ଥମୁନି ଚାଷୀ ଆନ୍ଦୋଳନ ! ଆଜିଠୁ କଂଗ୍ରେସର ସତ୍ୟାଗ୍ରହ

24

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ଚାଷୀ ଆନ୍ଦୋଳନକୁ ନେଇ ଚାଲିଥିବା ରାଜନୀତି ଥମିବାର ନାଁ ନେଉ ନାହିଁ । କଂଗ୍ରେସ ମନ୍ଦସୌରରେ ଚାଷୀଙ୍କ ଉପରେ ଗୁଳିମାଡ ଘଟଣାର ପ୍ରତିବାଦରେ ଆଜିଠାରୁ ୭୨ ଘଂଟିଆ ସତ୍ୟାଗ୍ରହ ଡାକରା ଦେଇଛି । ସତ୍ୟାଗ୍ରହ ସମୟରେ ସିରିଜ କୃଷକ ମହାପଂଚାୟତ ଆୟୋଜିତ କରାଯିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କର ମଧ୍ୟ ଆଜି ମନ୍ଦସୌର ଯାଇ ପୀଡିତ ପରିବାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଚାଷୀ ମୃତ୍ୟୁ ଘଟଣାକୁ ନେଇ ମନ୍ଦସୌର ଜଳୁଛି । ଆଉ ଏହାରି ଭିତରେ ଗତ ୨୪ ଘଂଟାରେ ମଧ୍ୟପ୍ରଦେଶରେ ତିନି ଜଣ ଚାଷୀଙ୍କ ଆତ୍ମହତ୍ୟା ଘଟଣା ସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଛି । ହୋଶଙ୍ଗାବାଦ ନିକଟ ଭୈରପୁର ଗାଁର ମଖନଲାଲ ଗତକାଲି ସକାଳେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ।

ସେପଟେ ବିଦିଶା ଜିଲ୍ଲାର ଜୀରାପୁର ଗାଁରେ ସୋମବାର ରାତିରେ ହରି ସିଂହ ଜାଦବ ନାମକ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସେହିପରି ସିହୋର ଜିଲ୍ଲାର ଜଜନା ଗାଁର ଦୁଲିଚନ୍ଦ୍ର ନାମକ ଚାଷୀଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ପରିବାର ଲୋକେ ଆତ୍ମହତ୍ୟା ଅଭିଯୋଗ ଆଣିଛନ୍ତି ।