ରାହୁଲ ଧରିଲେ କଂଗ୍ରେସ କମାଣ ! କଂଗ୍ରେସ ଅଧ୍ୟକ୍ଷ ଭାବେ ନେଲେ ଦାୟିତ୍ୱ

38

କନକ ବ୍ୟୁରୋ : କଂଗ୍ରେସରେ ଆରମ୍ଭ ହେଲା ରାହୁଲ ଯୁଗ । କଂଗ୍ରେସ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ରାହୁଲ ଗାନ୍ଧି । ମା ସୋନିଆ ଗାନ୍ଧିଙ୍କଠାରୁ କଂଗ୍ରେସର ୪୯ତମ ଅଧ୍ୟକ୍ଷ ଭାବେ ଏହି ଦାୟିତ୍ୱ ନେଇଛନ୍ତି ରାହୁଲ । ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ରାହୁଲଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବରେ ବହୁ କଂଗ୍ରେସ ନେତା ଓ କର୍ମକର୍ତା ସାମିଲ ହୋଇଥିଲେ । ବିଧିବଦ୍ଧ ଭାବେ ଦାୟିତ୍ୱ ନେବା ପୂର୍ବରୁ ରାହୁଲଙ୍କୁ ଅଧ୍ୟକ୍ଷ ପଦ ପାଇଁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କଂଗ୍ରେସ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଅଧ୍ୟକ୍ଷ ଏନେଇ ରାହୁଲଙ୍କୁ ଏକ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।

ଭାରତୀୟ ରାଜନୀତିରେ ୧୩୨ ବର୍ଷର ପୁରୁଣା ଦଳର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ରାହୁଲ । ୧୯୯୮ରୁ ଦୀର୍ଘ ୧୯ବର୍ଷ ଧରି ସୋନିଆ ଗାନ୍ଧି ଏହି ଦାୟିତ୍ୱ ତୁଲାଇ ଆସୁଥିଲେ । ଫଳରେ କଂଗ୍ରେସରେ ସୋନିଆଙ୍କ ରାଜ ଶେଷ ହୋଇ ରାହୁଲ ଯୁଗ ଆରମ୍ଭ ହୋଇଛି । ଏହି ଦାୟିତ୍ୱ ଗ୍ରହଣ ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଦାୟିତ୍ୱ ନେବା ପରେ ରାହୁଲଙ୍କୁ ଶୁଭେଛା ଓ ଆଶିର୍ବାଦ ଜଣାଇଛନ୍ତି ସୋନିଆ ।

ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଥିଲେ ରାହୁଲ ଗାନ୍ଧି । ଯେଉଁଥିରେ ସିଧାସଳଖ ଭାବେ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ବିଜେପିକୁ ଆକ୍ଷେପ କରି ରାହୁଲ କହିଥିଲେ ଦେଶରେ ନିଆଁ ଲଗାଏ ବିଜେପି ଏବଂ କଂଗ୍ରେସ ନିଆଁ ଲିଭାଇବାରେ ପ୍ରୟାସ କରେ । ସେମାନେ ଭାଙ୍ଗିବାରେ ବିଶ୍ୱାସ କରୁଥିବା ବେଳେ ଆମେ ଯୋଡିବାରେ ବିଶ୍ୱାସ କରୁ ବୋଲି କହିଛନ୍ତି ରାହୁଲ ଗାନ୍ଧି । ସେହିପରି ବିଜେପିକୁ ସମାଲୋଚନା କରି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କହିଛନ୍ତି ଦେଶରେ ଭୟରେ ବାତାବରଣ ତିଆରି କରାଯାଉଛି । ଏବଂ ଦେଶରେ ସାମ୍ବିଧାନିକ ମୂଲ୍ୟ ଉପରେ ଆକ୍ରମଣ ରହୁଛି । ହେଲେ ,କଂଗ୍ରେସ ଡରିନି କି ମୁଣ୍ଡ ନୁଆଁଇବନି ବୋଲି ସୋନିଆ କହିଛନ୍ତି । ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦ ଗ୍ରହଣ କରିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି ଘୃଣାର ରାଜନୀତି ବଦଳରେ ନୂଆ ଆଶାର ରାଜନୀତି ଆଡକୁ ଗତି କରିବ ଦେଶ ।

ଏବେ ଆସନ୍ତୁ ଦେଖିବା ରାହୁଲଙ୍କ ଟିମରେ କିଏ କିଏ ରହିବେ –
ରାହୁଲଙ୍କ ଟିମରେ ମୁଖ୍ୟତଃ ଯୁବପୀଢିକୁ ଗୁରୁତ୍ୱ ଦିଆଯିବ । ସଚିନ ପାଇଲଟ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦୀପେନ୍ଦର ସିଂ ହୁଡା, ମିଲିନ୍ଦ ଦେଓରା,ଗୌରବ ଗୋଗଇ, ମନୀଷ ତିୱାରି, ସୁସ୍ମିତା ଦେବ ରାହୁଲଙ୍କ ଟିମରେ ପ୍ରମୁଖ ଭୂମିକାରେ ରହିବେ । ଏମାନେ ସମସ୍ତେ କଂଗ୍ରେସ ରାଜନୀତିରୁ ଆସିଛନ୍ତି । ଏହି ନେତାଙ୍କ ବାପା କଂଗ୍ରେସର ବଡ ନେତା ଅଛନ୍ତି । ସଚିନ ପାଇଲଟ ରାଜସ୍ଥାନର ପୂର୍ବତନ କଂଗ୍ରେସ ନେତା ରାଜେଶ ପାଇଲଟଙ୍କ ପୁଅ ହୋଇଥିବାବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ ହେଉଛନ୍ତି ମଧ୍ୟପ୍ରଦେଶର ବରିଷ୍ଠ ନେତା ମାଧବରାଓ ସିନ୍ଧିଆଙ୍କ ପୁଅ । ଉଭୟ ରାଜେଶ ଓ ମାଧବରାଓ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଗୌରବ ଗୋଗଇ ହେଉଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କ ପୁଅ ।

ସେହିଭଳି ପାର୍ଲାମେଂଟରେ କିଏ ପ୍ରମୁଖ ଭୂମିକାରେ ରହିବେ ଆସନ୍ତୁ ନଜର ପକାଇବା –
ମଲ୍ଲିକାର୍ଜୁନ ଖଡଗେଙ୍କ ଛଡା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ. କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ, ଆନନ୍ଦ ଶର୍ମା ଓ ଶଶୀ ଥରୁରଙ୍କୁ ଏହି ଦାୟିତ୍ୱ ଦିଆଯାଇପାରେ । ଏହି ନେତାମାନେ ଦୀର୍ଘଦିନ ଧରି ସାଂସଦ ଅଛନ୍ତି । ସଂସଦ ପରିଚାଳନା ନେଇ ଏମାନଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ରାହୁଲ ଏହି ୪ ନେତାଙ୍କୁ ପାର୍ଲାମେଂଟ ଦାୟିତ୍ୱ ଦେଇପାରନ୍ତି ।

ସେହିପରି ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, କମଲ ନାଥ ଓ ମଲ୍ଲିକାର୍ଜୁନ ଖଡଗେ ଉଭୟ ସଙ୍ଗଠନ ଓ ପାର୍ଲାମେଂଟରେ ସକ୍ରିୟ ରହିପାରନ୍ତି । ଅନୁଭବ ଦୃଷ୍ଟିରୁ ଏମାନଙ୍କର ଉଭୟ ସଙ୍ଗଠନ ଓ ସଂସଦରେ ଭଲ ଅଭିଜ୍ଞତା ରହିଛି । ଦଳକୁ ଆଗକୁ ନେବା ପାଇଁ ରାହୁଲ ଗାନ୍ଧି ଏକ ପରାମର୍ଶଦାତା ଟିମ ମଧ୍ୟ ରଖିପାରନ୍ତି । ଗୁଲାମ ନବୀ ଆଜାଦଙ୍କ ଜାମ୍ମୁ-କାଶ୍ମୀରରେ, କମଳନାଥଙ୍କ ମଧ୍ୟପ୍ରଦେଶରେ ଓ ମଲିକାର୍ଜୁନ ଖଡଗେଙ୍କ କର୍ଣ୍ଣାଟକରେ ଭଲ ସଙ୍ଗଠନ ଅଛି ।