୁ ଓହ୍ଲାଇବ ବିଜେପି ।