୨୦୧୯ ପାଇଁ ଏବେଠୁ ପ୍ରସ୍ତୁତ କଂଗ୍ରେସ ! ୧୫ ଦିନ ଭିତରେ ଘୋଷଣା ହେବ ୫୦ ପ୍ରତିଶତ ପ୍ରାର୍ଥୀ ତାଲିକା

36

କନକ ବ୍ୟୁରୋ : ବିଜେଡି ଓ ବିଜେପି ଚୋରି କରିନେଉଛନ୍ତି କଂଗ୍ରେସର ଭୋଟ୍ । ଏଭଳି ଏକ ଧାରଣା ରାଜ୍ୟ କଂଗ୍ରେସକୁ ନୂଆ ରଣନୀତି କରିବାକୁ ବାଧ୍ୟ କରିଛି । ନିଜ ପକେଟ୍ ଭୋଟ୍ ସୁରକ୍ଷିତ ରଖିବା ପାଇଁ ରାଜ୍ୟ କଂଗ୍ରେସ ଯୋଜନା ପ୍ରସ୍ତୁତ କରୁଛି । ସେଥିପାଇଁ ପ୍ରତ୍ୟକ ବୁଥ୍ ପାଇଁ ଏବେଠାରୁ ଏଜେଂଟ୍ ଘୋଷଣା କରିବାକୁ ନିଷ୍ପତି ନିଆଯାଇଛି ।

ନିର୍ବାଚନୀ ରେସରେ ବିଜେଡି ଓ ବିଜେପି ଠାରୁ ପଛରେ ପଡିଯାଇଥିବା କଂଗ୍ରେସ ୨୦୧୯ ପାଇଁ କିନ୍ତୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି । ପ୍ରାର୍ଥୀ ତାଲିକା ଓ ବୁଥ୍ ଏଜେଣ୍ଟ ଘୋଷଣା କ୍ଷେତ୍ରରେ ଦଳ ଅନ୍ୟମାନଙ୍କ ଠାରୁ ବେଶ ଆଗୁଆ ରହିବାକୁ ପ୍ରସ୍ତୁତି ଚଳାଇଛି । ୩୦୦ ଜଣଙ୍କୁ ନେଇ ଏକ ଜୁମ୍ବୋ ଟିମ୍ ଗଠନ କରିବା ପରେ ଆଜି ପ୍ରଥମ ପିସିସି କମିଟି ମିଟିଂ ଡାକି ଦଳର ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଘୋଷଣା କରିଛନ୍ତି- ୧୫ ଦିନ ଭିତରେ ୫୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇବ ।

କେବଳ ପ୍ରାର୍ଥୀ ଘୋଷଣାରେ ସୀମିତ ରହିବନି ଦଳ । ଏହାସହ ପକେଟ ଭୋଟ ହାତେଇବା ଲକ୍ଷ୍ୟରେ ରହିଛି କଂଗ୍ରେସ । ଆଉ ପକେଟ ଭୋଟକୁ ନିଜ ପାଖରେ ରଖିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ଦଳ । ୨୦୦୪ରେ କଂଗ୍ରେସ ୩୫ ପ୍ରତିଶତ ଭୋଟ ହାତେଇଥିବା ବେଳେ ୨୦୦୯ରେ ଏହା ୨୯ ପ୍ରତିଶତକୁ ଖସି ଆସିଥିଲା । ଏବଂ ୨୦୧୪ରେ ଏହା ୨୬ ପ୍ରତିଶତକୁ ଖସି ଆସିଲା । ତେଣୁ ଭୋଟହାର ବଢାଇବାକୁ ଏବେ ରାଜସ୍ଥାନରେ ସଫଳ ହୋଇଥିବା ଏକ ମଡେଲକୁ ଓଡିଶା କଂଗ୍ରେସ ଅନୁକରଣ କରିବାକୁ ନିଷ୍ପତି ନେଇଛି । ଏପରିକି ନିର୍ବାଚନର ବହୁ ଦିନ ପୂର୍ବରୁ ରାଜ୍ୟର ୩୬ ହଜାର ବୁଥରେ ୩ ଜଣ ଲେଖାଏଁ ଏଜେଣ୍ଟ ଘୋଷଣା କରିବାକୁ ନିଷ୍ପତି ନେଇଛି କଂଗ୍ରେସ ଦଳ ।