ପିସିସି ପରିବର୍ତ୍ତନ ନେଇ ଆସନ୍ତାକାଲି କଂଗ୍ରେସ ନେତାଙ୍କୁ ଭେଟିବେ ପର୍ଯ୍ୟବେକ୍ଷକ ଦଳ : ସେପଟେ ଗୋଟି ଚଳାଇଲେ ପ୍ରସାଦ

45

କନକ ବ୍ୟୁରୋ : ଆସନ୍ତା କାଲି ଆସୁଥିବା ଏହି କେନ୍ଦ୍ରୀୟ କମିଟି ନିଜର ୩ ଦିନିଆ ଗସ୍ତରେ ପ୍ରଥମେ ଜିଲ୍ଲା ସଭାପତିଙ୍କ ସହ ଆଲୋଚନାରୁ ଆରମ୍ଭ କରିବେ ଓ ବିଧାୟକ ଦଳ ସହ ସାକ୍ଷାତ ପରେ ଏଆଇସିସିକୁ ରିପୋର୍ଟ ଦେବେ । ତେବେ ସର୍ତ ରହିଛି ଯେଉଁ ରାଜ୍ୟ ନେତା ମାନେ ଏକାଧିକ ବର୍ଗରେ ଆସୁଥିବେ ସେମାନେ ପର୍ଯ୍ୟବେକ୍ଷକଙ୍କୁ ଥରେ ମାତ୍ର ଦେଖା କରିପାରିବେ । ଯାହାକୁ ନେଇ ଉପୁଜିଛି ବିବାଦ ।

ବିଧାୟକ ଦଳ ନିଜର ଏକତା ଦେଖାଇ ପ୍ରଥମେ ପିସିସି ପରିବର୍ତନ ପାଇଁ ଦାବୀ କରିଥିଲେ । ତେଣୁ କୁହାଯାଉଛି ବିଧାୟକ ଦଳ ଯେମିତି ଏକା ସାଙ୍ଗେ ପର୍ଯ୍ୟବେକ୍ଷକଙ୍କ ଆଗକୁ ନଯାଆନ୍ତି ସେଥିପାଇଁ ମାଷ୍ଟର ପ୍ଲାନ କରିଛନ୍ତି ପ୍ରସାଦ । ଏପଟେ ଦୀର୍ଘଦିନର ନୀରବତା ପରେ ମୁହଁ ଖୋଲିଛନ୍ତି ପ୍ରସାଦ ହରିଚନ୍ଦନ । କହିଛନ୍ତି, ପର୍ଯ୍ୟବେକ୍ଷକ ଦଳ ଆସିବେ ଓ ସମସ୍ତଙ୍କ ମତ ନେଇ ଏଆଇସିସିକୁ ରିପୋର୍ଟ ଦେବେ । ହେଲେ ପିସିସି ସଭାପତି ପରିବର୍ତ୍ତନ ସଂକ୍ରାନ୍ତରେ ସେ ଚୁପ ରହିଛନ୍ତି । କିନ୍ତୁ ପ୍ରସାଦଙ୍କ ପାଇଁ ଓକିଲାତି କରିଛନ୍ତି ସୁର ରାଉତରାୟ ।

ପଂଚାୟତ ନିର୍ବାଚନରେ ରାଜ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଥିଲା । ଯାହା ପିସିସି ଓ ପ୍ରସାଦଙ୍କ ଭାଗ୍ୟକୁ ନେଇ ପ୍ରଶ୍ନବାଚୀ ତିଆରି କରିଥିଲା । ଆଉ ଏହାରି ଭିତରେ କେନ୍ଦ୍ରୀୟ ନେତୃତ୍ୱ ଆସିବା, ଦଳୀୟ ନେତାଙ୍କ ମଧ୍ୟରେ ଆଶା ସଂଚାର କରିଛି ।