ନବରଙ୍ଗପୁରରେ ମକା ଅଭାବି ବିକ୍ରି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କଲା କଂଗ୍ରେସ ! ବିଧାୟକ ଭୂଜବଳ ମାଝୀ କହିଲେ,ଚାଷୀଙ୍କ ପାଇଁ କାଳ ସାଜିଛି ସରକାରଙ୍କ ଭିଜନ ନଥାଇ ମିଶନ ଘୋଷଣା

29

କନକ ବ୍ୟୁରୋ : ନବରଙ୍ଗପୁରରେ ମକା ଅଭାବି ବିକ୍ରି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ଭୂଜବଳ ମାଝୀ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି ଚାଷୀଙ୍କ ପାଇଁ କାଳ ସାଜିଛି ସରକାରଙ୍କ ଭିଜନ ନଥାଇ ମିଶନ ଘୋଷଣା । ମକା ଉତ୍ପାଦନରେ ନବରଙ୍ଗପୁର ଏସିଆ ମହାଦେଶରେ ଏକ ନମ୍ବର ହୋଇଥିବା ବେଳେ ଏଠାରେ ମକା ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସରକାର ବିଫଳ ହୋଇଛନ୍ତି ।

ପ୍ରତିବର୍ଷ ଜିଲ୍ଲାରେ ପ୍ରାୟ ୬୦ ହାଜର ହେକ୍ଟର ଜମିରେ ମକା ଚାଷ କରାଯାଉଥିବା ବେଳେ ଏଯାଏଁ ରାଜ୍ୟରେ ମକା ମଣ୍ଡି ଖୋଲାଯାଇନଥିବା ଭୂଜବଳ ମାଝି କହିଛନ୍ତି । ଫଳରେ ଋଣ କରି ମକା ଚାଷ କରିଥିବା ଚାଷୀ ପାଇଁ ଋଣ ସୁଝିବା କଷ୍ଟକର ହୋଇ ପଡିଥିବା ସେ କହିଛନ୍ତି । ସରକାର ମକା ମୂଲ୍ୟ କ୍ୱିଂଟାଲ ପ୍ରତି ୧୪ଶହ୨୫ ଟଙ୍କା ରଖିଥିବା ବେଳେ ଜିଲ୍ଲାରେ ବିକ୍ରି ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଚାଷୀ ବାଧ୍ୟ ହୋଇ ପରିଶ୍ରମକୁ ୯୦୦ ରୁ ହଜାରେ ଟଙ୍କାରେ ଦଲାଲକୁ ବିକ୍ରି କରୁଛନ୍ତି । ଚାଷୀଙ୍କ ହିତକୁ ନଜରରେ ରଖି ନବରଙ୍ଗପୁର ଜିଲ୍ଲାରେ ୨ଟି ମକା ୟୁନିଟ୍ ଖୋଲିବାକୁ ଦାବି କରିଛି କଂଗ୍ରେସ ।