ଟ୍ୱିନ ସିଟିରେ ୬ ଘଣ୍ଟାର ଅଘୋଷିତ କର୍ଫ୍ୟୁ ! କଟକ ଓ ଭୁବନେଶ୍ୱରରେ ଅଟକିଗଲା ଶହ ଶହ ଗାଡ଼ି ମଟର । ନିରଞ୍ଜନ କହିଲେ, ରାଜ୍ୟବାସୀଙ୍କ ସ୍ୱାର୍ଥ ହାନି ହେଲେ ରାସ୍ତାକୁ ଓହ୍ଲାଇବ ଦଳ

43

କନକ ବ୍ୟୁରୋ : କଟକ ଭୁବନେଶ୍ୱରରେ କଂଗ୍ରେସର ୬ଘଂଟିଆ ବନ୍ଦ୍ । ଦ୍ୱୈତ ନଗରୀରେ ଅଘୋଷିତ କର୍ଫ୍ୟୁ । ଦିନ ୧୨ଟା ଯାଏ ଅଟକିଗଲା ଗାଡି, ମଟର । ସକାଳୁ ସକାଳୁ ହାତରେ ବ୍ୟାନର ଓ ଦଳୀୟ ପତାକା ଧରି ରାସ୍ତାକୁ ଓହ୍ଲାଇ ଆସିଥିଲେ କଂଗ୍ରେସ ନେତା ଓ କର୍ମୀ । ରାଜପଥ ସମେତ ପ୍ରମୁଖ ଛକ ମାନଙ୍କରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । କେତେକ ସ୍ଥାନରେ ପିକେଟିଂ କରି ଜରୁରୀ କାମରେ ବାହାରିଥିବା ଲୋକଙ୍କୁ ଅଟକାଇ ଦେଇଥିବା ଅଭିଯୋଗ ହୋଇଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ପାଳନ ଏକ ପ୍ରକାର ସଫଳ ହୋଇଛି । ଆଉ ପିସିସି ସଭାପତି କହିଛନ୍ତି ଏଣିକି ରାଜ୍ୟବାସୀଙ୍କ ସ୍ୱାର୍ଥ ହାନି ହେଉଥିବା ସମସ୍ତ ପ୍ରସଙ୍ଗରେ ଆନ୍ଦୋଳନ କରିବ କଂଗ୍ରେସ ।

କଟକ, ଭୁବନେଶ୍ୱର ଟ୍ୱିନ ସିଟିରେ ୬ ଘଂଟାର ଅଘୋଷିତ କର୍ଫ୍ୟୁ । କଂଗ୍ରେସ ଡାକରାରେ ଦିନ ୧୨ଟା ଯାଏଁ ଅଟକିଗଲା ଗାଡି ମୋଟର । ତେଲଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଦେଇଥିବା ବନ୍ଦ ଡାକରାର ପ୍ରଭାବ ଦୁଇ ସହରରେ ଦେଖିବାକୁ ମିଳିଛି । ସକାଳୁ ସକାଳୁ କଂଗ୍ରେସ ନେତା ଓ କର୍ମୀମାନେ ହାତରେ ବ୍ୟାନର ଓ ଦଳୀୟ ପତାକା ଧରି ବିରୋଧ ପ୍ରଦର୍ଶନ ଆରମ୍ଭ କରିଦେଇଥିଲେ । ଦୁଇ ସହରକୁ ସଂଯୋଗ କରୁଥିବା ରାଜପଥ ସମେତ ପ୍ରମୁଖ ଛକମାନଙ୍କରେ ପିକେଟିଂ ଆରମ୍ଭ କରିଦେଇଥିଲେ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରତିବାଦ କରିଛି ଦଳ । ଭୁବନେଶ୍ୱରର ବାଣୀବିହାର, ଏଜି ଛକ, ରସୁଲଗଡ, ଖଣ୍ଡଗିରି ଛକ ସମେତ ପ୍ରାୟ ୩୭ଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । ବନ୍ଦ ଯୋଗୁଁ ଭୁବନେଶ୍ୱର ବସଷ୍ଟାଣ୍ଡରୁ ବାହାରିନଥିଲା ବସ୍ । ଆଉ ଠପ୍ ହୋଇଯାଇ୍ଥିଲା ପୂରା ଗମନାଗମନ । ସେହିପରି କଟକ କାଠଯୋଡି ପୋଲରୁ ଜଗତପୁର ଯାଏଁ, ବସ, ଟ୍ରକ ଓ ଅନ୍ୟାନ୍ୟ ଗାଡିମୋଟର ଅଟକି ରହିଥିଲା । କେତେକ ସ୍ଥାନରେ ଜରୁରୀ କାମ ପାଇଁ ବାହାରିଥିବା ଲୋକଙ୍କୁ ଜୋରଜବରଦସ୍ତ ଅଟକାଇଥିଲେ କଂଗ୍ରେସ କର୍ମୀ ।

ଅନ୍ୟପଟେ କଂଗ୍ରେସର ଚକାଜାମ ଉପରେ ପ୍ରତିକ୍ରିୟା ରଖି ବିଜେଡି କହିଛି ଯେ, ତେଲଦର ନାଁ ରେ ଦୁଇଟି ଜାତୀୟ ଦଳ ଡ୍ରାମା କରୁଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ସରକାରରେ ଥିବା ବେଳେ ବାରମ୍ବାର ତୈଳ ଦର ବୃଦ୍ଧି କରିଥାନ୍ତି । କିନ୍ତୁ ପରସ୍ପରକୁ ଦୋଷ ଦେବାକୁ ଆଦୌ ଭୁଲନ୍ତି ନାହିଁ । କିନ୍ତୁ ଏସବୁ ଭିତରେ ୬ ଘଂଟାର ବନ୍ଦ ପାଳନର ସଫଳତାକୁ ନେଇ ଉତ୍ସାହିତ ପିସିସି ସଭାପତି କହିଛନ୍ତି ରାଜ୍ୟବାସୀଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି କରୁଥିବା ଯେକୌଣସି ପ୍ରସଙ୍ଗକୁ ନେଇ କଂଗ୍ରେସ ଆନ୍ଦୋଳନ କରିବ ।