ସିବିଆଇ ବିବାଦକୁ ନେଇ ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ । ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ପଦଯାତ୍ରା । ଭୁବନେଶ୍ୱର ସିବିଆଇ ଅଫିସ ଆଗରେ ବି ପିସିସିର ପ୍ରତିବାଦ

42

କନକ ବ୍ୟୁରୋ: ସିବିଆଇ ବିବାଦକୁ ନେଇ ଆରମ୍ଭ ହୋଇଛି ରାଜନୀତି । ସିବିଆଇରେ ଅନ୍ତଃକନ୍ଦଳ ଘଟଣାକୁ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛି ବିରୋଧି କଂଗ୍ରେସ । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ଘଟଣାରେ କଂଗ୍ରେସ ଆଜି ଦେଶବ୍ୟାପୀ ପ୍ରଦର୍ଶନ କରିଛି । ରାଫେଲ୍ ଡିଲ୍ ନେଇ ତଦନ୍ତ କରିବାକୁ ଚାହୁଁଥିବା ଅଧିକାରୀଙ୍କୁ ଜବରଦସ୍ତି ଛୁଟିରେ ପଠାଇବା ଅଗଣତାନ୍ତ୍ରିକ ଓ ବେଆଇନ୍ କହି କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ କରିଛି । ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ଅଧିକାଂଶ ସହରରେ କଂଗ୍ରେସ ଆଜି ବିରୋଧ ପ୍ରଦର୍ଶନ କରିଛି ।

ଅନ୍ୟପଟେ କଂଗ୍ରେସର ବିକ୍ଷୋଭ ଯୋଗୁ ଉତେଜନାକୁ ଦୃଷ୍ଟିରେ ରଖି ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟ ସାମ୍ନାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିଲ୍ଲୀ ଦୟାଲ ସିଂ କଲେଜ୍ ବାହାରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିବା ବେଳେ ଏଥିରେ କଂଗ୍ରେସର ଅନେକ ତୁଙ୍ଗ ନେତା ଯୋଗ ଦେଇଛନ୍ତି । ଏହାକୁ ନେଇ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରିଛନ୍ତି ।

 

ସେପଟେ, ସିବିଆଇ ବିବାଦ ନେଇ ନିଷ୍ପତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ୨ ସପ୍ତାହ ଭିତରେ ମାମଲାର ଯାଂଚ ପାଇଁ ସିଭିସିକୁ ଦେଇଛନ୍ତି ନିର୍ଦ୍ଦେଶ । ବହୁଚର୍ଚ୍ଚିତ ସିବିଆଇ ବିବାଦର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିବା ବେଳେ ଏହାର ଯାଂଚ ପାଇଁ ସିଭିସିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆଉ ୨ ସପ୍ତାହ ମଧ୍ୟରେ ଯାଂଚ ଶେଷ କରିବାକୁ ସିଭିସିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ତେବେ ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ଏହି ଯାଂଚ ହେବ ।

ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ. ପଟ୍ଟନାୟକଙ୍କ ତତ୍ୱାବଧାନରେ ସିବିଆଇ ବିବାଦର ଯାଂଚ କରିବ ସିଭିସି । ତେବେ ମାମଲାର ଯାଂଚ ପାଇଁ ସିଭିସି ଓକିଲ ସଲିସିଟର ଜେନରାଲ ତୁଷାର ମେହେଟ୍ଟା ୩ ସପ୍ତାହ ସମୟ ମାଗିଥିଲେ । କିନ୍ତୁ ୧୪ ଦିନ ମଧ୍ୟରେ ମାମଲାର ଯାଂଚ ଶେଷ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ପରବର୍ତି ଶୁଣାଣି ଦିପାବଳି ପରେ ଅର୍ଥାତ୍ ନଭେମ୍ବର ୧୨ରେ ହେବ ।