‘ହାଲ୍’କୁ ନେଇ ରାହୁଲଙ୍କ ହଲ୍ଲାବୋଲ ! କହିଲେ, ଓଡ଼ିଶାର ହକ୍ ଛଡ଼ାଇ ନେଲେ ମୋଦି, ଫାଇଦା ପାଇଲା ଫ୍ରାନ୍ସ ।

145

କନକ ବ୍ୟୁରୋ: ଜୟପୁରରେ କଂଗ୍ରେସ ସଙ୍କଳ୍ପ ସମାବେଶରେ ମୋଦିଙ୍କୁ ନିଶାନା କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଜନସମାବେଶରେ (ହାଲ୍) ପ୍ରସଙ୍ଗ ଉଠାଇ ରାହୁଲ କହିଛନ୍ତି ଯେ, ଦୀର୍ଘ ୭୦ ବର୍ଷ ହେବ ବାୟୁସେନାଙ୍କ ପାଇଁ (ହାଲ୍) ଠାରେ ବିମାନ ନିର୍ମାଣ କରାଯାଉଛି । ବିଶେଷ କରି କୋରାପୁଟ ଠାରେ ଥିବା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ବା (ହାଲ୍) ବାୟୁସେନା ବିମାନ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି । ମିଗ୍ ଏବଂ ସୁଖୋଇ ଭଳି ଲଢୁଆ ବିମାନର ଇଂଜିନ୍ କୋରାପୁଟର (ହାଲ୍) ଠାରେ ନିର୍ମାଣ କରାଯାଉଛି । ଏହା ଦର୍ଶାଉଛି ଦେଶର ସୁରକ୍ଷା ପଛରେ ଓଡ଼ିଶାର ଯୁବକଙ୍କ ହାତ ଯଥେଷ୍ଟ ପରିମାଣରେ ରହିଛି । କିନ୍ତୁ ପ୍ରଧାନମନ୍ତ୍ରୀ ଦେଶକୁ ସୁରକ୍ଷା ଦେବାକୁ କହୁଥିବାବେଳେ ବାୟୁସେନାଙ୍କ ପଇସା ନେଇ ମୋଦି ତାଙ୍କ ବନ୍ଧୁ ଅନିଲ୍ ଅମ୍ବାନୀଙ୍କୁ ଦେଉଥିବା ଅଭିଯୋଗ କରିଛନ୍ତି ରାହୁଲ ।

ଏପରିକି (ହାଲ୍) ୭୦ ବର୍ଷ ହେବ ବାୟୁସେନାଙ୍କ ପାଇଁ ବିମାନ ନିର୍ମାଣ କରୁଥିବାବେଳେ (ହାଲ) ଉପରେ ଏଯାବତ୍ କୌଣସି ଋଣ ଭାର ନାହିଁ । ପୂର୍ବରୁ କେବେ ବିମାନ ନିର୍ମାଣ କରି ନଥିବା ଅନିଲ ଅମ୍ବାନୀଙ୍କୁ ମୋଦି ଅନୁକମ୍ପା ଦେଖାଉଛନ୍ତି । କାରଣ ୟୁପିଏ ସରକାର ସମୟରେ ବାୟୁସେନା ପାଇଁ ୫୨୬ କୋଟି ଟଙ୍କା ହିସାବରେ ୧୨୬ଟି ରାଫେଲ୍ ବିମାନ (ହାଲ୍)ରେ ନିର୍ମାଣ କରିବାକୁ ନିଷ୍ପତି ନିଆଯାଇଥିଲା । କିନ୍ତୁ ଯେତେବେଳେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ଏହି ବିମାନ ଗୁଡ଼ିକ ନିର୍ମାଣ (ହାଲ୍)ରୁ ପ୍ରତ୍ୟାହାର କରି ଅନିଲ୍ ଅମ୍ବାନୀଙ୍କୁ କଣ୍ଟ୍ରାକ୍ଟ ଦିଆଯାଇଛି । ଏପରିକି ୪୫ ହଜାର କୋଟି ଋଣ ଭାରଥିବା ଅନିଲ ଅମ୍ବାନୀଙ୍କ ଠାରୁ ଏହି ବିମାନ ୫୨୬ କୋଟି ଟଙ୍କା ହିସାବରେ ୧୬୦୦ କୋଟି ଟଙ୍କା ଦେଇ ବିମାନ କିଣିବାକୁ ନିଷ୍ପତି ନେଇଛନ୍ତି ମୋଦି ।

ସେପଟେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏହି ବିମାନ ଗୁଡ଼ିକ (ହାଲ)ରେ ନକରି ଫ୍ରାନ୍ସରେ ନିର୍ମାଣ କରାଯିବ । ଆଉ ଏହାର ଟେଣ୍ଡର ଅନିଲ ଅମ୍ବାନୀଙ୍କୁ ହିଁ ମିଳିବ । ମୋଦିଙ୍କ ଏଭଳି ନିଷ୍ପତି ଫ୍ରାନ୍ସ ସରକାର ଓ ଅନିଲ ଅମ୍ବାନୀଙ୍କୁ ମୁନାଫା ଦେବ କିନ୍ତୁ ଓଡ଼ିଶାର ଯୁବକ ବେକାରୀ ହୋଇ ରହିଯିବେ ସେମାନଙ୍କ ଭାଗ୍ୟ ସହିତ ଖେଳ ଖେଳୁଛନ୍ତି ମୋଦି ସରକାର ବୋଲି କହି ବର୍ଷିଛନ୍ତି ରାହୁଲ ।