କଂଗ୍ରେସର ଜିଦ ଯୋଗୁଁ ରାଗିଲେ ଭେଙ୍କିୟା ! କହିଲେ, ମନମୋହନଙ୍କୁ ମୋଦି କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ

36

ଗୁଜରାଟର ଏକ ନିର୍ବାଚନୀ ସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ ମୋଦି । ସେ କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଅନ୍ୟ କଂଗ୍ରେସ ନେତା ପାକିସ୍ତାନର ପୂର୍ବତନ ସାମରିକ ଅଧିକାରୀଙ୍କ ସହ ଏକ ଗୁପ୍ତ ବୈଠକ କରି ବିଜେପିକୁ ହରାଇବା ପାଇଁ ଷଡଯନ୍ତ୍ର କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ବିରୋଧ କରି ଆଜି ସଂସଦକୁ ଅଚଳ କରି ଦେଇଛନ୍ତି କଂଗ୍ରେସ ସାଂସଦ । ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରି କଂଗ୍ରେସ ସାଂସଦ ରାଜ୍ୟସଭାରେ ହଟ୍ଟଗୋଳ କରୁଥିବା ବେଳେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି, କେହି କ୍ଷମା ମାଗିବା ପ୍ରଶ୍ନ ଉଠୁନାହିଁ ।

downloadଗୁଜରାଟ୍ ନିର୍ବାଚନ ଶେଷ ହୋଇ ଫଳାଫଳ ଆସିଛି, ହେଲେ ଥମିନାହିଁ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବିବାଦ । ରାଜ୍ୟସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ତାଙ୍କ ବୟାନ ପାଇଁ କ୍ଷମା ମାଗିବାକୁ ଦାବି କରି ହଟ୍ଟଗୋଳ କରିଥିଲେ କଂଗ୍ରେସ ସାଂସଦ । ତେବେ ସାଂସଦଙ୍କ ଆଚରଣରେ କ୍ଷୁବ୍ଧ ହୋଇଥିଲେ ରାଜ୍ୟସଭା ଅଧ୍ୟକ୍ଷ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ସେ କହିଥିଲେ, ଏହି ଘଟଣା ସଂସଦରେ ଘଟିନାହିଁ, ତେଣୁ କେହି କ୍ଷମା ମାଗିବା ପ୍ରଶ୍ନ ଉଠୁନାହିଁ ।

ଭେଙ୍କିୟାଙ୍କ ତାଗିଦ ପରେ ବି ସ୍ୱାଭାବିକ ଅବସ୍ଥାକୁ ଫେରିନଥିଲା ଗୃହ । ଗୃହ ମଧ୍ୟ ଭାଗକୁ ଆସି ଜୋରଦାର ନାରାବାଜି କରିଥିଲେ କଂଗ୍ରେସ ସାଂସଦ । ମଙ୍ଗଳବାର ଭଳି ବୁଧବାର ଦିନ ମଧ୍ୟ ସଂସଦରେ ଦେଖିବାକୁ ମିଳିଛି ଜୋରଦାର ହଙ୍ଗାମା । ସଂସଦରେ ଉପସ୍ଥିତି ଥାଆନ୍ତି ପ୍ରଧାନମନ୍ତ୍ରୀ, ମନମୋହନ ସିଂହଙ୍କୁ କ୍ଷମା ମାଗିବାକୁ ଦାବି କରୁଥାନ୍ତି କଂଗ୍ରେସ ସାଂସଦ । ପ୍ରଧାନମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ଦାବି କରି ଗୃହକାର୍ଯ୍ୟକୁ ଅଚଳ କରିଦେଇଥିଲା କଂଗ୍ରେସ ।