ମହିଳାଙ୍କ ସହ କଂଗ୍ରେସ ଅଧ୍ୟକ୍ଷଙ୍କ ଫଟୋରେ ରହସ୍ୟମୟ ଅଙ୍ଗୁଳି ! ଟ୍ରୋଲ୍ ହେଉଛନ୍ତି ରାହୁଲ ଗାନ୍ଧୀ, ଫଟୋ ପଛର ରହସ୍ୟ ବିଷୟରେ ଜାଣନ୍ତୁ . . .

1,495

କନକ ବ୍ୟୁରୋ : ନିର୍ବାଚନୀ ପାଣିପାଗ ସରଗରମ ଥିବାବେଳେ ଏକ ଫଟୋ ପାଇଁ କଂଗ୍ରେସ ଅଧ୍ୟକ୍ଷ ହରଡ଼ଘଣାରେ ପଡ଼ିଛନ୍ତି । ସୋମବାର ପ୍ରକାଶିତ ସବୁ ଖବର କାଗଜରେ ରାହୁଲ ଗାନ୍ଧୀଙ୍କ ଏକ ଫଟୋ ଛପିଛି । ଫଟୋରେ କଂଗ୍ରେସ ଅଧ୍ୟକ୍ଷ ଜଣେ ଗରିବ ମହିଳାଙ୍କୁ ଦରଦରେ ଆଲିଙ୍ଗନ କରିଥିବାର ଦେଖାଦେଇଛି । କଂଗ୍ରେସ ତରଫରୁ ଦିଆଯାଇଥବା ବିଜ୍ଞାପନରେ ରାହୁଲ ନ୍ୟାୟ ଯୋଜନାର ପ୍ରଚାର କରୁଥିବାର ଦେଖାଯାଉଛି । କିନ୍ତୁ ସୋସିଆଲ ମିଡ଼ିଆରେ ଫଟୋକୁ ନେଇ ବିଭିନ୍ନ କମେଂଟ ଆସିବାରେ ଲାଗିଛି । ଫଟୋରେ ରହସ୍ୟମୟୀ ଅଙ୍ଗୁଳିକୁ ନେଇ ପ୍ରଶ୍ନ ଉଠିଛି । ଲୋକେ ରାହୁଲଙ୍କ ଟ୍ରୋଲ୍ କରୁଛନ୍ତି ।

ଫଟୋର ସତ୍ୟତା କ’ଣ ? ଦିଲ୍ଲୀ ବିଜେପିର ଜଣେ ପ୍ରବକ୍ତା ପ୍ରଶ୍ନ କରିଛନ୍ତି, ତୃତୀୟ ହାତଟି କାହାର । କଂଗ୍ରେସକୁ ଆକ୍ଷେପ କରି କହିଛନ୍ତି, ନିର୍ବାଚନ ପ୍ରଚାର ପାଇଁ ଭଲ ପିଆର ନିଯୁକ୍ତି ଦେବାର ଥିଲା । ବିଜେପି ପ୍ରବକ୍ତାଙ୍କ ପ୍ରଶ୍ନ ପରେ ଟ୍ରୋଲ ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷ । ସୋସିଆଲ ମିଡ଼ିଆ ୟୁଜର ଫଟୋକୁ ଫେକ ବୋଲି କହୁଛନ୍ତି । ଅନେକ ଲୋକ ଫଟୋରେ ଦେଖାଯାଉଥିବା ହାତକୁ ନେଇ ପ୍ରଶ୍ନ କରୁଛନ୍ତି । ରାହୁଲ ଗାନ୍ଧୀଙ୍କ ଫଟୋ ଏଡ଼଼ିଟେଡ଼୍ ବୋଲି କହୁଛନ୍ତି ୟୁଜର ।

ହେଲେ ଫଟୋ ପଛରେ ରହିଛି ଆଉ ଏକ କାରଣ । ଏହି ଫଟୋର ଅସଲି ଫଟୋ କଂଗ୍ରେସର ଟ୍ୱିଟର ଆକାଉଂଟରେ ରହିଛି । ପୂର୍ବରୁ କଂଗ୍ରେସ ପକ୍ଷରୁ ଏହି ଫଟୋକୁ ଶେୟାର କରାଯାଇଥିଲା । ଏଥରୁ ସ୍ପଷ୍ଟ ହୋଇଯାଇଛି ଫଟୋ ଏଡ଼଼ିଟେଡ଼୍ କିମ୍ବା ଫଟୋସପରେ ତିଆରି ହୋଇନିାହିଁ । ୨୦୧୫, ୯ ଡିସେମ୍ବରରେ ଏହି ଫଟୋ କଂଗ୍ରେସ ପେଜରେ ଅପଲୋଡ଼୍ ହୋଇଥିଲା । ପୁଡ଼ୁଚେରୀ ବନ୍ୟା ପ୍ରଭାବିତ ଅଚଂଳରେ ସେତେବେଳ ରାହୁଲ ଗାନ୍ଧୀଙ୍କ ଏହି ଫଟୋ ନିଆଯାଇଥିଲା ।