ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିର ପ୍ରତିବାଦ ! କଟକ ଓ ଭୁବନେଶ୍ୱରରେ କଂଗ୍ରେସର ଚକାଜାମ୍ ପ୍ରଭାବ

49

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଦେଇଛି ଚକା ଜାମ୍ ଡାକରା । ଭୁବନେଶ୍ୱର ଓ କଟକରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏଁ ଗାଡି ନଚଲାଇବାକୁ ଲୋକଙ୍କୁ ଅନୁରୋଧ କରିଛି କଂଗ୍ରେସ । ଆଉ ଏହାର ପ୍ରଭାବ ଟ୍ୱିନ ସିଟିରେ ଦେଖିବାକୁ ମିଳିଛି । କଟକରେ ଅନେକ ସ୍ଥାନରେ ଗାଡି ଚଳାଚଳ ପ୍ରଭାବିତ ହୋଇଚି । କର୍ମୀମାନେ ଲୋକଙ୍କୁ ଗାଡି ନ ଚଳାଇବାକୁ ନିବେଦିନ କରିଛନ୍ତିା ଭୁବନେଶ୍ୱରରେ ମଧ୍ୟ ଚକାଜାମର ପ୍ରଭାବ ଦେଖିବାକୁ ମିଳିଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ତେଲର ଅହେତୁକ ଦରବୃଦ୍ଧି ଦେଶର ସାଧାରଣ ଜନତାଙ୍କ ମୁଣ୍ଡରେ ବୋଝ ଉପରେ ନଳିତାବିଡା ସଦୃଶ ହୋଇଛି । ତେଣୁ ଲୋକେ ଆଜି ୬ ଘଂଟା ପାଇଁ ଗାଡି ଚଲାଇବା ବନ୍ଦ କରନ୍ତୁ । ତେଲ ଦର ବୃଦ୍ଧିର ପ୍ରତିବାଦ କରନ୍ତୁ । ଟ୍ୱିନସିଟିରେ କଂଗ୍ରେସର ଏହି ୬ ଘଂଟିଆ ବନ୍ଦ ଡାକରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ୧୫ ପ୍ଲାଟୁନ୍ ଓ କଟକରେ ୫ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି । ବଡ ବଡ ଛକ ମାନଙ୍କରେ ୫୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ସତର୍କ ନଜର ରଖିଛନ୍ତି ।

 

ରାଜଧାନୀରେ ଆରମ୍ଭ ହୋଇଗଲାଣି କଂଗ୍ରେସର ୬ ଘଂଟିଆ ଚକା ଜାମର ପ୍ରଭାବ । ରାସ୍ତାଘାଟରେ ଗାଡି ଚଳାଚଳ ବନ୍ଦ ରହିଛି । ଯିଏ ଗାଡି ନେଉଛି କଂଗ୍ରେସ କର୍ମୀ ତାକୁ ଅଟକାଉଛନ୍ତି । ମାଷ୍ଟରକ୍ୟାଂଟିନ, ବାଣୀବିହାର ଓ ଅନ୍ୟନ୍ୟା ସ୍ଥାନରେ ଚକାଜାମର ପ୍ରଭାବ ପଡିଛି । ସେପଟେ କଟକରେ ସକାଳୁ ସକାଳୁ କଂଗ୍ରେସ ଚକାଜାମ ପାଇଁ ଅଂଟା ଭିଡିଛି । ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ । ତେବେ ଲୋକଙ୍କୁ ଗାଡି ଛାଡିବାକୁ ଅନୁରୋଧ କରିଥିବା କଂଗ୍ରେସ, ଜବରଦସ୍ତ ଗାଡି ଅଟକାଉଥିବା ଦେଖିବାକୁ ମିଳିଛି ।

ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୬ ଟଙ୍କା ୭୬ ପଇସା ରହିଛି । ସେହିପରି ଡିଜେଲ୍ ଲିଟର ପିଛା ଦର ୭୩ ଟଙ୍କା ୯୨ ପଇସା ରହିଛି । ପେଟ୍ରୋଲ ୧୪ ପଇସା ଏବଂ ଡିଜେଲରେ ୧୫ ପଇସା ଶସ୍ତା ହୋଇଛି । କର୍ଣ୍ଣାଟକ ନିର୍ବାଚନ ପରେ ଲଗାତାର ଭାବେ ୧୬ଦିନ ଧରି ପେଟ୍ରୋଲ ଓ ଡିଜେଲ୍ ଦରରେ ବୃଦ୍ଧି ଘଟିଛି । ତେଲ ଲିଟର ପିଛା ୩ଟଙ୍କା ୫୦ ପଇସା ବୃଦ୍ଧି ପାଇଥିଲା । ଫଳରେ ପେଟ୍ରୋଲ ଓ ଡିଜେଲ ଦର ସର୍ବକାଳିନ ରେକର୍ଡ ଛୁଇଁଥିଲା । ତେବେ ଗତ ୪ଦିନରେ ତେଲ ଦରରେ ମାତ୍ର ୨୩ ପଇସା କମିଛି । ଯାହାକୁ ଲୋକଙ୍କ ସହ ପରିହାସ ବୋଲି କଂଗ୍ରେସ କହିଛି ।