ଜ୍ୱାଇଁଙ୍କ ପଦର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ଶ୍ୱଶୁର ! ସୋସିଆଲ ମିଡ଼ିଆରେ ପ୍ରସାଦ ବିରୋଧୀ ଡାକରାର ମୁକାବିଲା ପାଇଁ କଂଗ୍ରେସ ଭବନରେ ସୁର ରାଉତରାୟଙ୍କ ପତିଆରା ପ୍ରଦର୍ଶନ

18

କନକ ବ୍ୟୂୁରୋ : କଂଗ୍ରେସ ଭବନରେ ଛକାପଂଝା । ଗତକାଲି ପିସିସି ସଭାପତି ପ୍ରସଙ୍ଗ ନେଇ ସଂଧ୍ୟା ମହାପାତ୍ରଙ୍କ ବୟାନ ପରେ ଆଜି କଂଗ୍ରେସ ଭବନ ଜଗି ରହିଥିଲେ ସୁର ରାଉତରାୟ । କିଛିଦିନ ଆଗରୁ ପ୍ରସାଦ ହଟାଓ ଡାକରା ଦେଇ ମାର୍ଚ୍ଚ ୧୧ ତାରିଖରେ କଂଗ୍ରେସ ଭବନ ଆସିବାକୁ ସୋସିଆଲ ମିଡିଆରେ ଅଭିଯାନ ଚାଲିଥିଲା । ଏହାର ମୁକାବିଲା କରିବାକୁ ଦଳବଳ ଧରି କଂଗ୍ରେସ ଭବନ ପହଂଚିଥିଲେ ସୁର ଓ ତାଙ୍କ ସମର୍ଥକ । ସେପଟେ ଗତକାଲି ପିସିସି ସଭାପତି ଆଗାମୀ ସାଧାରଣ ନିର୍ବାଚନ ପ ର୍ଯ୍ୟନ୍ତ ପରିବର୍ତନ ହେବେନାହିଁ ବୋଲି ସଂଧ୍ୟା ମହାପାତ୍ରଙ୍କ ବୟାନ ପରେ ଆଜି କିଛି କଂଗ୍ରେସ ନେତା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ପ୍ରସାଦ ବିରୋଧୀଙ୍କୁ ଚ୍ୟାଲେଂଜ୍ । ଦମ୍ ଦେଖେଇଲେ ସୁର । ନିଜ ଅନୁଗତଙ୍କୁ ନେଇ ରାଜ୍ୟ କଂଗ୍ରେସ ଭବନରେ ଦେଖାଇଲେ ପତିଆରା । । ଆଗାମୀ ପୌର ନିର୍ବାଚନ ପାଇଁ ବୈଠକ କଲେ, କିନ୍ତୁ ପ୍ରସାଦ ବିରୋଧୀଙ୍କୁ ଦେଲେ ସିଧାସଳଖ ଚେତାବନୀ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଆଜି କଂଗ୍ରେସ ଭବନରେ । ଆଉ କୁହାଯାଉଛି ଏ ସମସ୍ତ ଘଟଣା ପଛରେ ଥିଲା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟ । ଯେଉଁଥିରେ ସଭାପତି ପ୍ରସାଦଙ୍କୁ ପରିବର୍ତନ କରିବାକୁ କଂଗ୍ରେସ ପ୍ରେମୀଙ୍କୁ ଏକାଠି ହେବାକୁ ଦିଆଯାଇଥିଲା ଆହ୍ୱାନ ।

ପ୍ରସାଦ ହରିଚନ୍ଦନ ୨୦୧୯ ପର୍ଯ୍ୟନ୍ତ ସଭାପତି ରହିବେ ବୋଲି ଚର୍ଚ୍ଚା ଜୋର ଧରିବାପରେ ସୋସିଆଲ ମିଡିଆ ମାଧ୍ୟମରେ ଏକାଠି ହେବାକୁ ଡାକରା ଦେଇଥିଲେ ପ୍ରସାଦ ବିରୋଧୀ କ୍ୟାମ୍ପ । କିନ୍ତୁ ଜ୍ୱାଇଁ ପ୍ରସାଦଙ୍କ ବିରୋଧରେ ଆନ୍ଦୋଳନ କରେଇନଦେବା ପାଇଁ ଅଂଟା ଭିଡିଥିଲେ ଶ୍ୱଶୁର ସୁର ରାଉତରାୟ । ସେପଟେ ପ୍ରସାଦ ହରିଚନ୍ଦନ ଆଗାମୀ ୨୦୧୯ ପର୍ଯ୍ୟନ୍ତ ସଭାପତି ରହିବେ ବୋଲି ଏଆଇସିସିରୁ ନିର୍ଦ୍ଦେଶ ଆସିଛି ବୋଲି ବିବୃତି ଦେଇ ନିଜ ଦଳରୁ ବିରୋଧର ଶୀକାର ହୋଇଛନ୍ତି ପିସିସି ଶୃଙ୍ଖଳା କମିଟୀ ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର । ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜ୍ୟର କଂଗ୍ରେସର ସ୍ଥିତି ଦେଖି ଠିକ୍ ସମୟରେ ଠିକ୍ ନିଷ୍ପତି ନେବେ ବୋଲି ଆଶା ବାନ୍ଧିଛନ୍ତି କଂଗ୍ରେସ ନେତା ।

ଆସନ୍ତା ୧୬ କାରିଖରୁ ନୂଆଦିଲ୍ଲୀରେ ବସିବ ଏଆଇସିସିର ଗୁରୁ୍ତ୍ୱପୂର୍ଣ୍ଣ ଅଧିବେଶନ । ଯେଉଁଥିରେ ଯୋଗ ଦେବେ ରାଜ୍ୟର ନେତା ଓ କର୍ମୀ । ତେଣୁ ଦିଲ୍ଲୀ ଦରବାରରେ ଏକାଠି ହୋଇ ଦଳୀୟ ମନ୍ତ୍ରକୁ ଗ୍ରହଣ କରିବେ ନା ଗୋଷ୍ଠୀକନ୍ଦଳର ଝଲକ ସେଠାରେ ମଧ୍ୟ ଦେଖିବାକୁ ମିଳିବ ତା ଉପରେ ନଜର ।